ଓଡ଼ିଶାର ଏକମାତ୍ର ସମ୍ ହସପିଟାଲ୍‌ରେ ହେବ କୋଭିଡ-୧୯ ଭ୍ୟାକସିନ୍‌ର ପରୀକ୍ଷଣ

ଭୁବନେଶ୍ୱର, ୦୨/୦୭ : ଭାରତରେ ପ୍ରଥମ କୋଭିଡ଼-୧୯ ଭ୍ୟାକସିନର ମଣିଷ ଉପରେ ପ୍ରୟୋଗ ନିମନ୍ତେ ଓଡ଼ିଶାର  ଏକମାତ୍ର ପରୀକ୍ଷଣ କେନ୍ଦ୍ର ଭାବେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ
ସାଇନସେସ ଆଣ୍ଡ ସମ୍ ହସପିଟାଲ୍‌କୁ ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଦ୍ୱାରା ମନୋନୀତ
କରଯାଇଛି ।  ଏହି ବହୁ ପ୍ରତିକ୍ଷିତ ଭ୍ୟାକସିନ୍‌ର କ୍ଲିନିକାଲ୍ ଟ୍ରାଏଲ୍ ନିମନ୍ତେ ଓଡ଼ିଶାର ଏକମାତ୍ର ହସପିଟାଲ୍ ଭାବେ ଆଇଏମଏସ ଆଣ୍ଡ  ସମ୍ ହସପିଟାଲ ମନୋନୀତ ହୋଇଥିବା ବିଷୟରେ ଆଇସିଏମଆର ଆଜି ଜଣାଇଛି ।

