ସମ୍ ଅଲଟିମେଟ୍ ମେଡିକେୟାରରେ ବ୍ଲାକ୍ ଫଙ୍ଗସ୍‌ ରୋଗୀଙ୍କ ସଫଳ ଚିକିତ୍ସା

ଭୁବନେଶ୍ୱର ୦୧।୦୬: କୋଭିଡ୍ -୧୯ର ଦ୍ଵିତୀୟ ଲହର ନଥମୁଣୁ ସମଗ୍ର ଦେଶରେ ବ୍ଲାକ ଫଙ୍ଗସ୍ ଲୋକଙ୍କ ଚିନ୍ତା ବଢାଇ ଦେଇଛି। ଅନେକ ରାଜ୍ୟରେ ହଜାର ସଂଖ୍ୟାରେ ଲୋକ ଚିହ୍ନଟ ହେଉଛନ୍ତି। ସବୁଠୁ ବଡ ଚିନ୍ତାର ବିଷୟ ବ୍ଲାକ ଫଙ୍ଗସ୍‌ରେ ସଂକ୍ରମିତଙ୍କ ଜୀବନ ଚାଲିଯିବାର ସମ୍ଭାବନା ଅଧିକ ରହିଥାଏ। କାରଣ ଏହା କୋଭିଡ୍-୧୯ଠୁ ଅଧିକ ମାରାତ୍ମକ। ଆମ ରାଜ୍ୟରେ ଏ ଯାଏଁ ୨୫ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି। ହେଲେ ଆଶ୍ଵସ୍ତିକର କଥା ଭୁବନେଶ୍ଵର ସ୍ଥିତ ସମ ଅଲଟିମେଟ୍ ମେଡିକେୟାରରେ ଜଣେ ବ୍ଲାକ ଫଙ୍ଗସ୍‌ ରୋଗୀଙ୍କ ସଫଳ ଚିକିତ୍ସା କରାଯାଇଛି। ବ୍ଲାକ ଫଙ୍ଗସରେ ପୀଡିତ ଜଣେ ୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ସମ ଅଲ୍ଟିମେଟ ମେଡିକେୟାରରେ ସଫଳ ଚିକିତ୍ସିତ ହୋଇଛନ୍ତି। ଡାକ୍ତରମାନେ ରୋଗୀଙ୍କ ସର୍ଜିକାଲ ଚିକିତ୍ସା କରିବାରେ ସଫଳ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାର ଏହି ବ୍ୟକ୍ତି କୋଭିଡ -୧୯ରେ ସଂକ୍ରମିତ ହୋଇଥିଲେ ଏବଂ୧୦ ଦିନ ସମ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ପରେ ଡିସଚାର୍ଜ ହୋଇଥିଲେ। ସେ ଜଣେ ମଧୁମେହ ରୋଗୀ ଥିଲେ। ତାଙ୍କର ଶ୍ୱାସକ୍ରିୟାର ସମସ୍ୟା ପାଇଁ ଷ୍ଟେରଏଡ ସହିତ ଚିକିତ୍ସା କରାଯାଇଥିଲା।

