ଶାସକ ଦଳର ସାଂସଦ, ମନ୍ତ୍ରୀ ଏବଂ ପ୍ରାର୍ଥୀଙ୍କ ବିରୁଦ୍ଧରେ ଦୃଢକାର୍ଯ୍ୟାନୁଷ୍ଠାନ ନିଆଯାଉ : ବିଜେପି

ଭୁବନେଶ୍ୱର, ୧୭/୧୦: ତିର୍ତୋଲ ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ସମୟରେ ଶାସକ ବିଜେଡି ଦଳର ପ୍ରାର୍ଥୀ ବିଜୟ ଶଙ୍କର ଦାସ ଜିଲ୍ଲା ନିର୍ବାଚନ ଅଫିସ ଆଗରେ ନିର୍ବାଚନ ଆଚରଣ ବିଧିକୁ ଖୋଲା ଖୋଲି ଭାବେ ଉଲ୍ଲଘଂନ କରିଛନ୍ତି। ମୁଖ୍ୟନିର୍ବାଚନ ଆୟୋଗ କରୋନା ପାଇଁ ଏକ ଗାଇଡଲାଇନ ପ୍ରସ୍ତୁତ କରିଥିଲେ ମଧ୍ୟ ବିଜେଡି ପ୍ରାର୍ଥୀ ସେ ନିୟମକୁ ଅଣଦେଖା କରିଛନ୍ତି। ଅନ୍ୟପଟେ ତିର୍ତୋଲ ନିର୍ବାଚନମଣ୍ଡଳୀ ରଘୁନାଥପୁର ବ୍ଲକରେ ବିଜେଡି କର୍ମୀ ସମ୍ମିଳନୀରେ ଶାସକ ଦଳ ମନ୍ତ୍ରୀ ପ୍ରତାପ ଜେନା, ସାଂସଦ ରାଜଶ୍ରୀ ମଲ୍ଲିକ ଏବଂ ବିଜେଡି ନେତା ଦେବାଶିଷ ସାମନ୍ତରାୟ କୋଭିଡ ନିୟମକୁ ଉଲ୍ଲଘଂନ କରିଛନ୍ତି। ଏହା ବିରୁଦ୍ଧରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏ ପ୍ରସଙ୍ଗରେ ଏକ ସ୍ମାରକ ପତ୍ର ପ୍ରଦାନ କରି
ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଛି।
ଅକ୍ଟୋବର ୧୬ ତାରିଖ ଦିନ ନାମାଙ୍କନ ପତ୍ର ଦାଖଲ ସମୟରେ ବିଜେଡି ପ୍ରାର୍ଥୀ ବିଭିନ୍ନ ବସ୍ ଓ କାର୍ ରେ ନିଜ ସମର୍ଥକଙ୍କୁ ଆଣିବା ସହ ଶହଶହ ବିଜେଡିକର୍ମୀ ବାଇକରାଲି କରି କରୋନା ନିୟମକୁ ଉଲ୍ଲଘଂନ କରିଥିଲେ । ଏଭଳି ବେନିୟମ କାର୍ଯ୍ୟ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଆଗରେ ହୋଇଥିଲେ ବି ଏଯାବତ୍ ନିୟମ ଉଲ୍ଲଘଂନକାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।

ସେହିପରି ଅକ୍ଟୋବର ୧୫ ତାରିଖ ଦିନ ବିଜେଡି କର୍ମୀ ସମ୍ମିଳନୀରେ ବିଜେଡି ସାଂସଦ, ମନ୍ତ୍ରୀ, ନେତା ଓ କର୍ମୀମାନେ ସାମାଜିକ ଦୂରତା ପାଳନ ନକରିବା ଏବଂ ମାସ୍କ ପରିଧାନ ନକରି କୋଭିଡ ଗାଇଡଲାଇନକୁ ଉଲ୍ଲଘଂନ କରିଥିଲେ। ଏହି ବୈଠକକୁ ଯିବା ପାଇଁ ମନ୍ତ୍ରୀ ଶ୍ରୀ ଜେନା ସରକାରୀ ଗାଡି ବ୍ୟବହାର କରିବା ସହ ଅନ୍ୟ ବିଜେଡି ନେତାମାନେ ଦଳୀୟ କର୍ମୀମାନଙ୍କୁ ଟଙ୍କା ବାଂଟିଥିଲେ ଯାହାକି ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଘଂନ କରିଛି।ଏହି ଘଟଣାରେ ନିରପେକ୍ଷ ତଦନ୍ତ କରାଯାଇ ବିଜେଡି ପ୍ରାର୍ଥୀ, ସାଂସଦ, ମନ୍ତ୍ରୀ ଏବଂ ନେତାଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇବା ସହ ଆଇନ ଅନୁଯାୟୀ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିନିଧୀ ଦଳ ଦାବୀ କରିଛି। ପ୍ରତିନିଧୀ ଦଳ କୋଭିଡ ନିୟମ ଏବଂ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିଥିବା ସମ୍ବଳିତ ଫଟୋ ଓ ଭିଡିଓ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରି ଆଗାମୀ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ଦାବୀ କରିଛି। ସମସ୍ତ ଅଭିଯୋଗକୁ ଅତିରିକ୍ତ ନିର୍ବାଚନ ଅଧିକାରୀ ଶୁଣିବା ପରେ ୭୨ ଘଂଟା ଭିତରେ ଶାସକ ଦଳକୁ କାରଣ ଦର୍ଶାଅ ନୋଟିସ ପଠାଇ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିନିଧୀ ଦଳ ଆଗରେ ପ୍ରତିଶୃତି ଦେଇଛନ୍ତି। ଏହି ପ୍ରତିନିଧି ଦଳରେ ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଏବଂ ଲିଗାଲ୍ କୋଡିନେଟର ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ।

Spread the love