ୟୁକ୍ରେନରୁ ଫେରିଲେ ଆଉ ୭ଜଣ ଓଡ଼ିଆ ଛାତ୍ରଛାତ୍ରୀ

ଝାରସୁଗୁଡ଼ା ୦୫/୦୩ : ଆଜି ୟୁକ୍ରେନରୁ ପୁଣି ୭ଜଣ ଓଡ଼ିଆ ଛାତ୍ରଛାତ୍ରୀ ଆସି ଝାରସୁଗୁଡ଼ାରେ ପହଞ୍ଚିଛନ୍ତି । ଋଷର ଘନଘନ ବୋମା ମାଡ଼, ଏୟାର ଷ୍ଟ୍ରାଇକ ଓ ଗୁଳିଗୋଳାରେ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ଭାରତୀୟ ଛାତ୍ରଛାତ୍ରୀ ନିଜ ଜନ୍ମମାଟିକୁ ଫେରିବା ପାଇଁ ସୁଯୋଗ ଖୋଜୁଥିଲା ବେଳେ କେନ୍ଦ୍ର ସରକାରଙ୍କ ଅପରେସନ ଗଙ୍ଗା ଜରିଆରେ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି। କାରକିଭରେ ଡାକ୍ତରୀ ପଢ଼ୁଥିବା ୭ ଜଣ ଛାତ୍ରଛାତ୍ରୀ ଘରକୁ ଫେରିଛନ୍ତି ।

ଏହି ଛାତ୍ରଛାତ୍ରୀମାନେ ଆଜି ଦିନ ୨ ଟାରେ ଦିଲ୍ଲୀରୁ ବିମାନ ଯୋଗେ ଆସି ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପହଞ୍ଚିଥିଲେ।ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପର୍ଯ୍ୟଟନ ଅଧିକାରୀ ଓ ସୂଚନା ଲୋକସମ୍ପର୍କ ଅଧିକାରୀ ସେମାନଙ୍କୁ ସ୍ୱାଗତ ଜଣାଇଥିଲେ।ୟୁକ୍ରେନ ଫେରନ୍ତାଙ୍କୁ ନିଜ ଘରକୁ ଫେରାଇ ନେବାକୁ ବହୁ ସମୟ ପର୍ଯ୍ୟନ୍ତ ବିମାନବନ୍ଦର ବାହାରେ ସେମାନଙ୍କ ପରିବାର ଲୋକ ଅପେକ୍ଷା କରିଥିଲେ।ବିମାନବନ୍ଦରରୁ ବାହାରକୁ ବାହାରିବା ପରେ ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ସଦସ୍ୟମାନଙ୍କ ମଧ୍ୟରେ ମିଳନ ଏକ ଭାବବିହ୍ଵଳ ପରିସ୍ଥିତି ସୃଷ୍ଟି କରିଥିଲା। ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀ ସେଠକାର ଯୁଦ୍ଧ ସ୍ଥିତି ବଖାଣିଥିଲେ।

Spread the love