ବିଶ୍ୱ ପରିବେଶ ଦିବସରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଲା ଛାତ୍ର ବିଜେଡି

ଭୁବନେଶ୍ୱର,୫/୦୬: ପରିବେଶ ଏବଂ ଜୀବଜଗତ ଉଭୟ ଅଙ୍ଗାଙ୍ଗି ଭାବେ ଜଡ଼ିତ, ପରିବେଶ ଧ୍ୱଂସ ପାଇଗଲେ ଜୀବଜଗତ ଅସ୍ତିତ୍ୱହୀନ ହୋଇଯିବ । କରୋନା ମହାମାରୀର ଘଡ଼ିସନ୍ଧି ସମୟରେ ସାମାଜିକ ଦୂରତା ରକ୍ଷା କରି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ରାଣାପ୍ରତାପ ପାତ୍ରଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ‘‘ବିଶ୍ୱ ପରିବେଶ ଦିବସ’’ ପାଳିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶା ପର୍ଯ୍ୟାବରଣ ସଂରକ୍ଷଣ ଅଭିଯାନର (OPSA) ର ଟ୍ରଷ୍ଟି ସୌମ୍ୟରଞ୍ଜନ ବିଶ୍ୱାଳଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଯୋଗଦେଇ ପରିବେଶ ସୁରକ୍ଷା ସମ୍ପର୍କିତ ଏକ ନାଟକ ପରିବେଷଣ କରିଥିଲେ । ଛାତ୍ର ବିଜେଡିର କାର୍ଯ୍ୟକର୍ତ୍ତାମାନେ ବୃକ୍ଷରୋପଣ ସହ ପରିବେଶ ସଚେତନତାର ବାର୍ତ୍ତା ନେଇ ବିଭିନ୍ନ ସ୍ଲୋଗାନ୍‌ ଲିଖିତ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ଛୋଟ ପିଲାମାନେ ଚିତ୍ରାଙ୍କନ ମାଧ୍ୟମରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଥିଲେ ।
ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ରାଣାପ୍ରତାପ ପାତ୍ର କହିଥିଲେ, ‘‘ଜୁନ୍‌ ୫ତାରିଖ ୧୯୭୪ମସିହାଠାରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଆସୁଅଛି । ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତି, ଜୀବନଶୈଳୀ, ଆଧୁନିକତା, ବଢୁଥିବା ପ୍ରଦୂଷଣ ହାର, ଜଙ୍ଗଲ କ୍ଷୟ, ଅବକ୍ଷୟମୁଖୀ ଜୈବ ବିବିଧତା ଆଦି ମନୁଷ୍ୟ ଜଗତ ପାଇଁ ଏକ ଆହ୍ୱାନ ସୃଷ୍ଟି କରିଛି । ପ୍ରକୃତିର କରାଳ ପ୍ରକୋପରୁ ଜୀବଜଗତ ଓ ମନୁଷ୍ୟଜଗତକୁ ସୁରକ୍ଷିତ ରଖିବା ପାଇଁ ପରିବେଶ ସହ ପୁନର୍ବାର ବନ୍ଧୁତା ସ୍ଥାପନ କରି ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ସମୟ ଆସିଛି’’ ।
ଆଜିର ଏହି କାର୍ଯ୍ୟକ୍ରମରେ ବନ ଉନ୍ନୟନ ନିଗମ (ଓଏଫ୍‌ଡିସି) ଉପଦେଷ୍ଟା ଦେବାଶିଷ ମଲ୍ଲିକ, ଭୁବନେଶ୍ୱରର ପୂର୍ବତନ କର୍ପୋରେଟର ସମୀର ପ୍ରଧାନ, ଅମରେଶ ଜେନା, ଭୁବନେଶ୍ୱର ବିଜୁ ଛାତ୍ର ଜନତା ଦଳ ସଭାପତି କଳ୍ପତରୁ ଓଝା, ଭୁବନେଶ୍ୱର ଜୋନ୍‌ ସଭାପତି ଅଜିତ୍‌ ବେହେରା, ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ମନୋଜ ସେନାପତି, ସାଜିଦ୍‌ ହୁସେନ୍‌, ସ୍ମୃତି ରଞ୍ଜନ ପଟ୍ଟନାୟକ, ଅପୂର୍ବା ଅପରୂପା, ସ୍ୱାଗତିକା ମହାନ୍ତି, ରାଜ୍ୟ ସମ୍ପାଦକ ପ୍ରମୋଦ ପାତ୍ର, ରାଜଲକ୍ଷ୍ମୀ ସାହୁ, ସ୍ଥିତପ୍ରଜ୍ଞ ପଣ୍ଡା, ରମାରଞ୍ଜନ ବଳିଆରସିଂ, ସଞ୍ଜୟ ବିଷୋୟୀ, ଧର୍ମେନ୍ଦ୍ର ଧଳ, ନିଗମ କୁମାର ବେହେରା, ସୁମନ ସାହୁ, ଅନୀଲ୍‌ କୁମାର ମହାନ୍ତି, ତନ୍ମୟ ନାୟକ, ରାଜେଶ ସାହୁ, ସଚିନ ଦାସ, ରାଜେଶ ପାଣି ପ୍ରମୁଖ ଯୋଗ ଦେଇଥିଲେ ।

Spread the love