ହେଲେ ଡିସଚାର୍ଜ ହେବାର ପାଞ୍ଚ ଦିନ ପରେ ତାଙ୍କ ସ୍ଵାସ୍ଥ୍ୟ ବିଗିଡିବାରେ ଲାଗିଥିଲ। ମୁହଁର ବାମ ପାର୍ଶ୍ୱରେ ଫୁଲିବା ସହ  ଆଖିରେ ଏଡିମା ବୃଦ୍ଧି ହୋଇ ଆଖି ବନ୍ଦ ହୋଇ ଯାଇଥିଲା। ଏହା ପରେ ରୋଗୀଙ୍କୁ ସମ ଅଲଟିମେଟ୍ ମେଡକେୟାରରେ ଭର୍ତ୍ତି କରାଯାଇଥିଲା। ଇଏନଟି ଏବଂ ଖପୁରୀ ବେସ୍ ସର୍ଜରୀର ମୁଖ୍ୟ ଡକ୍ଟର ରାଧାମାଧବ ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ତୁରନ୍ତ ରୋଗୀଙ୍କ ନାସାଲ୍ ଏଣ୍ଡୋସ୍କୋପି କରିଥିଲେ ଏବଂ ଫଙ୍ଗଲ୍ ଦାଗ ଏବଂ ନମୁନାର ଯାଞ୍ଚ କରିଥିଲେ। ରିପୋର୍ଟରେ ମ୍ୟୁକର୍ମାଇକୋସିସ୍ (ବ୍ଲାକ ଫଙ୍ଗସ୍)ର ପ୍ରମାଣ ମିଳିବା ପରେ ଡାକ୍ତର ସାହୁ ତୁରନ୍ତ ରୋଗୀଙ୍କ ଅଧିକ ପରୀକ୍ଷା କରିବାକୁ ଟିମ୍‌ଙ୍କୁ କହିଥିଲେ।  ରୋଗୀର ଚିକିତ୍ସା ପାଇଁ ଉପଯୁକ୍ତ ଔଷଧ (ଲିପୋସୋମାଲ୍ ଆମ୍ଫୋଟେରାଇସିନ୍ ବି) ବଜାରରେ ଉପଲବ୍ଧ ନ ଥିବାରୁ ପାରମ୍ପରିକ ଆମ୍ଫୋଟେରାଇସିନ୍ ବି ଦିଆଯିବା ସହ ଅସ୍ତ୍ରୋପଚାର ଯୋଜନା କରାଯାଇଥିଲା ବୋଲି ଡାକ୍ତର ସାହୁ କହିଛନ୍ତି।

ରୋଗୀଙ୍କ ଫୁଲିଥିବା ଆଖିରେ ଆଣ୍ଟିଫଙ୍ଗାଲ୍ ଥେରାପି ସହ ନିୟମିତ ଏଣ୍ଡୋସ୍କୋପିକ୍ ମୂଲ୍ୟାଙ୍କନ କରିବା ପରେ ରୋଗୀ ଠିକ୍‌ ଭାବେ ଦେଖି ପାରିଥିଲେ। ସୁସ୍ଥ ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି।  ଡକ୍ଟର ସାହୁ କହିଛନ୍ତି ଯେ ବ୍ଲାକ ଫଙ୍ଗସରେ ମୃତ୍ୟୁ ହାର ବହୁତ ଅଧିକ  ରହିଛି। ଠିକ ସମୟରେ ନିରାକରଣ ଏବଂ ଆରମ୍ଭରୁ ରୋଗକୁ ଚିହ୍ନଟ କରି ଚିକିତ୍ସା କଲେ ଜୀବନ ରକ୍ଷା ହୋଇପାରେ। ଆଉ ଦୁଇ ଜଣଙ୍କ ଅବସ୍ଥା ଆକଳନ କରାଯାଉଥିବା ବେଳେ ଡାକ୍ତରଖାନାରେ ଏ ପର୍ଯ୍ୟନ୍ତ ପାଞ୍ଚଜଣ ରୋଗୀଙ୍କୁ ସଫଳତାର ସହ ଚିକିତ୍ସା କରାଯାଇଥିବା ସେ କହିଛନ୍ତି। ଚିକିତ୍ସା କରିଥିବା ଟିମ୍‌ରେ ଡାକ୍ତର ରାଧାମାଧବ ସାହୁ (ENT & Skull Base Surgery), ଡକ୍ଟର ଅଖିଳ କୁମାର ପଣ୍ଡା (ସ୍ନାୟୁବିଜ୍ଞାନ), ଡ. ସ୍ଵାତୀ ସାମନ୍ତ (ଚକ୍ଷୁ ଚିକିତ୍ସା), ଡକ୍ଟର ଅଭୟ କୁମାର ସାହୁ (ଏଣ୍ଡୋକ୍ରିନୋଲୋଜି), ଡ. ପୁରବୀ ବରାଲ (ମାଇକ୍ରୋବାୟୋଲୋଜି), ଡ. ସୁବାସିସ୍ ମହାନ୍ତି (ପାଥୋଲୋଜି), ଡକ୍ଟର ଗୋଲାକ ପାସା (ରେଡିଓଲୋଜି) ଏବଂ ଡ. ଦୀପଙ୍କର ପଢିହାରୀ ସାମିଲ।

Spread the love