ବିଶ୍ବକପ୍ ୨୦୨୩ : ବାଲୁକା କଳାରେ ଭାରତୀୟ ଟିମ୍ କୁ ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ : ସୁପର ସନ୍ ଡେରେ ବିଗ୍ ଫାଇଟ୍ । ସାମ୍ନାସାମ୍ନି ହେବେ ‘ମେନ୍ ଇନ୍ ବ୍ଲୁ’ ଓ ‘କଙ୍ଗାରୁ ଟିମ୍’ । ଆଜି ବିଶ୍ବକପ୍ ଫାଇନାଲ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ । ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଏହି ଐତିହାସିକ ବିଶ୍ବକପ୍ ମ୍ୟାଚ୍ ଖେଳାଯିବ। ଦିନ ୨ଟାରେ ଏହି ମ୍ୟାଚ୍ ଖେଳାଯିବ। ଯାହାକୁ ଉତ୍ସଣ୍ଠାର ସହ ଅପେକ୍ଷା କରିଛି ସାରା ବିଶ୍ବ। ତେବେ ଫାଇନାଲ୍‌ ମୁକାବିଲା ପୂର୍ବରୁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ଏହିକ୍ରମରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଳୁକା କଳା ମାଧ୍ୟମରେ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ।

ଏହି ଅବସରରେ ବାଳୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି ଯେ, ଦେଶର କୋଣ ଅନୁକୋଣରୁ ଟିମ୍‌ ଇଣ୍ଡିଆ ପାଇଁ ଶୁଭେଚ୍ଛା ଆସୁଛି । ତେଣୁ ଆମେ ବି ଭାରତୀୟ ଟିମ୍‌କୁ ଫାଇନାଲ ମୁକାବିଲା ପୂର୍ବରୁ ଶୁଭେଚ୍ଛା ଜଣାଇଛି । ବାଲୁକା କଳା ମାଧ୍ୟମରେ ଟିମ୍‌ ଇଣ୍ଡିଆକୁ ଗୁଡ୍‌ ଲକ୍‌ କହିଛୁ । ଅହମ୍ମଦାବାଦ୍‌ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌କୁ ମଧ୍ୟ ବାଲୁକା କଳାରେ ଚିତ୍ରଣ କରିଛୁ ।

ବର୍ତ୍ତମାନ ସୁଦ୍ଧା ବିଶ୍ୱକପର ସମସ୍ତ ୧୦ ଟି ମ୍ୟାଚ୍ ରେ ଅପରାଜିତ ରହି ଭାରତୀୟ ଦଳର ମନୋବଳ ବେଶ୍ ଦୃଢ ରହିଛି । ଏପରିକି ଆଜିର ମ୍ୟାଚ୍ ହାତେଇ ବିଶ୍ୱ ବିଜେତାର ତିଲକ ଲଗାଇବା ସହ ୨୦ ବର୍ଷ ପୁରୁଣା ପ୍ରତିଶୋଧ ନେବାର ସୁଯୋଗ ପାଇଛି ଭାରତ । ଏଥର ବିଶ୍ୱକପ୍ ଜିତିଲେ ଭାରତର ଏହା ହେବ ତୃତୀୟ ବିଶ୍ୱକପ୍ । ତେବେ ଆଜିର ମ୍ୟାଚ୍ କୁ ନେଇ କଣ କହୁଛି ଗ୍ରହ ଗଣନା । ଏ ନେଇ ସୋସିଆଲ୍ ମିଡିଆ ଏବଂ ଇମ୍ଟରନେଟ୍ ରେ ଅନେକ ଆକଳନ କରାଯାଉଛି । ଏପରିକି କେତେକ ଜ୍ୟୋତିଷମାନଙ୍କ ଭବିଷ୍ୟଗଣନା ମଧ୍ୟ ସାମ୍ନାକୁ ଆସୁଛି । ନିଜ ମାଟିରେ କଙ୍ଗାରୁ ଦଳକୁ ହରାଇ ଭାରତ ତୃତୀୟ ଥର ପାଇଁ ବିଶ୍ୱ ବିଜେତା ହୋଇପାରିବ କି ନାହିଁ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

Spread the love