ରାଜ୍ୟରେ ଛାତ୍ରଛାତ୍ରୀଙ୍କୁ ଦୁଇ ସପ୍ତାହ ଖରାଛୁଟି

ଭୁବନେଶ୍ୱର : ରାଜ୍ୟରେ ଏଥର ଛାତ୍ରଛାତ୍ରୀଙ୍କୁ ଆଉ ଦୁଇ ମାସର ଖରାଛୁଟି ମିଳବନି ମିଳିବ ମାତ୍ର ଦୁଇ ସପ୍ତାହ। ଆସନ୍ତା ମେ ଦ୍ୱିତୀୟ ସପ୍ତାହରୁ ଦୁଇ ସପ୍ତାହ ଛୁଟି ମିଳିପାରେ । ଏହାପରେ ଚାଲିବ ଛାତ୍ରଛାତ୍ରୀଙ୍କ ବ୍ରିଜ୍‌ କୋର୍ସ।ଗତ ଦୁଇବର୍ଷରେ ସେମାନେ ଯାହା ହରାଇଛନ୍ତି ସେସବୁକୁ ଏହି ବ୍ରିଜ୍‌ କୋର୍ସ ମାଧ୍ୟମରେ ପୂରଣ କରାଯିବ।ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଚାର ବିମର୍ଷ କରୁଛି।

କରୋନା ପାଇଁ ଦୁଇବର୍ଷ ହେବ ପିଲାଙ୍କ ପାଠପଢ଼ାରେ ଗଭୀର ପ୍ରଭାବ ପଡ଼ିଛି । ପୂରାପୂରି ଦୁଇଟି କ୍ଲାସ୍‌ରେ ଶିକ୍ଷାଗ୍ରହଣ କରିପାରିନାହାନ୍ତି ଛାତ୍ରଛାତ୍ରୀ । ଅନେକ ତ ସେହି ଦୁଇବର୍ଷରେ କ’ଣ ବିଷୟ ରହିଥିଲା ତାହା ବି ଜାଣିନାହାନ୍ତି । ଯାହାଦ୍ୱାରା ବର୍ତ୍ତମାନ ସେମାନେ ପାଠ ଧରିପାରୁନାହାନ୍ତି । ଦୁଇବର୍ଷ ପରେ ପଞ୍ଚମ ଶ୍ରେଣୀକୁ ଆସିଥିବା ପିଲାମାନେ ତୃତୀୟ ଶ୍ରେଣୀର ପାଠ କରିପାରୁନାହାନ୍ତି । ତେଣୁ ସେମାନଙ୍କର ଏହି କ୍ଷତିକୁ ଭରଣା କରିବା ପାଇଁ ଏବର୍ଷ ଗ୍ରୀଷ୍ମ ଛୁଟି କମିଛି। ସେଥିପାଇଁ ଏହି ଦୁଇ ସପ୍ତାହରେ ଶିକ୍ଷକମାନଙ୍କୁ ବ୍ରିଜ୍‌ କୋର୍ସ ଉପରେ ପ୍ରଶିକ୍ଷଣ ଦିଆଯିବ। ଏହା ଉପରେ ବିଭାଗ ପକ୍ଷରୁ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯିବ।

Spread the love