ନୀଳ ସାଗର ଉପରେ ସୂର୍ଯ୍ୟକିରଣ

ଅହମଦାବାଦ: ଭାରତ ମାଟିକୁ ଦୀର୍ଘ ୧୨ ବର୍ଷ ‌ପରେ ଫେରିଥିବା ଆଇସିସି ଦିନିକିଆ ବିଶ୍ବକପ୍‌ର ଫାଇନାଲ୍‌ ମ୍ୟାଚ୍‌ ଆୟୋଜନ କରି ମୋଟେରାର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ ବିଶ୍ବ କ୍ରିକେଟ୍ ଦୃଶ୍ୟପଟ୍ଟରେ ସ୍ବତନ୍ତ୍ର ସ୍ଥାନ ବହନ କରିଛି। ରବିବାରର ଫାଇନାଲ୍ ମ୍ୟାଚ୍‌ ମଧ୍ୟ ଏହି ଲୋକପ୍ରିୟ ଖେଳର ସର୍ବବୃହତ ଷ୍ଟାଡିୟମ୍‌କୁ ଗୌରବମୟ ଅଧ୍ୟାୟରେ ସଂଯୋଗ କରିଗଲା। ବିଶ୍ବର ବଡ଼ ଷ୍ଟାଡିୟମରେ ବିଶ୍ବକପ୍‌ ଫାଇନାଲ୍‌ ବି ଖେଳାଯାଉଥିବ ଆଉ ଭାରତ ସାମିଲ ଥିବ ଏହାଠାରୁ ବଡ଼ ସ୍ମରଣୀୟ ମୁହୂର୍ତ୍ତ ବି ପ୍ରଶଂସକଙ୍କୁ ମିଳିବା କ୍ବଚିତ୍‌। ଏହି ଫାଇନାଲ୍‌କୁ ଉପଭୋଗ କରିବାକୁ ୧, ୩୦, ୦୦୦ରୁ ଊର୍ଧ୍ବ ଦର୍ଶକ ଟସ୍ ପଡ଼ିବା ପୂର୍ବରୁ ପଡ଼ିଆ ଭିତରକୁ ପ୍ରବେଶ କରି ସାରିଥିଲେ। ସକାଳୁ ସକାଳୁ ତ ମୋଟେରା ଅଭିମୁଖେ ଲମ୍ବିଥିଲା ଗାଡ଼ି ଘୋଡ଼ା ଓ ପଦଯାତ୍ରୀ ପ୍ରଶଂସକଙ୍କ ଲମ୍ବା ଯାତ୍ରା। ଅହମଦାବାଦର ବିଭିନ୍ନ ଛକ ବଜାର, ଏପରିକି ଟ୍ରାଫିକ୍‌ରେ ବି ଶହ ଭେଣ୍ଡର୍‌ ଟିମ୍ ଇଣ୍ଡିଆ ଜର୍ସି ବିକ୍ରି କରି ଷ୍ଟାଡିୟମ୍ ପହଞ୍ଚିବା ପୂର୍ବରୁ ପ୍ରଶଂସକଙ୍କୁ ନୀଳମୟରେ ପରିଣତ କରି ଦେଉଥିଲେ। ଅହମଦାବାଦ ଛାତିରେ ବହିଥିବା ସାବରମତି ନଦୀ ଜଳରାଶି ଏବଂ ଗୁଜରାଟର ସୁଦୀର୍ଘ ସବୁଜିମା ବେଳାଭୂମୀକୁ ବି ରବିବାର ବଳିଯାଇଥିଲା ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌। ଆଉ ଟସ୍ ପଡ଼ିବା ପୂର୍ବରୁ ଏହି ଆଇକନିକ୍‌ ଷ୍ଟାଡିୟମ୍‌ ନୀଳ ସାଗରର ଭ୍ରମ ସୃଷ୍ଟି କରିଥିଲା। କେତେବେଳେ ଶାନ୍ତ ତ କେତେବେଳେ ଉଛୁଳି ଉଠୁଥିଲା ଏହି ମାନବୀୟ ନୀଳ ସାଗର। ଟସ୍ ପଡ଼ିଆ ପରେ ରୋହିତ ହାରିଗଲେ ବୋଲି ଶାନ୍ତ ହୋଇପଡ଼ିଥିଲେ, କିନ୍ତୁ ଅଷ୍ଟ୍ରେଲିଆର କ୍ଷେତ୍ରରକ୍ଷଣ ନିଷ୍ପତ୍ତି ଭାରତକୁ ବ୍ୟାଟିଂ ଦେବାରୁ ଖୁସି ହୋଇଯାଇଥିଲେ।

