ଚଳିତ ବର୍ଷ ହେବ ସପ୍ଲିମେଣ୍ଟାରୀ ପରୀକ୍ଷା: ୨୩ ତାରିଖରୁ ରିଚେକିଂ ପାଇଁ କରିପାରିବେ ଆବେଦନ

ଭୁବନେଶ୍ୱର  : ଚଳିତ ବର୍ଷ ହେବ ସପ୍ଲିମେଣ୍ଟାରୀ ପରୀକ୍ଷା। ଆଜି ମାଟ୍ରିକ ପରୀକ୍ଷା ଫଳ ଘୋଷଣା କରିବା ଅବସରରେ ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ। ସେ କହିଛନ୍ତି, ଗତବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ହୋଇପାରି ନଥିଲା। କିନ୍ତୁ ଏଥର ହେବ। ଫେଲ୍‌ କିମ୍ବା ଡ୍ରପଆଉଟ୍ ହୋଇଥିବା ପିଲାଙ୍କ ପାଇଁ ପରୀକ୍ଷା କରାଯିବ। ଏକ ସପ୍ତାହ ମଧ୍ୟରେ ବାହାରିବ ସପ୍ଲିମେଣ୍ଟାରୀ ପରୀକ୍ଷା ବିଜ୍ଞପ୍ତି। ଦୁଇ ମାସ ମଧ୍ୟରେ ବାହାରିବ ସପ୍ଲିମେଣ୍ଟାରୀ ରେଜଲ୍ଟ। ଚଳିତ ଶିକ୍ଷା ବର୍ଷରେ ଏକାଦଶ ପଢିବେ ସପ୍ଲିମେଣ୍ଟାରୀ ପାସ ପରୀକ୍ଷାର୍ଥୀ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଆସନ୍ତା ୨୩ ତାରିଖରୁ ରିଚେକିଂ ଅଫ ଆଡିସନ ପାଇଁ କରି ହେବ ଆବେଦନ। ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଅନଲାଇନରେ ଏବଂ ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷାର୍ଥୀ ଅଫ ଲାଇନରେ କରିବେ ଆବେଦନ। ୨୩ ତାରିଖରୁ ୧୫ ଦିନ ପର୍ଯ୍ୟନ୍ତ କରି ହେବ ଆବେଦନ ବୋଲି ସେ କହିଛନ୍ତି।

ଚଳିତ ବର୍ଷ ୯୬.୪% ପିଲା ମାଟ୍ରିକ ପରୀକ୍ଷାରେ ପାସ କରିଛନ୍ତି। ଛାତ୍ରଙ୍କ ଅପେକ୍ଷା ଛାତ୍ରୀ ଙ୍କ ପାସ୍ ହାର ଅଧିକ ରହିଛି। ଛାତ୍ରୀଙ୍କ ପାସ୍‌ ହାର ୯୭.୦୫% ରହିଥିବା ବେଳେ ଛାତ୍ରଙ୍କ ପାସ୍‌ ହାର ୯୫.୭୫% ରହିଛି। ଏଥର ପାସ୍ ହାରରେ କଟକ-ଜଗତସିଂହପୁରରେ ସର୍ବାଧିକ ୯୭.୯୯ ପ୍ରତିଶତ ରହିଥିବାବେଳେ ମାଲକାନଗିରିରେ ସର୍ବନିମ୍ନ ୯୨.୬୮ ପ୍ରତିଶତ ପାସ୍ ହାର ରହିଛି ।

Spread the love