ରେକର୍ଡ କଲା ସମ୍ କୋଭିଡ ହସ୍ପିଟାଲ : ୮୫ ବର୍ଷୀୟ କରୋନା ଆକ୍ରାନ୍ତ ବୃଦ୍ଧା ମାତ୍ର ୧୨ ଦିନରେ ହେଲେ ସୁସ୍ଥ

ଭୁବନେଶ୍ୱର, ୧୩/୦୫: ରାଜ୍ୟର ଅଗ୍ରଣୀ କୋଭିଡ ସମ୍ ହସ୍ପିଟାଲରେ ଜଣେ ୮୫ ବର୍ଷୀୟା ବୃଦ୍ଧା କୋଭିଡ-୧୯ ମହାମାରୀ ସହ ଲଢ଼ି ବିଜୟୀ ହେବା ଫଳରେ ଅନ୍ୟ ରୋଗୀମାନଙ୍କ ମନରେ ନୂତନ ଆଶା ସଂଚାର  ହୋଇଛି।ଯାଜପୁୁୁର ଜିଲ୍ଲାରୁ ଆସିଥିବା ଏହି ବୃଦ୍ଧା ଏଠାରେ ସମ୍ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଓ ୧୨ ଦିନ ଚିକିତ୍ସା ପରେ ସେ ସୁସ୍ଥ ହୋଇ ମଙ୍ଗଳବାର ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି ।

ଏହି ମହିଳାଙ୍କର ଓଜନ ଥିଲା ମାତ୍ର ୨୨ କେଜି। ହସପିଟାଲର ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀମାନେ ଅକ୍ଳାନ୍ତ ପରିଶ୍ରମ କରି ତାଙ୍କୁ ବଂଚାଇ ପାରିଛନ୍ତି ଓ ଏହା କୋଭିଡ-୧୯ ବିରୁଦ୍ଧରେ ଲଢ଼ୁଥିବା ଟିମ୍ ନିମନ୍ତେ ଏକ ପ୍ରେରଣାଦାୟୀ ଘଟଣା ହୋଇଛି। ମଙ୍ଗଳବାର  ସମ୍ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୧୪ ଜଣ କରୋନା ରୋଗୀଙ୍କୁ ସୁସ୍ଥ ଅବସ୍ଥାରେ ଡିସଚାର୍ଜ କରାଯାଇଛି। ଏମାନଙ୍କ ମଧ୍ୟରେ ଅଛନ୍ତି ୨ ଜଣ ୩ ବର୍ଷ ବୟସର ଶିଶୁ। ଏମାନେ ସମସ୍ତେ ଯାଜପୁର ଜିଲ୍ଲାର । କରୋନା ଆକ୍ରାନ୍ତ ହୋଇଥିବା ଜଣେ ୬୦ ବର୍ଷିୟ ମଧୁମେହ ରୋଗୀ ମଧ୍ୟ ସୁସ୍ଥ ହୋଇଛନ୍ତି । ସମ୍ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ହେବା ପରେ ସେ ଜାଣିଲେ ଯେ ତାଙ୍କର ମଧୁମେହ ସମସ୍ୟା ଅଛି। ତାଙ୍କର ମଧୂମେହ ସ୍ତର (ଖାଇବା ପୂର୍ବରୁ) ୪୦୦ ରୁ ଅଧିକ ଥିଲା। ଏବେ ସେ କରୋନା ମୁକ୍ତ ହେବା ସହ ମଧୁମେହ ସ୍ତର ମଧ୍ୟ କମି ୧୦୦ ତଳକୁ ଆସିଛି ।

ସୂଚନାଯୋଗ୍ୟ, କୋଭିଡ୍ ହସ୍ପିଟାଲରେ ୨୫ ଟି ଆଇସିୟୁ ଶଯ୍ୟା ସହ ୫୨୫ ଶଯ୍ୟା ରହିଛି। ଏହି ହସ୍ପିଟାଲ ସ୍ୱତନ୍ତ୍ର ଭାବେ ଏକ ଭିନ୍ନ କ୍ୟାମ୍ପସରେ କାର୍ଯ୍ୟ କରୁଛି। ହସ୍ପିଟାଲରେ ୮୨ ଜଣ ଡାକ୍ତର ମୁତୟନ ହୋଇଛନ୍ତି । ଏଥିରେ ଭେଷଜ, ଶିଶୁ, ନିଶ୍ଚେତକ, ପଲମୋନାରୀ ମେଡିସିନ, ଜେନେରାଲ ସର୍ଜରୀ, ଅସ୍ଥିଶଲ୍ୟ, ମାନସିକ, ଇଏନଟି ଓ ଚକ୍ଷୁ ବିଭାଗର ବିଶେଷଜ୍ଞ ରହିଛନ୍ତି। ଏହାଛଡା ହସ୍ପିଟାଲ ରେ ୨୬୪ ଜଣ ନର୍ସ ନିୟୋଜିତ ହୋଇଛନ୍ତି। କୋଭିଡ ହସ୍ପିଟାଲରେ ମୁତୟନ ହୋଇଥିବା ଡାକ୍ତର ମାନେ ୧୪ ଦିନ ଡ୍ୟୁଟି କରିବା ପରେ କ୍ୱାରେଂଟାଇନରେ ରହିବେ।

ପୁଣି ଆଉ ଏକ ୮୨ ଜଣିଆ ଦଳ ଡ୍ୟୁଟିକୁ ଆସିବେ। ତେବେ ଏହି ଡାକ୍ତର ମାନଙ୍କ ଛଡ଼ା ସମ୍ ହସ୍ପିଟାଲରେ ଥିବା ସମସ୍ତ ବିଭାଗର ମୁଖ୍ୟଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି। ଭିଡିଓ କନଫରେନ୍ସିଂ ଜରିଆରେ ଏହି ବରିଷ୍ଠ ଡାକ୍ତରମାନେ ଚିକିତ୍ସା ଏବଂ ଔଷଧ ନେଇ ପରାମର୍ଶ ଦେଉଛନ୍ତି। ଖାଲି ଚିକିତ୍ସା ନୁହେଁ, ପାଥୋଲଜିକାଲ ପରୀକ୍ଷା ଓ ଏକ୍ସରେ, ଅଲଟ୍ରାସାଉଣ୍ଡ ଓ ଇକୋ ପରୀକ୍ଷା ନିମନ୍ତେ ବ୍ୟବସ୍ଥା ଏହି ସ୍ୱତନ୍ତ୍ର ହସ୍ପିଟାଲରେ ରହିଛି। ହସ୍ପିଟାଲ ପରିସରରେ ସ୍ୱଚ୍ଛତାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ହସ୍ପିଟାଲ ଆଖପାଖ ଅଂଚଳକୁ ସବୁଦିନ ସାନିଟାଇଜ୍ କରାଯାଉଥିବା ବେଳେ ହସ୍ପିଟାଲ ଭିତରକୁ ପ୍ରତ୍ୟେକ ୬ ଘଂଟାରେ ଥରେ ସାନିଟାଇଜ କରାଯାଉଛି ।

Spread the love