ସମ୍ ନ୍ୟୁରୋ ସର୍ଜନଙ୍କ ଜଟିଳ ଅସ୍ତ୍ରୋପଚାର – ମହିଳାଙ୍କ ମସ୍ତିଷ୍କରୁ ଏକ ସଙ୍ଗରେ ବାହାରିଲା ୫୦୦ ଗ୍ରାମ ଓଜନର ଏକାଧିକ ଟ୍ୟୁମର

ଭୁବନେଶ୍ୱର : ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲର ନ୍ୟୁରୋ ସର୍ଜନଙ୍କ ଦ୍ୱାରା ଏକ ସଫଳ ଅସ୍ତ୍ରୋପଚାର ଦ୍ୱାରା ଜଣେ ୩୦ ବର୍ଷିୟା ମହିଳାଙ୍କର ମସ୍ତିଷ୍କରୁ ଏକ ସଙ୍ଗେ ୫୦୦ ଗ୍ରାମର ଏକାଧିକ ଟ୍ୟୁମର ବାହାର କରାଯାଇପାରିଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଂଚଳର ଏହି ମହିଳା ଜଣକ ମୁଣ୍ଡ ବିନ୍ଧା, କ୍ଷୀଣ ଦୃଷ୍ଟି ଶକ୍ତି ଓ ବାନ୍ତି ଭଳି ସମସ୍ୟା ନେଇ ସମ୍ ହସ୍ପିଟାଲକୁ ଆସିଥିଲେ । ସମ୍‌ରେ ପ୍ରଥମେ ନ୍ୟୁରୋଲଜି ବିଭାଗର ମୁଖ୍ୟ ପ୍ରଫେସର  ସାହୁ ତାଙ୍କର ଚିକିତ୍ସା କରିଥିଲେ। ବିଭିନ୍ନ ପରୀକ୍ଷା ନିରୀକ୍ଷା ଏବଂ ଏମଆରଆଇ ପରେ ତାଙ୍କ ମସ୍ତିଷ୍କରେ ବିଭିନ୍ନ ଆକାରର ୪-୫ ଟି
ଟ୍ୟୁମର ଥିବାର ଜଣା ପଡ଼ିଥିଲା । ଏହା ଦ୍ୱାରା ମସ୍ତିଷ୍କରେ ଚାପ ପଡୁଥିଲା, ତାଙ୍କର ଦୃଷ୍ଟି ଶକ୍ତି ମଧ୍ୟ କମି ଆସୁଥିଲା ଓ ଜୀବନ ପ୍ରତି ବିପଦ ଥିଲା। ତେଣୁ ଅପରେସନ ମାଧ୍ୟମରେ ଟ୍ୟୁମରଟିକୁ କାଢ଼ିବାର ନିଷ୍ପତି ନିଆଯାଇଥିଲ ।
ଯେହେତୁ ତାଙ୍କର ମସ୍ତିଷ୍କରେ ଏକାଧିକ ଟ୍ୟୁମର ଥିଲା ଅସ୍ତ୍ରୋପଚାର ଆହ୍ୱାନପୂର୍ଣ୍ଣ ଥିଲା। ଟ୍ୟୁମର ଗୁଡିକୁ ଗୋଟିଏ ଥରରେ ବାହାର କରିବା, ଏହି ସମୟରେ ରକ୍ତସ୍ରାବ ହେବା, ଶରୀରର କୌଣସି ଅଙ୍ଗ ଅକାମୀ ହେବା କିମ୍ବା ରୋଗୀର ମାନସିକ ଅବସ୍ଥାରେ ଚାପ ପଡ଼ିବା ଭଳି ଚ୍ୟାଲେଞ୍ଜ୍ ରହିଥିଲା । କିନ୍ତୁ ଏହି ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ଏକା ସାଙ୍ଗରେ ଗୋଟିଏ ଅସ୍ତ୍ରୋପଚାର କରି ସମସ୍ତ ଟ୍ୟୁମର ବାହାର କରିବାର ନିଷ୍ପତି ନିଆଯାଇଥିଲା ବୋଲି ନ୍ୟୁରୋ ସର୍ଜନ ପ୍ରଫେସର ସୌଭାଗ୍ୟ ପାଣିଗ୍ରାହୀ କହିଛନ୍ତି।
ଏହି ସମସ୍ୟାକୁ ମଲ୍ଟିପୁଲ ମେନିନ୍‌ଜିଓମୋ କୁହାଯାଏ ଏବଂ ଏହାର ଅସ୍ତ୍ରୋପଚାରକୁ କ୍ରାନିଓଟୋମି ଆଣ୍ଡ ଟ୍ୟୁମର ରିମୁଭାଲ ବୋଲି କୁହାଯାଇଥାଏ । ଏହି ସର୍ଜରୀ ପାଇଁ ୪ ରୁ ୫ ଘଂଟା ସମୟ ଲାଗିଥିଲା ଓ ସଫଳତାର ସହ ଟ୍ୟୁମର ଗୁଡିକୁ ବାହାର କରାଯାଇଥିଲା। ଏହିସର୍ଜରୀ ପ୍ରଫେସର ପାଣିଗ୍ରାହୀଙ୍କ ନେତୃତ୍ୱରେ କରାଯାଇଥିଲା ଓ ଆନାସ୍ଥେସିଷ୍ଟ ପ୍ରଫେସର ରଞ୍ଜିତା ଆଚାର୍ଯ୍ୟ ଏବଂ ଡ଼ାକ୍ତର ସୁଦୀପ ମହାପାତ୍ର ମଧ୍ୟ ଏଥିରେ ସାମିଲ ହୋଇଥିଲେ। ରୋଗୀଟି ଆଇସିୟୁରେ ରହିବା ସମୟରେ ନ୍ୟୁରୋ ଇଂଟେନସିଭିଷ୍ଟ ଡ଼ାକ୍ତର ଈଶ୍ୱର ଚନ୍ଦ୍ର୍ର ବେହେରା ସମସ୍ତ ଚିକିତ୍ସା କରିଥିଲେ। ଏହିମହିଳା ରୋଗୀଙ୍କର ଏକବର୍ଷର ଶିଶୁଟିଏ ଥିବାବେଳେ ତାଙ୍କ ସ୍ୱାମୀ ମଧ୍ୟ ଦୃଷ୍ଟିହୀନ। ତେଣୁ ଆର୍ଥିକ ଭାବେ ସ୍ୱଚ୍ଛଳ ନଥିବା ଏହି ରୋଗୀଙ୍କର ବିଏସକେୱାଇ ଯୋଜନାରେ ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Spread the love