୧୨ ମାସ ଶିଶୁର ଖାଦ୍ୟନଳୀରୁ ସେଫ୍ଟିପିନ୍ ବାହାର କଲେ ସମ୍ ଅଲ୍ଟିମେଟ୍‌ର ସର୍ଜନ

ଭୁବନେଶ୍ୱର,୧୦/୧୨ : ଏକ ବର୍ଷ ଶିଶୁର ଖାଦ୍ୟନଳୀରୁ ଗୋଟିଏ ଖୋଲା ସେଫ୍ଟିପିନ୍ ବାହାରକରି ପିଲାଟିର ଜୀବନ ବଂଚାଇବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତର। ଏକ ବର୍ଷର ଶିଶୁର ଅୟାଂଶ କୁମାର ରାଉତର ପରିବାରବର୍ଗ ତା’ର ପ୍ରଥମ ଜନ୍ମଦିନ ପାଳନ କରିବାରେ ବ୍ୟସ୍ତ ରହିଥିବା ବେଳେ ଶିଶୁଟି ଗୋଟିଏ ଖୋଲା ସେଫ୍ଟିପିନ୍ ଗିଳି ଦେଇଥିଲା। ଏ ବିଷୟରେ ଅବଗତ ନ ଥିବା ତା’ର ପରିବାର ଲୋକେ ତାକୁ ଜୋର ଜବରଦସ୍ତ ଖାଦ୍ୟ ମଧ୍ୟ ଖୁଆଇଥିଲେ। ତେବେ ଯେତେବେଳେ ପିଲାଟିର କାଶ ଆରମ୍ଭହେଲା ଓ ସେ କାନ୍ଦିବାରେ ଲାଗିଲା ସେତେବେଳେ ବ୍ୟସ୍ତ ହୋଇ ତା’ ଅଭିଭାବକ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ। ଏକ୍ସରେ କରିବାପରେ ତା’ର ଖାଦ୍ୟନଳୀରେ ଖୋଲା ସେଫ୍ଟିପିନ୍‌ଟି ଅଟକିଥିବାର ଜଣାପଡ଼ିଥିଲା। ଏହାପରେ ତୁରନ୍ତ ତାକୁ ସମ୍  ଅଲ୍ଟିମେଟ୍ ମେଡିକେୟାରରେ ଭର୍ତି କରାଯାଇଥିଲା ।

ସମ୍ ଅଲ୍ଟିମେଟ୍ ମେଡିକେୟାରର ଇଏନ୍‌ଟି ଆଣ୍ଡ ସ୍କଲବେସ୍ ସର୍ଜରୀ ମୁଖ୍ୟ ଡା. ରାଧାମାଧବ ସାହୁ ତରୁନ୍ତ ଶିଶୁଟିର ପରୀକ୍ଷା କରିବା ସହ କାଳବିଳମ୍ବ ନ କରି ସେଫ୍ଟିପିନ୍‌ଟିକୁ କାଢ଼ିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଦେଇଥିଲେ। କୌଣସି ପ୍ରକାର ଦାଗ ସୃଷ୍ଟି ନ କରି ମିନିମାଲ୍ ଇନ୍‌ଭୋସିଭ୍ ସର୍ଜରୀ ପ୍ରକ୍ରିୟାରେ ସେଫ୍ଟିପିନ୍‌ଟିକୁ କାଢ଼ିବାରେ ସଫଳ ହୋଇଥିଲେ। ଏହି ପ୍ରକ୍ରିୟାକୁ ସୁଚାରୁରୂପେ ସଂପାଦନ କରିବା ନେଇ ସମ୍ମମ୍‌ର ଆନେସ୍‌ଥେସିଆ ବିଭାଗର ସିନିୟର୍ କନ୍‌ସଲ୍‌ଟାଂଟ  ଡା. ଦୀପଙ୍କର ପଢ଼ିହାରୀଙ୍କର ମଧ୍ୟ ଏକ ବଡ ଭୂମିକା ରହିଥିଲା। ଦୁଇ ଦିନ ଅବ୍‌ଜରଭେସନ୍‌ରେ ରଖିବା ପରେ ଶିଶୁଟିକୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଥିଲା। ପିଲାମାନଙ୍କଠାରୁ ଏଭଳି ଜିନିଷକୁ କିଭଳି ଦୂରେଇ ରଖିବେ ସେ ନେଇ ବାପା ମା’ଙ୍କୁ ହସ୍ପିଟାଲ୍ ପକ୍ଷରୁ ବୁଝାଇ ଦିଆଯାଇଥିଲା ।

ଗୋଟିଏ ଖୋଲା ସେଫ୍ଟିପିନ୍ ଖାଦ୍ୟନଳୀ କିମ୍ବା ପାକସ୍ଥଳୀକୁ ଚାଲିଯାଇଥିଲେ ଅପରେସନ୍ ଜରିଆରେ ଏହାକୁ ବାହାର  କରିବା ଏକ ବଡ ଚ୍ୟାଲେଞ୍ଜ ଏବଂ ଶିଶୁମାନଙ୍କ କ୍ଷେତ୍ରରେ ଏହା ବେଶ ବିପଦଜନକ ବୋଲି ଡା. ସାହୁ କହିଛନ୍ତି । ଏହି ଘଟଣାରେ ସେଫ୍ଟିପିନ୍‌ର ମୁନିଆ ଭାଗଟି ହାଇପୋଫାରିନକ୍ସକୁ ଫୁଟାଇ କମନ୍ କ୍ୟାରୋଟିଡ୍ ଆର୍ଟେରୀକୁ ସ୍ପର୍ଶ କରୁଥିଲା। ଏହି ପ୍ରକ୍ରିୟାରେ ସାମାନ୍ୟ ତ୍ରୁଟି ହୋଇଥିଲେ ଅତ୍ୟଧିକ ରକ୍ତସ୍ରାବ ହେବାର ସମ୍ଭାବନା ରହିଥିଲା। ଡା. ସାହୁ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ବିଗତ ଦିନରେ ଏଭଳି ଅନେକ ଜଟିଳ ପ୍ରକ୍ରିୟାରେ ଶିଶୁମାନଙ୍କ ଜୀବନ ବଂଚାଇବାରେ ସଫଳ ହୋଇଛନ୍ତି ।

Spread the love