ମା’ମାନଙ୍କ ହାତରେ ପରିବାରର ସୁରକ୍ଷା ଦାୟିତ୍ୱ, ସେମାନେ ଅସଲ କରୋନା ଯୋଦ୍ଧା: ସୁଜାତା କାର୍ତ୍ତିକେୟନ୍

ପ୍ରତି ମା’ ହେଉଛନ୍ତି କରୋନା ଯୋଦ୍ଧା । ମା’ମାନଙ୍କ ହାତରେ ତାଙ୍କର ପରିବାରର ସୁରକ୍ଷା ଦାୟିତ୍ୱ ରହିଛି । ତେଣୁ କୋଭିଡ-୧୯ ମୁକାବିଲା ସମୟରେ ମା’ ମାନଙ୍କୁ ଅଧିକ ସତର୍କ ଓ ସଚେତନ ରହିବାକୁ ପଡ଼ିବ । କରୋନା ଭାଇରସ ଯେପରି ଘରକୁ ନ ଆସିବ ସେଥିପାଇଁ ପରିବାର ଲୋକଙ୍କୁ ସବୁବେଳେ ପରାମର୍ଶ ଦେବାକୁ ପଡ଼ିବ ‌ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ୍ ପାଣ୍ଡିଆନ୍।

ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ କାର୍ତ୍ତିକେୟନ୍ କହିଛନ୍ତି, ମହିଳାମାନେ ରାଜ୍ୟ ବାହାରୁ ଆସୁଥିବା ସେମାନଙ୍କର ପୁଅ, ଭାଇ ଅଥବା ସଂପର୍କୀୟମାନଙ୍କୁ ଘରେ ପ୍ରବେଶ ନ ଦେଇ ସରକାରୀ ସଂଗରୋଗ କେନ୍ଦ୍ରକୁ ଯିବା ପାଇଁ ପରାମର୍ଶ ଦିଅନ୍ତୁ । କାରଣ ସେମାନେ ଘରକୁ ପ୍ରବେଶ କଲେ ଅନ୍ୟମାନଙ୍କୁ ସଂକ୍ରମଣ କରିବାର ଆଶଙ୍କା ରହିଛି ।

ସେହିପରି ମା’ମାନେ ନିଜର ପ୍ରିୟଜନଙ୍କୁ ଦେଖା କରିବା ପାଇଁ ସଂଗରୋଧ କେନ୍ଦ୍ରକୁ ଯାଆନ୍ତୁ ନାହିଁ । ପରିବାର ଲୋକଙ୍କୁ ମଧ୍ୟ ସେଠାକୁ ଯିବାକୁ ଦିଅନ୍ତୁ ନାହିଁ । ନିଜର ସଂପର୍କୀୟମାନଙ୍କୁ ଫୋନ କରି କହନ୍ତୁ, ସେମାନେ ଯେପରି ଲୁଚିକରି ଘରକୁ ନ ଆସିବେ । ସଂଗରୋଧ କେନ୍ଦ୍ରରେ ରାଜ୍ୟ ସରକାରଙ୍କ ନିୟମ ପାଳନ କରନ୍ତୁ । କାରଣ ବର୍ତ୍ତମାନର ସ୍ଥିତି ଭଲ ନ ଥିବାରୁ ପରିବାର ଅଥବା ସଂପର୍କୀୟ ଲୋକେ ସଂଗରୋଧ କେନ୍ଦ୍ରକୁ ନ ଆସିଲେ ଭଲ ।

Spread the love