ଅଂଶୁଘାତ କେତେ ପ୍ରକାର? ଚିକିତ୍ସା ଏବଂ ବର୍ତ୍ତିବାର ଉପାୟ

 ଯେଉଁମାନେ ଖରାରେ ଅଧିକ କାମ କରିଥାନ୍ତି କିମ୍ବା ଖରାରେ ଦୂରସ୍ଥାନକୁ ଯାତ୍ରା କରନ୍ତି ସେମାନେ ଅଂଶୁଘାତରେ  ଶିକାର ହୋଇଥାନ୍ତି । ଅଂଶୁଘାତ କ’ଣ ଏବଂ ଏଥିରୁ କେମିତି ରକ୍ଷା ପାଇବେ ସେ ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦେଇଛନ୍ତି କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟର ମେଡିସିନ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ।

 ଅତ୍ୟଧିକ ଗରମ ଯୋଗୁଁ ରୋଗୀର ଯେଉଁ ଅସୁବିଧା ହୁଏ ତାକୁ ଅଂଶୁଘାତ କୁହାଯାଏ । ତିନି ପ୍ରକାରର ଅଂଶୁଘାତ ଦେଖାଯାଇଥାଏ ।

୧. ପ୍ରଥମ- ହିଟ୍ ଏଗଜର୍ସନ – ଏଥିରେ ରୋଗୀ ଅବସ ହୋଇପଡ଼େ । ଖରାରେ ଅଧିକ ସମୟ କାମ କଲେ ଶରୀରରୁ ଜଳୀୟ ଅଂଶ କମିଯିବା ଫଳରେ ବ୍ୟକ୍ତି ହାଲିଆ ହୋଇଯାଏ । ଏହାପରେ ଯଦି ଜଣେ ଖରାରେ ପୁଣି କାମ କରେ ତାଙ୍କ ଶରୀରର ତାପମାତ୍ରା ବଢ଼ିଥାଏ ।

୨. ହିଟ୍ ହାଇପରପାଇରେକ୍ସିଆ-

ଅତ୍ୟଧିକ ତାତି ଯୋଗୁଁ ଦେହର ତାପମାତ୍ରା ବଢ଼ିବାକୁ କୁହାଯାଏ ହିଟ୍ ହାଇପରପାଇରେକ୍ସିଆ। ଏହା ହେଉଛି ଦ୍ୱିତୀୟ ପ୍ରକାରର ଅଂଶୁଘାତ ।

୩. ମଲ୍ଟି ଅର୍ଗାନ ଫେଲୱର-

ଏହାଦ୍ୱାରା ରୋଗୀର କିଡନି କାମ କରିବା ବନ୍ଦ କରିଦିଏ, ପରିସ୍ରା ବନ୍ଦ ହୋଇଯାଏ, ଅଚେତ ହୋଇପଡ଼େ, ବାତ ମାରିଥାଏ, ଦେହର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସବୁ ଅକାମୀ ହୋଇଯାଏ ।

 ଯଦି ରୋଗୀ ପ୍ରଥମ ପ୍ରକାର ଅଂଶୁଘାତର ଶିକାର ହୁଅନ୍ତି ଘରେ ପ୍ରାଥମିକ ଚିକିତ୍ସାରେ ଭଲ ହୋଇଯିବେ । ଘରେ ଓଆରଏସ ପିଇବା ସହିତ ପବନ ଚାଲିଥିବା ସ୍ଥାନରେ ରହିବେ, ଥଣ୍ଡା ଜାଗାରେ ରହିଲେ ଏଥିରୁ ରକ୍ଷା ପାଇଯିବେ । ଯଦି ତାତି ବଢି଼ବ ଏବଂ ରୋଗୀ ଦ୍ୱିତୀୟ ପ୍ରକାର ଅଂଶୁଘାତର ଶିକାର ହୁଅନ୍ତି ତାହେଲେ ଔଷଧ ଖାଇବାକୁ ପଡି଼ଥାଏ । ତେବେ ତୃତୀୟ ପ୍ରକାରର ଅଂଶୁଘାତର ଶିକାର ହେଲେ ରୋଗୀକୁ ଆଇସିୟୁରେ ରଖିବାକୁ ପଡ଼ିଥାଏ । ଅଂଶୁଘାତର ଶିକାର ହେଲେ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବା ଦରକାର ।

ଅଂଶୁଘାତରୁ ବର୍ତ୍ତିବା ପାଇଁ ବାହାରେ କାମ କରୁଥିଲେ…
ସକାଳେ ଓ ସନ୍ଧ୍ୟାରେ କାମ କରନ୍ତୁ।
୧୧ଟାରୁ ୪ଟା ପର୍ଯ୍ୟନ୍ତ ବାହାରେ କାମ କରନ୍ତୁ ନାହିଁ।ଛାଇ ସ୍ଥାନରେ କାମ କରନ୍ତୁ।
ଯଥେଷ୍ଟ ପରିମାଣର ପାଣି ପାଖରେ ରଖିଥାନ୍ତୁ।

 ପବନ ଚଳପ୍ରଚଳ କରୁଥିବା ସ୍ଥାନରେ କାମ କରନ୍ତୁ।
ମଧୁମେହ, ରକ୍ତଚାପ, ହୃଦରୋଗ, କର୍କଟ ରୋଗୀ ଓ ଗର୍ଭବତୀ ଥିବା ମହିଳା ଅଧିକ ସତର୍କ ରହିବା ଦରକାର।

Spread the love