ପସନ୍ଦରେ ୧୮ ବନାମ ୪୫
ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ କାହିଁକି ସାରା ଭାରତରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ବିପୁଳ ପ୍ରଶଂସକ ଗୋଷ୍ଠୀକୁ ନେଇ କାହାରି ସନ୍ଦେହ ନାହିଁ। ଏଥର ବିଶ୍ବକପ୍‌ରେ ଭାରତ ୧୫ ଜଣିଆ ଦଳ ସାମିଲ ଥିଲେ ବି ଏହି ଦୁଇ ଜଣଙ୍କ ଉପରେ ସମସ୍ତଙ୍କ ନଜର ଅଧିକ। ଏହା ହେବା ମଧ୍ୟ ସ୍ବାଭାବିକ। ଦିନିକିଆ କ୍ରିକେଟ୍‌ରେ ଏକାଧିକ କୀର୍ତ୍ତିମାନ ଏମାନଙ୍କ ନାମରେ ରହିଛି। ରୋହିତଙ୍କ ନାମରେ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍‌ (୨୬୪) ଏବଂ କୋହଲିଙ୍କ ରେକର୍ଡ ବହିରେ ସର୍ବାଧିକ ଶତକ (୫୦*)ର କୀର୍ତ୍ତିମାନ ଅଛି। ଉଭୟ ଭାରତୀୟ ଦଳର ଅଧିନାୟକତ୍ବ କରିସାରିଛନ୍ତି। ୨୦୨୩ ବିଶ୍ବକପ୍‌ରେ ମଧ୍ୟ ରୋହିତ ୬ ଶହ ପାଖାପାଖି (୫୯୭) ଏବଂ ବିରାଟ ଅଗ୍ରଣୀ ସ୍କୋରର (୭୬୫) ହୋଇଛନ୍ତି। ପ୍ରଶଂସକ ଗୋଷ୍ଠୀରେ ପୂର୍ବତନ ଅଧିନାୟକ ବିରାଟ ଆଗୁଆ ଅଛନ୍ତି। ଜର୍ସି ଚାହିଦାରୁ ଏହି ଆକଳନ କରାଯାଇଛି। ଅଧିକାଂଶ ପ୍ରଶଂସକ ବିରାଟ (ଜର୍ସି ନମ୍ବର ୧୮) ପରିଧାନ କରିଥିବା ବେଳେ ରୋହିତ (ଜର୍ସି ନମ୍ବର ୪୫) ଦ୍ବିତୀୟ ସର୍ବାଧିକ ଚାହିଦାରେ ରହିଛି। କିନ୍ତୁ ଏହି ଜର୍ସି ଭିଡ଼ ମଧ୍ୟରେ ଏବେ ବି କିଛି ପୁରୁଖା ଖେଳାଳିଙ୍କ କ୍ରିକେଟପ୍ରେମୀ ରହିଛନ୍ତି ଯେଉଁମାନେ ସଚିନ ତେନ୍ଦୁଲକର ଏବଂ ମହେନ୍ଦ୍ର ସିଂହ ଧୋନିଙ୍କ ନାମ ଲେଖା ସାର୍ଟ ପରିଧାନ କରି ଗୌରବାନ୍ବିତ ହୁଅନ୍ତି। ଏଥର କିନ୍ତୁ ଗୋଟିଏ ବ୍ୟତିକ୍ରମ ହେଉଛି ଗୋଟିଏ ଗୋଟିଏ ପରିବାର ବିଭିନ୍ନ ପିଢ଼ିର ଲୋକ ଯେଭଳି ଜେଜେବାବା, ବାପା, ମା’, ନାତି, ଅଣନାତି, ନାତୁଣୀ ପ୍ରମୁଖ ସମାନ ‘ବିରାଟ’ ଜର୍ସିକୁ ପରିଧାନ କରି ପଡ଼ିଆକୁ ଆସୁଛନ୍ତି।

ମୋଟେରାରେ ଭୁବନେଶ୍ବର ପରିବାର
ରବିବାରର ଗ୍ରାଣ୍ଡ୍ ଫାଇନାଲ୍ ପୂର୍ବରୁ ନଜର ପଡ଼ିଥିଲା ଏକ ଓଡ଼ିଆ ପରିବାର ଉପରେ। ଖାସ୍ କ୍ରିକେଟ୍ ପ୍ରଶଂସକ ଭାବେ ଏମାନେ ଆସିଥିଲେ ଭାରତ-ଅଷ୍ଟ୍ରେଲିଆା ଫାଇନାଲ୍ ଦେଖିବାକୁ। ଭୁବନେଶ୍ବର ସହିଦ ନଗରରୁ ଆସିଥିବା ଏହି ନିଆରା ପରିବାରର ମୁଖ୍ୟ ୪ ଥର ବିଶ୍ବକପ୍‌ ଦେଖିସାରିଥିବା କହିଛନ୍ତି ତାଙ୍କ ପୁଅ ଶ୍ରୀମାନ ଅରବିନ୍ଦ। ରିକି ପଣ୍ଟିଂ ଓ ପ୍ୟାଟ୍ କମିନ୍ସଙ୍କ ଫଟୋ ଥିବା ଏହି ବ୍ୟାନରରେ ସେମାନେ ଲେଖିଥିଲେ ‘ବେଟା ତୁମସେ ନ ହୋ ପାୟେଗା’।

Spread the love