ରାଜ୍ୟରେ କରୋନା ଭାଇରସର ଶୃଙ୍ଖଳାକୁ ଭାଙ୍ଗିବାରେ ସହାୟକ ହେବ ସମ୍ କୋଭିଡ-୧୯ ହସ୍ପିଟାଲ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀରୁ ଭିଡିଓ କନଫରେସନିଂ ଯୋଗେ ଭୁବନେଶ୍ୱର ସମରେ ଆୟୋଜିତ କୋଭିଡ-୧୯ ହସ୍ପିଟାଲର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବର୍ତମାନ ପରିସ୍ଥିତିରେ ଏହି ହସ୍ପିଟାଲ ରାଜ୍ୟରେ କରୋନା ଭାଇରସ ବିରୋଧରେ ଲଢ଼ି ଏହାର ଶୃଙ୍ଖଳାକୁ ଭାଙ୍ଗିବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ରେକର୍ଡ ସଂଖ୍ୟକ ସମୟରେ କୋଭିଡ-୧୯ ହସ୍ପିଟାଲର ପରିଚାଳନା ଏବଂ ଚିକିତ୍ସା ପାଇଁ ଉତ୍ସର୍ଗୀକୃତ ସୁବିଧା ଉପଲବ୍ଧ କରେଇବା ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ , କୋଲ ଇଣ୍ଡିଆ ଏବଂ ସମ୍ ହସ୍ପିଟାଲକୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ୫୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ ମାଗଣାରେ କରୋନା ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା ସୁବିଧା ଉପଲବ୍ଧ କରିବା ସହ ମାଗଣାରେ ରହିବା ଓ ଖାଇବା ମଧ୍ୟ ଯୋଗାଇବ । କରୋନା ବିରୋଧୀ ଲଢ଼େଇରେ ଓଡ଼ିଶା ପ୍ରଶାସନର ନିଷ୍ଠାପର ଉଦ୍ୟମ ପ୍ରଶଂସନୀୟ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ, ଏହି ମହାମାରୀକୁ ସାମ୍ନା କରିବା ତଥା ଲଢ଼ିବାରେ ଓଡ଼ିଶା ନେତୃତ୍ୱ ନେଉଅଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେନୃତ୍ୱରେ ଭାରତ ସରକାର ଏହି ବିଶ୍ୱ ସ୍ୱାସ୍ଥ୍ୟ ସଂକଟ ସମୟରେ ରାଜ୍ୟ ସରକାରଙ୍କ ସହ ମିଶି କାମ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଏକାଠୀ ହୋଇ ଆମେ ଶତ୍ରୁ ବିପକ୍ଷରେ ଏହି ଯୁଦ୍ଧ ଜିତିପାରିବା ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଓଡ଼ିଶା ଜାତି କଳିଙ୍ଗ ଯୁଦ୍ଧ ଓ ନଅଙ୍କ ଦୁର୍ଭିକ୍ଷ ଭଳି ଚ୍ୟାଲେଞ୍ଜକୁ ସାମ୍ନାକୁ କରିଛି । ସେହିଭଳି ବିଶ୍ୱ ମାନବଜାତିକୁ ଦୋହଲାଇ ଦେଇଥିବା କରୋନା ମହାମାରୀକୁ ମଧ୍ୟ ସମସ୍ତଙ୍କ ସହଯୋଗରେ ସାମ୍ନା କରିବା ସମସ୍ତଙ୍କ ଦାୟିତ୍ୱ । ତେଣୁ ଦଳ, ମତ ନିର୍ବିଶେଷରେ ସମସ୍ତ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ତଥଶ ପ୍ରଶାସନର ନିର୍ଦ୍ଦେଶକୁ ପାଳନ କରିବା, ସାମାଜିକ ଦୂରତାକୁ ଅବଲମ୍ବନ କରିବା ସହ ଘରେ ରହିବା ପାଇଁ ଲୋକଙ୍କୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି । ଏହି ସଙ୍କଟ ସମୟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିବା ନେଇ ଶ୍ରୀ ପ୍ରଧାନ କାମନା କରିଛନ୍ତି ।

Spread the love