ସେହିପରି ଓଡ଼ିଶାରେ କୋଭିଡ୍‌- ୧୯ରୋଗୀଙ୍କ ଚିକିତ୍ସା ନିମନ୍ତେ ପ୍ଲାଜ୍‌ମା ଥେରାପିର ପ୍ରୟୋଗ ନିମନ୍ତେ ମନୋନୀତ ହୋଇଥିବା ଚାରୋଟି ହସପିଟାଲ୍ ମଧ୍ୟରୁ  ସମ୍ ହସପିଟାଲ୍ ଅନ୍ୟତମ ।
ଭ୍ୟାକସିନ୍‌  ମଣିଷ ଉପରେ ପ୍ରୟୋଗ ନେଇ ପରୀକ୍ଷଣ କରିବାକୁ ନିଷ୍ପତି ନିଆଯାଇଥିବା ବେଳେ ଆଇସିଏମଆର ପକ୍ଷରୁ ସମ୍  ହସପିଟାଲ୍‌କୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି । ହସପିଟାଲ୍‌ର କମ୍ୟୁନିଟି ମେଡିସିନ ବିଭାଗର ପ୍ରଫେସର  ଇ. ଭେଙ୍କଟ ରାଓ ଏହାର ପ୍ରମୁଖ ପରୀକ୍ଷକ ଭାବେ ଦାୟିତ୍ୱ ତୁଲାଇବେ । ମଆଇସିଏମଆର – ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଭିରୋଲଜି, ପୁଣେ ଦ୍ୱାରା ପୃଥକ କରାଯାଇଥିବା ଏହି ଭାଇରସର  ଷ୍ଟ୍ରେନକୁ ନେଇ ଏହି ଚର୍ଚ୍ଚିତ ଭ୍ୟାକସିନ୍ ପ୍ରସ୍ତୁତ କରଯାଉଛି । ଆଇସିଏମଆର ଓ ଭାରତ ବାୟୋଟେକ ମିଳିତ ଭାବରେ ଏହି ଭ୍ୟାକସିନକୁ ପ୍ରସ୍ତୁତ କରୁଛନ୍ତି । ଡ୍ରଗ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆଙ୍କ ପକ୍ଷରୁ ଫେଜ-୧ ଏବଂ ଫେଜ-୨ରେ ମଣିଷ  ଉପରେ ଏହାର ପ୍ରୟୋଗ ନିମନ୍ତେ ଅନୁମତି ମିଳିସାରିଛି । ୧୬୦୦ ଶଯ୍ୟା ବିଶିଷ୍ଟ ଏବଂ ୪୦ଟି ବିଭାଗ ଥିବା ସମ ହସପିଟାଲ ହେଉଛି ଓଡ଼ିଶାର ଏକମାତ୍ର ଡାକ୍ତରୀ ଅନୁଷ୍ଠାନ  ଯାହା ଆଇସିଏମଆର ପକ୍ଷରୁ ଏହି ଭ୍ୟାକସିନ୍ ପରୀକ୍ଷଣ ନେଇ ମନୋନୀତ ହୋଇଥିବା ଦେଶର ୧୩ଟି ଅନୁଷ୍ଠାନ ମଧ୍ୟରେ ସ୍ଥାନ ପାଇଛି । ତେବେ ହସପିଟାଲ୍‌ର ଇନଷ୍ଟିଚ୍ୟୁସନାଲ ଏଥିକାଲ କମିଟିର ଅନୁମୋଦନ ଲାଭ କରିବା ପରେ ଏହି ପରୀକ୍ଷଣ  କରାଯିବ ।
ସେହିପରି ପ୍ଲାଜମା ଥେରାପି ମାଧ୍ୟମରେ କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ରକ୍ତରୁ ଆଂଟିବଡି ସଂଗ୍ରହ କରାଯାଇ
କୋଭିଡ-୧୯ ସଂକ୍ରମିତ ରୋଗୀଙ୍କ ଚିକିତ୍ସା କରାଯିବ । ହସପିଟାଲ୍‌ର ମେଡିସିନ ବିଭାଗର ପ୍ରଫେସର ଡ. ଚନ୍ଦନ ଦାସ ଏହି  ପ୍ଲାଜମା ଥେରାପିର ଦାୟିତ୍ୱ ତୁଲାଇବେ ।
“ଆମ ପାଖରେ ଆବଶ୍ୟକୀୟ ଯନ୍ତ୍ର ଏବଂ ପ୍ରଶିକ୍ଷିତ ମାନବ ସମ୍ବଳ ରହିଛି ଯାହାକି ତୁରନ୍ତ ପ୍ଲାଜମା ଥେରାପି ଆରମ୍ଭ  କରିବା ପାଇଁ ସାହାଯ୍ୟ କରିବ । ସମ୍ ହସପିଟାଲ୍‌ରେ ମେଡିକାଲ କାଉନସିଲ ଅଫ ଇଣ୍ଡିଆ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଟ୍ରାନ୍‌ସଫ୍ୟୁଜନ
ମେଡିସିନର ପୋଷ୍ଟ ଗ୍ରାଜୁଏଟ ବିଭାଗ ମଧ୍ୟ ରହିଛି’ ବୋଲି ସୂଚନା ଦେଇଛନ୍ତି ଟ୍ରାନସ୍‌ଫ୍ୟୁଜନ ମେଡିସିନ ବିଭାଗର  ଆସୋସିଏଟ ପ୍ରଫେସର ଡ. ଗିରିଜା ନନ୍ଦିନୀ କାନୁନଗୋ ।
ଆଇଏମଏସ ଆଣ୍ଡ ସମ୍ ହସପିଟାଲ୍ ପକ୍ଷରୁ କରୋନା ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ଭୁବନେଶ୍ୱର, କେନ୍ଦ୍ରାପଡା ଏବଂ
ତାଳଚେରରେ ତିନୋଟି କୋଭିଡ-୧୯ ହସପିଟାଲ ସ୍ଥାପିତ କରାଯାଇ ରୋଗୀଙ୍କ ଚିକିତ୍ସା ଜାରି ରହିଛି। ଆଇଇସିର ଅନୁମୋଦନ ପାଇବାପରେ ପ୍ଲାଜମା ଥେରାପି ପ୍ରକ୍ରିୟା ଆରମ୍ଭ କରାଯିବ । ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବକିଶୋର ଦାସଙ୍କ
ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଓଡ଼ିଶାରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜମା ଥେରାପି ଆରମ୍ଭ
କରାଯିବା ନେଇ ଆଜି ନିଷ୍ପତି ହୋଇଛି । ଏହି ବୈଠକରେ ସୋଆ କୂଳପତି ପ୍ରଫେସର (ଡା.) ଅଶୋକ କୁମାର ମହାପାତ୍ର  ଉପସ୍ଥିତ ଥିଲେ ।

Spread the love