ନେତାଙ୍କ ପାଇଁ ବାହାରିଲେ ସମର୍ଥକ:ମୋକିମ ଓ ଚିରଞ୍ଜୀବଙ୍କୁ ନିଲମ୍ବନ ପରେ ଜୋର ଧରିଲା କଂଗ୍ରେସ ରାଜନୀତି

ଭୁବନେଶ୍ୱର: କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳରୁ ନିଲମ୍ବନ ପରେ ଜୋର ଧରିଛି କଂଗ୍ରେସ ରାଜନୀତି | ଆଜି ସାମ୍ବାଦିକ ସମ୍ମିଳନୀ କରି ନିଲମ୍ବନ ଉଠାଇବାକୁ ଦାବି କରିଛନ୍ତି ମୋକିମ ଓ ଚିରଞ୍ଜୀବଙ୍କ ସମର୍ଥକ | କଂଗ୍ରେସର ପୂର୍ବତନ ମୁଖପାତ୍ର ଗୋବିନ୍ଦ ଭୂୟାଁ କହିଛନ୍ତି ଯେ ଅନ୍ୟ ରାଜ୍ୟରେ କଂଗ୍ରେସ ବଢୁଥିବା ବେଳେ ଓଡିଶାରେ କଂଗ୍ରେସ ଖସି ଖସି ଚାଲିଛି | ଓଡିଶାରେ କଂଗ୍ରେସକୁ ମଜଭୂତ କରିବାରେ ମୋକିମଙ୍କ ଭୂମିକା ରହିଛି | ଚିରଞ୍ଜୀବ ମଧ୍ୟ ଦୁଇ ଥର ନିର୍ବାଚନ ଜିତି ବିଧାନସଭାରେ ପ୍ରତିନିଧିତ୍ବ କରିଛନ୍ତି | ବିନା କାରଣରେ ପିସିସି ସଭାପତି ଶରତ ପଟ୍ଟନାୟକ ଦୁଇ ନେତାଙ୍କୁ ନିଲମ୍ବନ ପାଇଁ ଏଆଇସିସି କୁ ସୁପାରିଶ କରିଛନ୍ତି ଯାହା ଆମକୁ ମର୍ମାହତ କରିଛି | କଂଗ୍ରେସ ପାଇଁ ବିଜେଡିକୁ ପରାହତ କରିବା ପାଇଁ ସୁଯୋଗ ଥିଲେ ମଧ୍ୟ ଆଜି କଂଗ୍ରେସ ଅସମର୍ଥ | କଂଗ୍ରେସର ଅନେକ କର୍ମୀ ଓ ସମର୍ଥକ ସେ ଦିନ ବୈଠକରେ ଉପସ୍ଥିତ ଥିଲେ | ସରକାରଙ୍କ ବିରୋଧରେ ଲଢ଼ିବା ପାଇଁ ଆହ୍ୱାନ ଦିଆଯାଇଥିଲା |

ଦଳର ଦୁର୍ବଳ ପ୍ରସଙ୍ଗକୁ ନେଇ ଆଲୋଚନା କରାଯାଇଥିଲା ହେଲେ ତାହା ଦଳ ବିରୋଧୀ ନୁହେଁ | ଦୁଇ ବରିଷ୍ଠ ନେତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିବାକୁ ଆମେ ଦାବି କରୁଛୁ | ନିଲମ୍ବନ ପ୍ରତ୍ୟାହାର ନ କଲେ ଆଗକୁ ଏହା ଦଳ ପାଇଁ ଆତ୍ମଘାତି ହେବ | ଅନ୍ୟପଟେ ପୂର୍ବତନ ଉପସଭାପତି ସାବିତ୍ରୀ ଚୌଧୁରୀ କହିଛନ୍ତି ଯେ ଶୃଙ୍ଖଳା କମିଟିରେ ଆଲୋଚନା ହୋଇନି | କେବଳ ରାଉରକେଲାରେ ହୋଇଥିବା ଗଣ୍ଡଗୋଳ ଓ ଝାରସୁଗୁଡାରେ ହୋଇଥିବା ସାମ୍ବାଦିକ ସମ୍ମିଳନୀ ବିଷୟରେ ଆଲୋଚନା ହୋଇଥିଲା | ମୋକିମ ଓ ଚିରଞ୍ଜୀବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଶୃଙ୍ଖଳା କମିଟି ସୁପାରିଶ କରିନଥିଲା |

ସେହିପରି କଂଗ୍ରେସ ନେତ୍ରୀ ଗିରିବାଳା ବେହେରା କହିଛନ୍ତି ଯେ ଜୟଦେବ ଭବନରେ ଦଳ ବିରୋଧୀ କିଛି ଆଲୋଚନା ହୋଇନଥିଲା | ବିନା ମୋକିମରେ କଟକରେ କଂଗ୍ରେସକୁ ମହଙ୍ଗା ପଡିବ | ମୋକିମଙ୍କ ପାଇଁ ୪୦ ବର୍ଷ ପରେ କଟକକୁ କଂଗ୍ରେସ ଆସିଥିଲା | ସମସ୍ତ ମହାନଗରରେ କଂଗ୍ରେସ ଶୂନ ଥିବା ବେଳେ ଚଳିତ ନିର୍ବାଚନରେ କଟକରେ ମୋକିମଙ୍କ ଯୋଗୁଁ କଂଗ୍ରେସର ୧୦ ଜଣ କର୍ପୋରେଟର ଜିତିକି ଆସିଥିଲେ |

Spread the love