ସୁକାନ୍ତଙ୍କ ମୃତ୍ୟୁକୁ ମାସେ ପୂରିନି, ଆରପାରିରେ ୨ ବର୍ଷର ପୁଅ

ମୋ ସୁନାର ସଂସାର ଉପରେ କାହା ନଜର ଲାଗିଗଲା। ପ୍ରଥମେ ଭଗବାନ ମୋ ସ୍ୱାମୀକୁ ନେଇଗଲେ, ଏବେ ପୁଅକୁ ନେଇଗଲେ। ଭଗବାନ ବହୁତ ନିଷ୍ଠୁର। ଯେପରି ସବୁ ଦୁଃଖ ମୋ ଭାଗ୍ୟରେ ଲେଖି ଦେଇଛନ୍ତି। ମୁଁ କିପରି ବଞ୍ଚିବ? ଏ ଦୁନିଆରେ ମୋ ଆଉ କିଏ ଅଛି? ସତେ କି ଏଇ କଥା କହୁଛନ୍ତି କାନ୍ଦିକାନ୍ଦି ଗଡ଼ିଯାଉଥିବା ପୁତ୍ରହରା ମା’, ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍ ଧକ୍କାରେ ମୃତ୍ୟୁ ଘଟିଥିବା ସୁକାନ୍ତ ବେହେରାଙ୍କ ସ୍ତ୍ରୀ। ସୁକାନ୍ତଙ୍କ ମୃତ୍ୟୁକୁ ମାସେ ପୂରି ନାହିଁ। ଆଜି ସକାଳେ ସୁକାନ୍ତଙ୍କର ୨ ବର୍ଷର ପୁଅର ମୃତ୍ୟୁ ଘଟିଛି।  କିଛିଦିନ ତଳେ ସ୍ୱାମୀକୁ ହରାଇ ଧୈର୍ଯ୍ୟହରା ହୋଇ ପଡ଼ିଥିବା ସୁକାନ୍ତଙ୍କ ସ୍ତ୍ରୀ ପୁଅକୁ ହରାଇ ପାଗଳି ପରି ବ୍ୟବହାର କରୁଛନ୍ତି। ଯେପରି ସୁକାନ୍ତଙ୍କ ପରିବାର ଉପରେ କାହାର ନଜର ଲାଗିଯାଇଛି।

ଗତ ୧୦ ଦିନ ତଳେ କଟକ ଜିଲ୍ଲା ରାଜନଗର ଗାଁର ସୁକାନ୍ତ ବେହେରାଙ୍କ ୨ ବର୍ଷର ପୁଅ ଖେଳୁଥିବା ସମୟରେ ତାଙ୍କ ଉପରେ ଗରମ ପେଜ ପଡ଼ିଯାଇଥିଲା। ପରିବାର ଲୋକେ ପିଲାଟିକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ପିଲାଟି ଚିକିତ୍ସାଧୀନ ଥିବାବେଳେ ଆଜି ସକାଳେ ତାର ମୃତ୍ୟୁ ଘଟିଥିଲା। ଶିଶୁଟିର ଶରୀରର ପ୍ରାୟ ୩୬ ଭାଗ ପୋଡ଼ି ଯାଇଥିଲା। ସୂଚନାଯୋଗ୍ୟ, ନଭେମ୍ବର ୨୫ ତାରିଖରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍ ଧକ୍କାରେ ସୁକାନ୍ତଙ୍କ ମୃତ୍ୟୁ ଘଟିଥିଲା। ସୁକାନ୍ତଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଗୋଟେ ପୁଅ ଓ ଗୋଟେ ଝିଅର ବାପା ଥିଲେ ସୁକାନ୍ତ।

Spread the love