ରବିବାର ସାରା ଦେଶରେ ଜନତା କର୍ଫ୍ୟୁ

ରବିବାର ସକାଳ ୭ଟାରୁ ରାତି ୯ଟା ଯାଏ ଜନତା କର୍ଫ୍ୟୁ। କରୋନା ମୁକାବିଲା କରିବାକୁ ଯାଇ ଏହି କର୍ଫ୍ୟୁ ବାବଦରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ସମୟରେ ଲୋକମାନଙ୍କୁ ଘରେ ରହିବା ପାଇଁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଏହି କର୍ଫ୍ୟୁ ପାଳନ କରିବା ପାଇଁ ସମସ୍ତ ରାଜ୍ୟ ସରକାରଙ୍କୁ ମଧ୍ୟ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି କର୍ଫ୍ୟୁ ବାବଦରେ ଅବଗତ କରାଇବା ପାଇଁ ପ୍ରତିଦିନ ଅତି କମରେ ୧୦ ଜଣଙ୍କୁ ଫୋନ୍ କରି ସେମାନଙ୍କୁ ‘ଜନତା କର୍ଫ୍ୟୁ’ ଏବଂ କରୋନା ଭାଇରସକୁ ରୋକିବା ପାଇଁ ପଦକ୍ଷେପ ବିଷୟରେ କହିବାକୁ କହିଛନ୍ତି।

ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ କିଣି ଅଧିକ ମହଜୁଦ ନରଖିବାକୁ ସେ ଆହ୍ୱାନ କରିଛନ୍ତି। ଆବଶ୍ୟକ ପଡ଼ିଲେ ଏ ସମସ୍ତ ସାମଗ୍ରୀ କିଣିବାକୁ କହିଛନ୍ତି। ରାତି ୯ଟାରେ କର୍ଫ୍ୟୁ ଶେଷ ହେଲା ବାଲକୋନୀ କିମ୍ୱା ଘର ଆଗରେ ୫ ମିନିଟ୍ ଛିଡ଼ା ହୋଇ ଘଣ୍ଟି, ତାଳି, ଥାଳି ଆଦି ବଜାଇ ଧନ୍ୟବାଦ ଦେବାକୁ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜନତା କର୍ଫ୍ୟୁ ଜନତାଙ୍କ ଦ୍ୱାରା, ଜନତାଙ୍କ ପାଇଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ଆହୁରି କହିଛନ୍ତି, ସମଗ୍ର ବିଶ୍ୱ ଏବେ ଗଭୀର ସଙ୍କଟ ଦେଇ ଗତି କରୁଛି।

ଏହି ପ୍ରାକୃତିକ ବିପଦ ସମଗ୍ର ମାନବଜାତିକୁ ବିପଦରେ ପକାଇ ଦେଇଛି। ଗତ ଦୁଇ ମାସ ହେଲା ୧୩୦ କୋଟି ଭାରତୀୟ ସାହସର ସହିତ କରୋନାଭାଇରସ୍ ପରି ବିଶ୍ୟବ୍ୟାପୀ ମହାମାରୀର ସାମ୍ନା କରୁଛନ୍ତି। ସମସ୍ତ ନାଗରିକ ସତର୍କତା ଅବଲମ୍ବନ କରିବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ଧାରଣା ଆସିଛି ଯେ ସବୁକିଛି ଠିକ୍ ଅଛି। ତଥାପିକରୋନା ଭାଇରସ୍ ପରି ବିଶ୍ୱସ୍ତରୀୟ ମହାମାରୀକୁ ହାଲୁକା ଭାବେ ଗ୍ରହଣ କରିବା ଠିକ୍ ହେବନି। ଦେଶବାସୀ ଏହାକୁ ନେଇ ସଜାଗ ରହିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

Spread the love