ଦୂତାବାସ ଖୋଲା ଅଛି, କିନ୍ତୁ ସ୍ଥିତି ଅଶାନ୍ତ ଥିବାରୁ ଏଠାକୁ ଆସନି : ସୁଦାନରେ ଥିବା ଭାରତୀୟଙ୍କୁ ପରାମର୍ଶ

ନୂଆଦିଲ୍ଲୀ : ସୁଦାନରେ ଥିବା ଭାରତୀୟ ଦୂତାବାସ ଖୋଲା ରହିଛି ଏବଂ କାର୍ଯ୍ୟ କରୁଛି, କିନ୍ତୁ ଖାର୍ତୁମ୍ ସ୍ଥିତ ବିମାନବନ୍ଦର ନିକଟରେ ଥିବାରୁ ସେଠାରେ କୌଣସି କର୍ମଚାରୀ ରହୁନାହାନ୍ତି ବୋଲି ଭାରତ ସରକାର କହିଛନ୍ତି। ସୁଦାନୀ ସେନା ଓ ଆରଏସଏଫ ମଧ୍ୟରେ ଚାଲିଥିବା ଲଢେଇରେ ଏୟାରପୋର୍ଟ ନିକଟସ୍ଥ ଅଂଚଳକୁ ଟାର୍ଗେଟ କରାଯାଉଛି ।

ସୁଦାନରେ ଫସି ରହିଥିବା ଭାରତୀୟଙ୍କୁ ଦେଶର ରାଜଧାନୀ ଖାର୍ତୁମ୍ ରେ ଥିବା ଭାରତୀୟ ଦୂତାବାସକୁ ନଯିବାକୁ ସରକାର କହିଛନ୍ତି। ସୁଦାନର ସେନା ମୁଖ୍ୟ ଅବ୍ଦେଲ ଫତ୍ତାହ ଅଲ୍ ବୁରହାନ ଏବଂ ତାଙ୍କ ଡେପୁଟି ମହମ୍ମଦ ହମଦାନ ଡାଗ୍ଲୋଙ୍କ ଅନୁଗତ ସୁରକ୍ଷା ବାହିନୀ ମଧ୍ୟରେ ସଂଘର୍ଷ ଚାଲିଛି। ଆରଏସଏଫ ହେଉଛି ଏକ ଅର୍ଦ୍ଧସାମରିକ ଦ୍ରୁତ ବାହିନୀ ଏବଂ ଏହାର ନେତୃତ୍ୱ ଡାଗ୍ଲୋ ନେଉଛି ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ ଆଜି ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଦୂତାବାସ ଖୋଲା ଅଛି ଏବଂ କାର୍ଯ୍ୟ କରୁଛି କିନ୍ତୁ ଖାର୍ତୁମରେ ବିମାନବନ୍ଦର ନିକଟରେ ଦୂତାବାସର କୋଠା ଥିବାରୁ ସେଠାରେ କୌଣସି କର୍ମଚାରୀ ରହୁନାହାନ୍ତି। ସୁଦାନୀ ସେନା ଏବଂ ଆରଏସଏଫ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଛି ।

ବର୍ତ୍ତମାନ ପରିସ୍ଥିତିରେ ଆମେ ସେମାନଙ୍କୁ (ଭାରତୀୟମାନଙ୍କୁ) ପରାମର୍ଶ ଦେଉଛୁ ଏବଂ କହୁଛୁ କିପରି ସୁରକ୍ଷିତ ରହିବେ। ଦୂତାବାସ କାମ କରୁଛି, କିନ୍ତୁ ସେହି ଅଞ୍ଚଳରେ ପ୍ରବଳ ସଂଘର୍ଷ ଚାଲିଥିବାରୁ ଆମେ ଲୋକଙ୍କୁ ବ୍ୟକ୍ତିଗତ ଭାବେ ସେଠାକୁ ନଯିବାକୁ କହିଛୁ। ସେଠାରେ ଲୋକେ ରହୁନାହାନ୍ତି। ଦୂତାବାସ ଭିତରେ କେହି ନାହାନ୍ତି। ଯେଉଁମାନେ ଦୂତାବାସରେ କାମ କରନ୍ତି ସେମାନେ ନିଜ ଘରେ ରହି କାମ କରୁଛନ୍ତି ।

Spread the love