ସଜେଇ ହୋଇଥିଲା ବାସର ଶେଜ, ସୁକୁଟାକୁ ଉଠାଇନେଲେ ମାମୁଁ

ଭୁବନେଶ୍ୱର ୧୪।୦୩: ସରିଥିଲା ବାହାଘର । କାଲି ଥିଲା ଚଉଠି । ମାତ୍ର ତା ପୂର୍ବରୁ ବରକୁ ଉଠାଇ ଆଣିଲା ପୁଲିସ । ସାରା ରାତି ଫୁଲ ଶେଜ ବଦଳରେ ଥାନା ହାଜତରେ ସମୟ କଟିବାକୁ ବାଧ୍ୟ ହୋଇଥିଲା ବର । ରାଜଧାନୀ ଉପକଣ୍ଠରେ ଥିବା ଭରତପୁର ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଗିରଫ ହୋଇଥିବା ବରଙ୍କ ନାଁ ହେଲା ସୋମନାଥ ମହାପାତ୍ର ଓରଫ ସୁକୁଟା (୩୫) । ପୁଲିସ ତାଙ୍କୁ କୋର୍ଟଚାଲାଣ କରିଛି ।

ଖବର ଅନୁଯାୟୀ, ସୁକୁଟା ଭରତପୁର ବସ୍ତିରେ ଭଡାସୂତ୍ରରେ ରହୁଥିଲେ । ସୁକୁଟାଙ୍କର ଏକ ଚିକେନ ପକୋଡା ଦୋକାନ ରହିଛି । ସେ ୫ ବର୍ଷ ତଳେ କେନ୍ଦ୍ରାପଡାର ସୁକନ୍ୟା (ଛଦ୍ମନାମ)ଙ୍କୁ ବିବାହ କରିଥିଲେ । ତେବେ ଏହି ଦମ୍ପତିଙ୍କର କୌଣସି ସନ୍ତାନସନ୍ତତି ହୋଇ ନଥିଲା । ସୁକୁଟା ଏହାକୁ ନେଇ ସୁକନ୍ୟାଙ୍କ ସହ ସବୁବେଳେ ଝଗଡ଼ା କରୁଥିଲେ । ଅନେକ ସମୟରେ ସୁକନ୍ୟାଙ୍କୁ ମାରଧାର କରୁଥିଲେ । ଏଥିପାଇଁ ଘରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା । ଗତ ଦୁଇ ମାସ ତଳେ ସୁକନ୍ୟାଙ୍କୁ ଛାଡି଼ ସୁକୁଟା କୁଆଡେ ଗାୟବ ହୋଇଯାଇଥିଲେ । ତାଙ୍କର କୌଣସି ଖୋଜ ଖବର ମିଳିନଥିଲା । ତେବେ ଦୁଇ ମାସ ପରେ ସୁକୁଟା ହଠାତ ଭରତପୁରରେ ପହଞ୍ଚିଲେ । ସାଙ୍ଗରେ ଥିଲେ ଆଉ ଜଣେ ମହିଳା । ତାଙ୍କୁ ମନ୍ଦିରରେ ବିବାହ କରିଥିବା ସାହିପଡିଶାରେ କହି ବୁଲିଲେ । ସୁକନ୍ୟା ରହୁଥିବା ଘରକୁ ନଯାଇ ସେହି ଭରତପୁରରେ ଆଉ ଏକ ଘର ଭଡ଼ା ନେଇ ରହିଲେ । ସେହିଠାରେ ହିଁ ଆଉ ଥରେ ରୀତି ଅନୁସାରେ ବାହାଘରର ଆୟୋଜନ ହେଲା । ଭୋଜିଭାତ ବି ହେଲା । ବନ୍ଧୁ ବାନ୍ଧବ ଚର୍ଚ୍ଚା ସହିତ ବାହା ଘର ବି ସରିଲା ।

ତେବେ ସ୍ୱାମୀଙ୍କ ଦ୍ୱିତୀୟ ବିବାହ ଖବର ସୁକନ୍ୟାଙ୍କ କାନରେ ପଡ଼ିବା ପରେ ସେ ରବିବାର ସନ୍ଧ୍ୟାରେ ସିଧା ଯାଇ ଭରତପୁର ଥାନାରେ ହାଜର ହେଲେ । ଆଉ ପତିଦେବଙ୍କ ନାଁରେ ପୁଲିସକୁ ଧରାଇଥିଲେ ଲମ୍ବା ଚଉଡ଼ା ଅଭିଯୋଗ । ତାଙ୍କ ସ୍ୱାମୀ ସୁକୁଟା କିଛି ଦିନ ତଳେ ଗିରଫ ହୋଇ ଚର୍ଚ୍ଚାକୁ ଆସିଥିବା ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଭଳି ବିବାହ କରୁଥିବାର ଅଭିଯୋଗ ଆଣିଥିଲେ । ପୁଲିସ ତୁରନ୍ତ ଏକ ଟିମ୍‌ ସହ ସୁକୁଟା ରହୁଥିବା ଘରେ ପହଞ୍ଚିଥିଲା । ସୁକୁଟା ଚଉଠି ରାତି ବିତାଇବା ପୂର୍ବରୁ ପୁଲିସ ଭ୍ୟାନ୍‌ରେ ବସାଇ ତାଙ୍କୁ ଥାନାକୁ ଆଣିଥିଲା । ସେ କେବଳ ସୁକନ୍ୟା କି ଆଉ କାହାକୁ ସେହିଭଳି ଧୋକା ଦେଇଛନ୍ତି, ଏନେଇ ପଚରାଉଚରା ଚଳାଇଛି ।

Spread the love