ଶ୍ରୀମନ୍ଦିରକୁ ନେଇ ବିବାଦୀୟ ମନ୍ତବ୍ୟ; ଶୁଭଙ୍କରଙ୍କ ବିରୋଧରେ ଏତଲା

ପୁରୀ : ଲୋକପ୍ରିୟ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍‌ସର ଶୁଭଙ୍କର ମିଶ୍ରାଙ୍କ ପାଇଁ ଅଡୁଆ ବଢ଼ିଛି । ଶ୍ରୀମନ୍ଦିରକୁ ନେଇ ଦେଇଥିବା ବିବାଦୀୟ ଟିପ୍ପଣୀ ଲାଗି ରବିବାର ତାଙ୍କ ବିରୋଧରେ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି । ବରିଷ୍ଠ ସେବାୟତ ଗୌରହରି ପ୍ରଧାନ ଶୁଭଙ୍କରଙ୍କ ନାଁରେ ଏହି ଏତଲା ଦେଇଛନ୍ତି । ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଶୁଭଙ୍କର ଶ୍ରୀମନ୍ଦିର ଉପରେ ଦେଇଥିବା ବିବାଦୀୟ ଟିପ୍ପଣୀ ଭକ୍ତ, ଜଗନ୍ନାଥପ୍ରେମୀ ଏବଂ ସେବାୟତଙ୍କୁ ଆଘାତ ଦେଇଛି । ତୁରନ୍ତ ପୁରୀ ପୁଲିସ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏତଲାରେ ଦର୍ଶାଯାଇଛି । ଏ ସମ୍ପର୍କରେ ପୁରୀ ଏସ୍‌ପି ପ୍ରତୀକ୍ ସିଂ କହିଛନ୍ତି, ସେବାୟତଙ୍କ ପକ୍ଷରୁ ଥାନାରେ ଏକ ଏତଲା ଦିଆଯାଇଛି । ଘଟଣାର ଅଡିଓ, ଭିଡିଓ ସହିତ ଶ୍ରୀମନ୍ଦିର ପ୍ରଶାସନ ସହିତ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ । ଶ୍ରୀମନ୍ଦିର ପ୍ରସଙ୍ଗରେ ଯେଉଁ ବ୍ୟକ୍ତି ଭୁଲ୍ ତଥ୍ୟ ପ୍ରଦାନ କରିଥିବେ ସେମାନଙ୍କ ବିରୋଧରେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଶୁଭଙ୍କର ନିଜ ପଡ୍‌କାଷ୍ଟରେ କହିଛନ୍ତି ଯେ ଯଦି କୌଣସି ପ୍ରେମୀଯୁଗଳ ଶ୍ରୀମନ୍ଦିର ଯାଆନ୍ତି ତେବେ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଏ ବା ସେମାନେ ବିବାହ କରିପାରନ୍ତି ନାହିଁ । କାରଣ ଶ୍ରୀମନ୍ଦିର ଉପରେ ମା\’ ରାଧାରାଣୀଙ୍କ ଅଭିଶାପ ପଡ଼ିଛି । ମା\’ ରାଧାରାଣୀ ପ୍ରଭୁ ଜଗନ୍ନାଥ ରୂପରେ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବାକୁ ଆସିଥିବାବେଳେ ସେବାୟତମାନେ ତାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ବାରଣ କରିଥିଲେ । ଆଉ କହିଥିଲେ ମନ୍ଦିର ଭିତରକୁ ଭଗବାନଙ୍କ ପତ୍ନୀଙ୍କୁ ମଧ୍ୟ ଆସିବାର ଅନୁମତି ନାହିଁ । ଏଥିରେ କ୍ରୋଧିତ ହୋଇ ମା\’ ରାଧାରାଣୀ ଅଭିଶାପ ଦେଇଥିଲେ ଯେ, ଆଜିଠୁ କୌଣସି ଅବିବାହିତ ଯୋଡ଼ି ମନ୍ଦିର ଭିତରକୁ ଆସିଲେ ସେମାନଙ୍କର ସମ୍ପର୍କ ଭାଙ୍ଗିଯିବ ଏବଂ ବିବାହ ହୋଇପାରିବ ନାହିଁ । ଶୁଭଙ୍କରଙ୍କ ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ପ୍ରତି ଏଭଳି ଭୁଲ୍ ଉପସ୍ଥାପନକୁ ନେଇ ଜଗନ୍ନାଥପ୍ରେମୀ, ଗବେଷକ ଓ ସେବାୟତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Spread the love