ସୋଆ ବିଶ୍ୱବିଦ୍ୟାଳୟରେ “ସୋଆମୁନ୍‌-୨୧” : ପରିବେଶ ସୁରକ୍ଷା ଉପରେ ଛାତ୍ରଛାତ୍ରୀ ଗୁରୁତ୍ୱ ଦିଅନ୍ତୁ

ଭୁବନେଶ୍ୱର,୨୧/୧୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱିଦ୍ୟାଳୟରେ ସୋଆ ମଡେଲ୍ ୟୁନାଇଟେଡ୍ ନେସନସ୍‌ (ସୋଆମୁନ୍‌-୨୦୨୧) ଉଦ୍ଘାଟିତ ହୋଇଯାଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଡ. ସାହୁ କହିଛନ୍ତି ଯେ, ବିଶ୍ୱରେ କ’ଣ ସବୁ ଘଟିଯାଇଛି ତାହାକୁ ଅନୁଧ୍ୟାନ କର। ବିଶ୍ୱର ସ୍ଥିତିକୁ ଦେଖି ପରିବେଶ ସଂରକ୍ଷଣ ଉପରେ ଅଧିକ ଗୁରୁତ୍ୱ ଦିଅ । ପରିବେଶ ସୁରକ୍ଷିତ ରହିଲେ ହିଁ ଆଗାମୀ ଭବିଷ୍ୟତ ଓ ମାନବ ସଭ୍ୟତା ବଞ୍ଚିବ । ସୋଆରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ମନ୍ତ୍ରୀ ଡ. ସାହୁ ପ୍ରଶଂସା କରିଥିଲେ। ସେ ପୁଣି କହିଛନ୍ତି, ବିଶ୍ୱରେ ଶାନ୍ତି ଓ ସୁରକ୍ଷା ପାଇଁ ମିଳିତ ଜାତିସଂଘ ପକ୍ଷରୁ ପରିବେଶ ସଂରକ୍ଷଣ ଲାଗି ଦିଆଯାଉଥିବା ସହାୟତା ଉପରେ ଛାତ୍ରଛାତ୍ରୀ ସଚେତନ ହୁଅନ୍ତୁ। ଏହି ଅବସରରେ ଆୟୋଜିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଡ.ସାହୁ ବିଶ୍ୱରେ ନିରନ୍ତର ବିକାଶ ଉପରେ ଅନେକ ପ୍ରଶ୍ନର ଉତ୍ତର ରଖିଥିଲେ। ଏକ ଉନ୍ନତ ବିଶ୍ୱ ତିଆରି କରିବାରେ ଛାତ୍ରଛାତ୍ରୀଙ୍କ ଭୂମିକା ବିଷୟରେ କହିଥିଲେ।

କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ଡ. ଅଶୋକ କୁମାର ମହାପାତ୍ର, ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଛାତ୍ର ମଙ୍ଗଳ ଡିନ୍ ତଥା ସୋଆମୁନ୍‌ର ଆବାହକ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ସମ୍ମିଳନୀ ବିଷୟରେ ସୋଆମୁନ୍ର ସାଧାରଣ ସମ୍ପାଦକ ଆୟୁଷମାନ୍ ରାଏ କହିଥିବାବେଳେ ଡାଇରେକ୍ଟର ଜେନେରାଲ ସୁଭନ ଦେବନାଥ ଅତିଥିଙ୍କୁ ସ୍ୱାଗତ କରିଥିଲେ ।

Spread the love