ହିଟ୍ ଆଣ୍ଡ ରନ୍ ମାମଲା ; ୬ ଜଣଙ୍କୁ ଗାଡ଼ି ଚଢ଼ାଇଥିବା ଦ୍ୱାଦଶ ଶ୍ରେଣୀ ଛାତ୍ର ଗିରଫ
ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ର ଏକ ସୁଇଫ୍ଟ ଡିଜାୟାର ଗାଡ଼ି ଦ୍ୱାରା ୬ ଜଣଙ୍କୁ ଧକ୍କା ଦେବା ପରେ ପୁଲିସ ଦ୍ୱାରା ଗିରଫ ହୋଇଛି । ଏହି ଦୁର୍ଘଟଣାରେ ଜଣେ ୬ ବର୍ଷର ଶିଶୁ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୫ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ଗୁରୁବାର ସନ୍ଧ୍ୟାରେ ୭ଟାରେ ବନ୍ଥରା ଥାନା ଅନ୍ତର୍ଗତ କାନପୁର ରୋଡ୍ରେ ଏହି ଦୁର୍ଘଟଣା ଘଟିଥିଲା । ଅଭିଯୁକ୍ତ ଛାତ୍ର ଗୌରବ ସିଂ ନିଜର ଜଣେ ବାନ୍ଧବୀଙ୍କ ସହ ଏକ ଫେୟାରୱେଲ ପାର୍ଟିରୁ ଫେରୁଥିଲେ । ଏହି ସମୟରେ ସେ ଜଣକ ପରେ ଜଣକୁ ଧକ୍କା ଦେଇ ଖସିଯିବାକୁ ଚେଷ୍ଟା କରିଥିଲା । ପୁଲିସ ଗାଡ଼ି ନମ୍ବରକୁ ଆଧାର କରି ମାତ୍ର ଏକ ଘଣ୍ଟା ମଧ୍ୟରେ ଗୌରବକୁ ଗିରଫ କରିଛି । ସେ ଅବଧ କଲେଜିଏଟ୍ର ଛାତ୍ର । ଅଭିଯୁକ୍ତର ବାପା ଜଣେ ସିମେଣ୍ଟ ବ୍ୟବସାୟୀ । ଗୌରବ ଜଣେ ବନ୍ଧୁଙ୍କଠାରୁ ଗାଡ଼ି ମାଗି ଆଣି ପାର୍ଟିକୁ ଯାଇଥିଲା । ପୁଲିସ ସିସିଟିଭି ଫୁଟେଜ ଜବତ କରିଛି ଓ ଅଧିକ ତଦନ୍ତ ଜାରି ରଖିଛି ।
