ଏଣ୍ଡୋସ୍କୋପିକ୍ ପଦ୍ଧତିରେ ବାଳକର ନାକରୁ ଟେନିସ୍ ବଲ୍ ଆକାରର ଟ୍ୟୁମର ବାହାର କରିବାରେ ସମ୍ମମ୍‌ର ସର୍ଜନ ସଫଳ

ଭୁବନେଶ୍ୱର, ୨୪/୧୨: ଏକ ୮ ବର୍ଷର ବାଳକର ନାକରୁ ଟେନିସ୍ ବଲ୍ ଆକାରର ଟ୍ୟୁମରକୁ ନାକ ବାଟେ ଏଣ୍ଡୋସ୍କୋପିକ୍ ପ୍ରକ୍ରିୟାରେ ବାହାର କରିବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ସର୍ଜିକାଲ ଟିମ୍ । ଯାଜପୁର ଅଂଚଳର ଆୟୁଷ କୁମାର ସାହୁ ନାମକ ବାଳକଟି ଦୀର୍ଘ ୬ ମାସ ଧରି ନାକ ବନ୍ଦ ହୋଇଯିବା, ପାଟି ବାଟେ ନିଃଶ୍ୱାସ ନେବା, ନାକରୁ ରକ୍ତ ସ୍ରାବ ହେବା ଏବଂ ମୁଣ୍ଡ ବିନ୍ଧା ହେବା ଭଳି ସମସ୍ୟା ନେଇ ହସ୍ପିଟାଲ୍‌କୁ ଆସିଥିଲେ । ଯଦିଓ ବାଳକଟିର ପରିବାର ସଦସ୍ୟ ଭୁବନେଶ୍ୱର ଏବଂ କଟକର ବିଭିନ୍ନ ହସ୍ପିଟାଲ୍‌ରେ ଏହି ସମସ୍ୟା ନେଇ ପରାମର୍ଶ କରିଥିଲେ କିନ୍ତୁ ରୋଗର ଉପଯୁକ୍ତ ପରୀକ୍ଷଣ କରାଯାଇ ପାରି ନଥିଲା । ସମ୍ମମ୍‌ର ଇଏନ୍‌ଟି ଆଣ୍ଡ ସ୍କଲ ବେସ୍ ସର୍ଜରୀ ବିଭାଗର ମୁଖ୍ୟ ତଥା ସିନିୟର୍ କନ୍‌ସଲ୍‌ଟାଂଟ ଡାକ୍ତର ରାଧାମାଧବ ସାହୁ ବାଳକଟିର ଚିକିତ୍ସା ଆରମ୍ଭ କରିବା ସହ ତା’ର ବିଭିନ୍ନ ରେଡିଓଲୋଜି ସମ୍ପର୍କିତ ପରୀକ୍ଷା ନିରୀକ୍ଷା କରାଯାଇଥିଲା । ପରୀକ୍ଷାରୁ ବାଳକଟିର ମସ୍ତିଷ୍କରୁ ନାକ ପର୍ଯ୍ୟନ୍ତ ଏକ ୮ ସେମିର କୋଷିକା ଉତ୍ପନ୍ନ ହୋଇଥିବା ଜଣାପଡ଼ିଥିଲା । ଏହାକୁ ଡାକ୍ତରୀ ଭାଷାରେ ମେନିନ୍‌ଗୋଏନ୍‌ସିଫାଲୋସିଲ୍ ବୋଲି କୁହାଯାଇଥାଏ । ବାଳକଟିର ମୁହଁକୁ କଟା ନ ଯାଇ ଏଣ୍ଡୋସ୍କୋପିକ୍ ପଦ୍ଧତିେରେ କୋଷିକାଟିକୁ ବାହାର କରାଯାଇଥିଲା । ଏଭଳି କ୍ଷେତ୍ରରେ ଖପୁରୀରୁ ନାକ ପର୍ଯ୍ୟନ୍ତ ଏହି କୋଷିକାଟି ଲମ୍ବି ଥାଏ ଏବଂ ନାକ ଏବଂ ପାଟିର ଦ୍ୱାରକୁ ଅନେକ କ୍ଷେତ୍ରରେ ବନ୍ଦ କରି ରଖିଥାଏ । ଏଭଳି କାରଣ ଯୋଗୁଁ ବାଳକଟିର ବିଭିନ୍ନ ସମସ୍ୟା ଦେଖାଦେଇଥିଲା ବୋଲି ଡାକ୍ତର ସାହୁ କହିଛନ୍ତି । ଡାକ୍ତର ସାହୁଙ୍କ ସମେତ ତାଙ୍କ ଟିମ୍ ଯିଏ କି ଏହି ଏଣ୍ଡୋସ୍କୋପିକ୍ ପ୍ରକ୍ରିୟାରେ ସାମିଲ ହୋଇଥିଲେ ଏବଂ ଖପୁରୀରେ ଉପୁଜିଥିବା ତୃଟିକୁ ସୁଧାରିଥିଲେ ସେମାନେ ହେଲେ ସିନିୟର୍ ଆନେସଥେସିଷ୍ଟ ଡାକ୍ତର ରଞ୍ଜିତ ପତି ଓ ଇଏନ୍‌ଟି ସର୍ଜନ୍ ଡାକ୍ତର ପୁଜା ଲାଖୋଟିଆ ।
ଅପରେସନ୍ ପରେ ବାଳକଟିର ଯେଭଳି ମେନିନ୍‌ଜାଇଟିସ୍ ସମସ୍ୟା ନ ଉପୁଜେ ସେଥି ନିମନ୍ତେ ଶିଶୁରୋଗ ବିଭାଗର ମୁଖ୍ୟ ତଥା ସିନିୟର୍ କନ୍‌ସଲ୍‌ଟାଂଟ ପ୍ରଦୀପ କୁମାର ଦେ ଓ ତାଙ୍କ ଟିମ୍‌ଙ୍କ ତତ୍ୱାବଧାନରେ ଆଇସିୟୁରେ ଚିକିତ୍ସା କରାଯାଇଥିଲା । ଅପରେସନ୍‌ର ଏକ ମାସ ପରେ ବାଳକଟି ସଂପୂର୍ଣ୍ଣ ସୁସ୍ଥ ଅଛି ଏବଂ ତା’ର କୌଣସି ସମସ୍ୟା ନାହିଁ ବୋଲି ଡାକ୍ତର ସାହୁ କହିଛନ୍ତି । ଏଣ୍ଡୋସ୍କୋପିକ୍ ସ୍କଲବେସ୍ ସର୍ଜରୀ ହେଉଛି ଏକ ଉନ୍ନତମାନର ସର୍ଜରୀ ପ୍ରକ୍ରିୟା ଏବଂ ଭାରତର ମାତ୍ର କେତୋଟି ହାତଗଣତି ସ୍ୱାସ୍ଥ୍ର‌୍ୟ ଅନୁଷ୍ଠାନ ମଧ୍ୟରୁ ସମ୍ମମ୍‌ର ଇଏନ୍‌ଟି ଆଣ୍ଡ ସ୍କଲବେସ୍ ସର୍ଜରୀ ବିଭାଗ ହେଉଛି ଅନ୍ୟତମ ଯେଉଁଠାରେ ଏହି ପ୍ରକ୍ରିୟାରେ ସର୍ଜରୀ କରାଯାଇଥାଏ ।

Spread the love