ଆରପାରିରେ ମରାଠୀ ଫିଲ୍ମ ନିର୍ମାତା ସୁମିତ୍ରା ଭାବେ

ଜଣାଶୁଣା ମରାଠୀ ଫିଲ୍ମ ନିର୍ମାତା ସୁମିତ୍ରା ଭାବେଙ୍କ ଆଜି ସକାଳେ ଦେହାନ୍ତ ହୋଇଛି । ଦୀର୍ଘ ଦିନର ଅସୁସ୍ଥତା ପରେ ସେ ପୁନେର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସୁମିତ୍ରା ଭାବେଙ୍କ ଦେହାନ୍ତ ଖବରରେ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି । ତାଙ୍କ ପରିବାର ସଦସ୍ୟ ଏ ବିଷୟରେ ସୂଚନା ଦେଇଛନ୍ତି । ସୁମିତ୍ରା ଭାବେଙ୍କୁ ୭୮ ବର୍ଷ ବୟସ ହୋଇଥିଲା ଏବଂ ସେ ଇଣ୍ଡଷ୍ଟ୍ରିକୁ ଏକରୁ ଅଧିକ ହିଟ୍ ଫିଲ୍ମ ଦେଇଛନ୍ତି । କୁହାଯାଉଛି ଯେ ଫୁସଫୁସରେ ତାଙ୍କର ଇନଫେକ୍ସନ୍ ସମସ୍ୟା ଥିଲା । ତେଣୁ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।ସୁମିତ୍ରା ଭାବେଙ୍କ ସହ ଅନେକ ଫିଲ୍ମ ପ୍ରୋଜେକ୍ଟରେ କାମ କରିଥିବା ସୁନୀଲ ସୁକାନ୍ତକର କହିଛନ୍ତି ଯେ ତାଙ୍କର ସାହିଦ୍ରି ଡାକ୍ତରଖାନାରେ ଫୁସଫୁସ ଇନଫେକ୍ସନ୍ ପାଇଁ ଚିକିତ୍ସା ଚାଲିଥିଲା । କୋଭିଡ୍ ଟେଷ୍ଟ ରିପୋର୍ଟ ମଧ୍ୟ ନେଗେଟିଭ୍ ଆସିଥିଲା ​​। ତାଙ୍କର ଇନଫେକ୍ସନ୍ ଅଧିକ ବଢି ଯାଇଥିଲା ଏବଂ ପରେ ତାଙ୍କୁ ଗତ ୧୦ ଦିନ ହେବ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ କିଛି ସମୟ ପୂର୍ବରୁ ଏକ ପ୍ରୋଜେକ୍ଟରେ କାମ କରୁଥିଲେ, ଜାନୁଆରୀ ମାସରୁ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଥିଲା ।ଫିଲ୍ମ ନିର୍ଦ୍ଦେଶକ ତଥା ସ୍କ୍ରିପ୍ଟ ଲେଖକ ଭାବରେ ଅନେକ ଫିଲ୍ମ ନିର୍ମାଣ କରିଛନ୍ତି । ସେ ସୁକାନ୍ତକରଙ୍କ ସହ ଅନେକ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ତାଙ୍କର ସମାଲୋଚିତ ଫିଲ୍ମ ଗୁଡିକ ମଧ୍ୟରେ ‘ଧାରାବୀ ଫା’, ‘ଦେବରାଇ’, ‘ବସ୍ତୁପୁରୁଷ’ ଏବଂ ‘କାସଭ’ ଅନ୍ତର୍ଭୁକ୍ତ । ୫୦ ତମ ଜାତୀୟ ସମ୍ମାନ ସମାରୋହରେ ତାଙ୍କ ଫିଲ୍ମ ‘ବସ୍ତୁପୁରୁଷ’କୁ ମରାଠୀର ବେଷ୍ଟ ଫିଚର ଫିଲ୍ମ ଆୱାର୍ଡ ମିଳିଥିଲା । ଏହା ବ୍ୟତୀତ ‘କାସଭ’କୁ ୬୪ ତମ ଜାତୀୟ ଫିଲ୍ମ ପୁରସ୍କାରରେ ଶ୍ରେଷ୍ଠ ଫିଚର ଫିଲ୍ମ ପ୍ରଦାନ କରାଯାଇଥିଲା ।

Spread the love