ସୁଧ ଟଙ୍କା ଦେଣନେଣକୁ ନେଇ ରକ୍ତାକ୍ତ ସଂଘର୍ଷ, ୩ ଗୁରୁତର

ଜଗତସିଂହପୁର ୨୯।୦୮: ସୁଧ ଟଙ୍କା ଦେଣନେଣକୁ ନେଇ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି । ଯାହାଫଳରେ ଉଭୟ ପରିବାରର ତିନିଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ଜଗନ୍ନାଥପୁର କୋକିପଦା ଗ୍ରାମରେ ଘଟିଛି ଏଭଳି ଘଟଣା ।

ଖବର ଅନୁଯାୟୀ, କୋକିପଦା ଗ୍ରାମର ପାର୍ବତୀ ମହାନ୍ତିଙ୍କ ଠାରୁ ପ୍ରତିମା ମହାନ୍ତି କିଛି ଟଙ୍କା ସୁଧକୁ ଆଣିଥିଲେ। ସୁଧ ଟଙ୍କା ନେଣଦେଣକୁ ନେଇ ଉଭୟ ପରିବାର ମଧ୍ୟରେ ବଚସା ସହ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଆକ୍ରମଣରେ କୋକିପଦା ଗ୍ରାମର ୬୫ବର୍ଷୀୟ ଧୀରେନ୍ଦ୍ର ମହାନ୍ତି ଓ ତାଙ୍କ ୬୦ବର୍ଷୀୟା ଭଉଣୀ ପ୍ରତିମା ମହାନ୍ତି ଗୁରୁତର ଆହତ ହୋଇଥିବା ବେଳେ ପ୍ରତିପକ୍ଷର ସଞ୍ଜୟ ମହାନ୍ତି ଗୁରୁତର ହୋଇଥିଲେ ।  ଚିକିତ୍ସା ପାଇଁ ସେମାନଙ୍କୁ ପ୍ରଥମେ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରାଯାଇଥିଲା । ପରେ ସେମାନେ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗୁରୁତର ଅବସ୍ଥାରେ ଆହତମାନେ ଚିକିତ୍ସିତ ହେଉଥିବା ବେଳେ ପୋଲିସ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନଥିବା ଜଣାପଡିଛି।

Spread the love