୫ଟି ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ଜାରି
ଭୁବନେଶ୍ୱର: ମାର୍ଚ୍ଚ ୩୦ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୫ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ମୟୁରଭଞ୍ଜ, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର ଓ ବରଗଡ଼ ରହିଛି। ଏସବୁ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଖରା ସମୟରେ ନବଜାତଶିଶୁ, ବୃଦ୍ଧ ଓ ଅସୁସ୍ଥ ଲୋକଙ୍କୁ ଅଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବଲାଙ୍ଗୀରରେ ସର୍ବାଧିକ ୪୧.୦ଡିଗ୍ରି ସେଲସିୟସ ତାପମାତ୍ରା ରହିଥିବା ବେଳେ କେନ୍ଦୁଝରରେ ସର୍ବନିମ୍ନ ୧୯.୫ଡିଗ୍ରି ସେଲସିୟସ ତାପମାତ୍ରା ରହିଛି।ମାର୍ଚ୍ଚ ୩୧ରୁ ଏପ୍ରିଲ ୧ ତାରିଖ ମଧ୍ୟରେ ବରଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ଅନୁଗୁଳ, କଳାହାଣ୍ଡି ଓ ସମ୍ବଲପୁର ଆଦି ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଏପ୍ରିଲ ୧ରୁ ୨ ତାରିଖ ମଧ୍ୟରେ ବରଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, କଳାହାଣ୍ଡି, ଅନୁଗୁଳ ଓ ସମ୍ବଲପୁର ଆଦି ଜିଲ୍ଲାକୁ ବି ଗ୍ରୀଷ୍ମ ପ୍ରବାହ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହିତ ଆବଶ୍ୟକ ନଥିଲେ ଖରା ସମୟରେ ବାହାରକୁ ନବାହାରିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି।