୧୬ ନମ୍ୱର ଜାତୀୟ ରାଜପଥ ସମ୍ପ୍ରସାରଣରେ ଜମି ଅଧିଗ୍ରହଣ ପରେ ମିଳୁନି କ୍ଷତିପୁରଣ; ଗଣଧାରଣାରେ ବସିଲେ ଜମିହରା

ଯାଜପୁର ରୋଡ଼ ୨୨/୦୭: ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟକୁ ନେଇ ବିବାଦ ଦେଖାଯାଇଛି। ୧୬ ନଂ ଜାତୀୟ ରାଜପଥର ସଂପ୍ରସାରଣ ପାଇଁ ଜମି ହରାଇଥିବା ଲୋକଙ୍କୁ କ୍ଷତିପୂରଣ ଦିଆନଯାଇ ରାସ୍ତା ନିର୍ମାଣ କରାଯାଉଛି। ଏହାସହ ବିନା ନୋଟିସରେ ଭାଙ୍ଗି ଦିଆଯାଇଛି ଅନେକଙ୍କ ଘର। ଏହାର ପ୍ରତିବାଦରେ ଜମିହରାମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। କ୍ଷତିପୂରଣ ଦାବିରେ ଜମିହରା ଲୋକମାନେ ରାସ୍ତା ଉପରେ ଗଣଧାରଣାରେ ବସିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରଖିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

ଦେଶର ଏକ ପ୍ରମୁଖ ରାଜପଥ ହେଉଛି ୧୬ ନମ୍ୱର ଜାତୀୟ ରାଜପଥ। ଏହା ପୂର୍ବ ଭାରତକୁ ଦକ୍ଷିଣ ଭାରତ ସହ ଯୋଡ଼ିଥାଏ। ବର୍ତ୍ତମାନ ଏହି ୧୬ ନମ୍ୱର ଜାତୀୟ ରାଜପଥର ସଂପ୍ରସାରଣ କାର୍ଯ୍ୟ ଚାଲିଛି। କିନ୍ତୁ ଏହାକୁ ବିରୋଧ କରି ଲୋକମାନେ ଏବେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। କାରଣ ରାସ୍ତା ସମ୍ପ୍ରସାରଣ ପାଇଁ ଯାଇଥିବା ଜମି ବାବଦକୁ ସେମାନଙ୍କୁ କ୍ଷତିପୂରଣ ମିଳିନାହିଁ। ସୂଚନା  ଅନୁସାରେ ରାଜପଥ ସମ୍ପ୍ରସାରଣ ପାଇଁ ଗତ କିଛିଦିନ ତଳେ ପ୍ରଶାସନ ପକ୍ଷରୁ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ସୁଆଁସାହି ଗାଁରେ ଜମି ଅଧିଗ୍ରହଣ କରାଯାଇଥିଲା। କ୍ଷତିପୂରଣ ବାବଦକୁ ଜମିହରା ପରିବାରକୁ ସରକାରୀ ନିୟମ ଅନୁସାରେ ଜମି ଅଧିଗ୍ରହଣର ୧୪ ଦିନ ମଧ୍ୟରେ କ୍ଷତିପୂରଣ ଦେବାକୁ ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦିଆଯାଇଥିଲା।

ହେଲେ ଜମି ଅଧିଗ୍ରହଣକୁ ଏହାମଧ୍ୟରେ ଦେଢ଼ ମାସ ବିତିଯାଇଥିଲେ ମଧ୍ୟ ଜମିହରା ପରିବାରଙ୍କୁ କ୍ଷତିପୂରଣ ଦିଆଯାଇନାହିଁ। ପ୍ରଶାସନ ଜୋର ଜବରଦସ୍ତ ପୋଲିସ ଲଗାଇ ସେମାନଙ୍କ ଘର ଓ ମୂଲ୍ୟବାନ ଗଛ କାଟି ଠିକାସଂସ୍ଥା ପକ୍ଷରୁ ସେଠାରେ ରାସ୍ତା ତିଆରି କରାଯାଇଛି। ଏହାର ପ୍ରତିବାଦରେ ଜମିହରାମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ରାସ୍ତା ତିଆରି କାମ ବନ୍ଦ କରି ସେମାନେ ଗଣଧାରଣାରେ ବସିଛନ୍ତି। କ୍ଷତିପୂରଣ ନମିଳିବା ଯାଏଁ ଏହି ଗଣଧାରଣା ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି। ଏହାସହିତ ନବୀନ ନିବାସ ଯାଇ ନିଜର ଦାବି ଉପସ୍ଥାପନ କରିବେ ଏବଂ ଧାରଣାରେ ବସିବେ ବୋଲି କହିଛନ୍ତି।

ଏହି ଗାଁର ୧୪ଟି ଦଳିତ ପରିବାରର ରାଜପଥ କଡ଼ରେ ଥିବା ବାସ ଉପଯୋଗୀ ଜମି ଅଧିଗ୍ରହଣ କରାଯାଇଛି। ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଉପସ୍ଥିତିରେ ବିନା ନୋଟିସରେ କେତେକଙ୍କ ଘର ଉଚ୍ଛେଦ କରାଯିବା ସହ ବହୁ ମୂଲ୍ୟବାନ ଗଛ ମଧ୍ୟ କଟା ଯାଇଛି। ହେଲେ କ୍ଷତିପୂରଣ ବାବଦକୁ ଏଯାଏଁ ସେମାନଙ୍କୁ ଟଙ୍କା ମିଳିନାହିଁ। ଏନେଇ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ସ୍ଥାନୀୟ ତହସିଲ ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ତେଣୁ ବାଧ୍ୟହୋଇ ଜମିହରା ଲୋକେ ଆନ୍ଦୋଳନ ରାସ୍ତାକୁ ଆପଣାଇଛନ୍ତି। ସମ୍ପୃକ୍ତ ଉପ ଜିଲ୍ଲାପାଳଙ୍କ ଇସ୍ତଫା ଓ କ୍ଷତିପୂରଣ ଦାବିରେ ଲୋକେ ଗଣଧାରଣାରେ ବସିଛନ୍ତି। ଏହି ଆନ୍ଦୋଳନକୁ ଜିଲ୍ଲାର କିଛି ସାମାଜିକ ସଂଗଠନ ମଧ୍ୟ ସମର୍ଥନ କରିଛନ୍ତି। ସେପଟେ ଡାଇରେକ୍ଟ ପରଚେସ୍ ଯୋଜନାରେ ଖୁବଶିଘ୍ର ସେମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ସ୍ଥାନୀୟ ରସୁଲପୁର ତହସିଲଦାର କହିଛନ୍ତି।

Spread the love