ବିଧାନ ପରିଷଦ ପାଇଁ ୨୦୧୮ରୁ କେନ୍ଦ୍ରକୁ ଯାଇଛି ପ୍ରସ୍ତାବ: ବାଚସ୍ପତି

ବିଧାନ ପରିଷଦ ଗଠନ ନେଇ ଓଡିଶା ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ କୌଣସି ପ୍ରସ୍ତାବ ଯାଇନଥିବା ପ୍ରସଙ୍ଗ । ଏନେଇ ପ୍ରତିକ୍ରିୟା ରଖିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବିଧାନ ପରିଷଦ ପାଇଁ ୨୦୧୮ରୁ କେନ୍ଦ୍ରକୁ ପ୍ରସ୍ତାବ ଯାଇଛି । ବିଧାନସଭାରେ ସଙ୍କଳ୍ପ ପାରିତ ହେବା ପରେ 2018 ମସିହା ସେପ୍ଟେମ୍ବର 18ରେ କେନ୍ଦ୍ର ନିକଟକୁ ପ୍ରସ୍ତାବ ପଠାଯାଇଥିଲା । ରାଜ୍ୟସଭା ଓ ଲୋକସଭା ସେକ୍ରେଟାରୀଙ୍କ ପାଖକୁ ପ୍ରସ୍ତାବ ପଠାଯାଇଥିବା ବାଚସ୍ପତି କହିଛନ୍ତି ।

ଓଡ଼ିଶାରେ ବିଧାନ ପରିଷଦ ପାଇଁ 2015ରୁ ଚେଷ୍ଟା କରାଯାଉଛି । ଏନେଇ ବିଧାୟକ ନୃସିଂହ ସାହୁଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା । 2015 ଜାନୁୟାରୀ ୧୯ ତାରିଖରେ ଏହି କମିଟିର ପ୍ରଥମ ବୈଠକ ବସିଥିଲା । ବିଭିନ୍ନ ରାଜ୍ୟ ଗସ୍ତ ପରେ ଏହି ରିପୋର୍ଟ ରାଜ୍ୟ ସରକାରଙ୍କୁ ଦିଆଯାଇଥିଲା । 2018 ମସିହା ସେପ୍ଟେମ୍ବର 6ରେ ବିଧାନ ପରିଷଦ ସଂକଳ୍ପଟି ବିଧାନସଭାରେ ପାରିତ ହୋଇଥିଲା । ହେଲେ ପ୍ରସ୍ତାବ କେନ୍ଦ୍ରକୁ ଯାଇନଥିବା କୁହାଯିବା ରାଜ୍ୟବାସୀ ଏବଂ ରାଜ୍ୟ ସରକାରଙ୍କୁ ଚକିତ କରିଛି । ଏହା ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି ସୂର୍ଯ୍ୟ ନାରାୟଣ ପାତ୍ର ।

Spread the love