ଛୁଟି ନ ମିଳିବାରୁ ଆତ୍ମହତ୍ୟା
ଗଞ୍ଜାମ : ବର୍ଷେ ହେବ ଅଫିସରେ ଛୁଟି ନ ମିଳିବାରୁ ଆତ୍ମହତ୍ୟା କଲେ ଅଗ୍ନିଶମ କର୍ମଚାରୀ। ଗଞ୍ଜାମ ଗାଙ୍ଗପୁର ଥାନା ବୁଢ଼ାକେନ୍ଦୁ ଜଙ୍ଗଲରେ ଅଗ୍ନିଶମ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ କର୍ମଚାରୀ ଜଣକ କେନ୍ଦୁଝର ଜିଲ୍ଲାର ଦୟାନିଧୀ ମହନ୍ତ। ଆସ୍କା ଅଗ୍ନିଶମ କେନ୍ଦ୍ରରେ ଦୀର୍ଘ ୨୪ ବର୍ଷ ଧରି କାର୍ଯ୍ୟରତ ଥିଲେ ଦୟାନିଧୀ। ତାଙ୍କ ମୃତଦେହ ପାଖରୁ ସୁଇସାଇଡ୍ ନୋଟ୍ ଜବତ କରାଯାଇଛି । ସେଥିରେ ସେ ଉଲ୍ଲେଖ କରିଛନ୍ତି, ‘ଅଗ୍ନିଶମ ସେବା ସଂସ୍ଥାରେ ଗତ ୨୪ ବର୍ଷ ହେଲା କାମ କରୁଥିଲେ । ମୟୂରଭଞ୍ଜରେ ଥିବା ବେଳେ ତାଙ୍କ ବାପା, ମାଆଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବା ଜଣାଇ ପାଖାପାଖି ଅଗ୍ନିଶମ କେନ୍ଦ୍ରକୁ ବଦଳି ପାଇଁ କହିଥିଲି । ୧୫ ହଜାର ଟଙ୍କା ନଦେବାରୁ କନ୍ଧମାଳ ବଦଳି କରିଦିଆଗଲା । ଫଳରେ ବାପା, ମାଆଙ୍କ କଥା ବୁଝି ପାରିନଥିଲି । ଯାହାଫଲରେ ବାପାମାଆଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ମୋତେ ଆସିକାକୁ ବଦଳି କରାଯାଇଥିଲା । ତେବେ ଛୁଟି ନମିଳିବାରୁ ସ୍ତ୍ରୀ ଓ ପିଲାମାନଙ୍କୁ ୨ ବର୍ଷ ହେଲା ଦେଖି ନଥିଲେ । ଯାହାକୁ ନେଇ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା । ବାପାମାଆଙ୍କ ଦେଖାଶୁଣା କରିପାରିଲେନି ସେମାନେ ଚାଲିଗଲେ । ସ୍ତ୍ରୀ ମଧ୍ୟ ଦୂରେଇ ଗଲେ । ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରୁଛି ।’ଗତକାଲି ରାତିରେ ବୁଢାକେନ୍ଦୁ ରାସ୍ତା ଉପରେ ଅଗ୍ନିଶମ ଗାଡିଟି ରହିଥିବା ଦେଖିଥିଲେ ସ୍ଥାନୀୟ ଲୋକେ । ଆଜି ସକାଳୁ କର୍ମଚାରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି ଗାଙ୍ଗପୁର ପୋଲିସକୁ ଖବର ଦେଇଥିଲେ । ଗାଙ୍ଗପୁର ପୋଲିସ ଘଟଣାର ତଦନ୍ତ କରୁଛି । ଅନ୍ୟପଟେ ଆସିକା ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଛି ।