ଡାକ୍ତରଙ୍କ ପରିବାରରେ ବିଷ ପିଇ ୯ ଜଣ କଲେ ଆତ୍ମହତ୍ୟା

ମୁମ୍ୱାଇ : ମହାରାଷ୍ଟ୍ରର ସାଙ୍ଗଲୀ ଜିଲ୍ଲାରେ ଆଜି ଗୋଟିଏ ପରିବାରର ୯ ଜଣ ସଦସ୍ୟ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏପରି ଘଟଣା ମିରାଜ ତାଲୁକାର ମେହସଲରେ ଦେଖିବାକୁ ମିଳିଛି। ଡାକ୍ତର ମାଣିକ ୟେଲପ୍ପା ବନମୋର୍‌ଙ୍କ ପରିବାରରେ ଏପରି ଅଘଟଣ ଘଟିଛି। ଏହି ପରିବାର କାହିଁକି ଏପରି ଆତ୍ମହତ୍ୟା କରିଛନ୍ତି ତାର କାରଣ ସ୍ପଷ୍ଟ ହୋଇନାହିଁ। ପ୍ରାଥମିକ ତଦନ୍ତରେ ଆର୍ଥିକ କାରଣ ଯୋଗୁ ଏପରି ହୋଇଛି ବୋଲି କୁହାଯାଇଛି। ଆର୍ଥିକ ସମସ୍ୟା ପାଇଁ ସାରା ପରିବାର ଚିନ୍ତାରେ ଥିଲେ ସେଥିପାଇଁ ସମସ୍ତେ ଏକା ସାଙ୍ଗରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି।ମୃତକଙ୍କ ମଧ୍ୟରେ ଡାକ୍ତର ମାଣିକ ୟେଲପ୍ପା ବନମୋର୍‌, ଅକ୍କତାଇ ବନମୋର୍‌ (ମା), ରେଖା ମାଣିକ ବନମୋର୍‌ (ସ୍ତ୍ରୀ), ଆଦିତ୍ୟ ବନମୋର୍‌ (ପୁଅ), ପୋପଟ ୟେଲପ୍ପା ବନମୋର୍ (ଶିକ୍ଷକ), ଅର୍ଚ୍ଚନା ବନମୋର୍‌ (ସ୍ତ୍ରୀ), ସଙ୍ଗୀତା ବନମୋର୍‌ (ଝିଅ), ଶୁଭମ୍‌ ବନମୋର୍‌ (ପୁଅ), ଅଛନ୍ତି। ଏହି ଘଟଣା ମେହସଲ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହା ପରେ ଘଟଣା ସ୍ଥଳରେ ସ୍ଥାନୀୟ ଲୋକମାନଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ପୋଲିସ ସହିତ ଲୋକମାନଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ମିର୍ଜା ସରକାରୀ ଡାକ୍ତରଖାନାରେ ଶବଗୁଡ଼ିକ ବ୍ୟବଚ୍ଛେଦ କରାଯାଉଛି ବୋଲି ପୋଲିସ କହିଛି। ୯ ଜଣଙ୍କ ମଧ୍ୟରୁ ୩ଟି ମୃତଦେହ ଗୋଟିଏ ଜାଗାରୁ ମିଳିଥିଲା ଓ ଅନ୍ୟ ୬ଟି ମୃତଦେହ ଘରର ବିଭିନ୍ନ ଜାଗାରୁ ମିଳିଥିଲା। ମୃତକଙ୍କ ମଧ୍ୟରେ ୫ ଜଣ ପୁରୁଷ ଓ ୪ଜଣ ମହିଳା ଅଛନ୍ତି ବୋଲି ସାଙ୍ଗଲୀ ଜିଲ୍ଲାର ପୋଲିସ ଅଧିକ୍ଷକ ଦିକ୍ଷିତ ଗେଦମ କହିଛନ୍ତି।

Spread the love