ବ୍ୟାନ ସତ୍ତ୍ୱେ ବାଣ ବିକ୍ରିକୁ ନେଇ ସୁପ୍ରିମକୋର୍ଟ ଅସନ୍ତୁଷ୍ଟ, ଜାଣନ୍ତୁ ସରକାରଙ୍କୁ କହିଲେ କ’ଣ ?

ନୂଆଦିଲ୍ଲୀ ୨୮।୧୦:  ଆଉ ଦିନ କେଇଟା ପରେ ଦିପାବଳୀ । ହେଲେ ଅନ୍ୟବର୍ଷ ଭଳି ଚଳିତବର୍ଷ ମଧ୍ୟ ସୁପ୍ରିମକୋର୍ଟ ପ୍ରଦୂଷଣ ସୃଷ୍ଟି କରୁଥିବା ବାଣର ବିକ୍ରି ଓ ବ୍ୟବହାର ଉପରେ ନିଷିଦ୍ଧାଦେଶ ଜାରି କରିଛନ୍ତି। ଆଲୋକର ପର୍ବ ପାଳନ ବେଳେ କେବଳ ପରିବେଶ ଅନୁରୂପ ବାଣ ଫୁଟାଇବା ଲାଗି ଲୋକଙ୍କୁ ଅନୁମତି ରହିଛି। କୋର୍ଟଙ୍କ ବ୍ୟାନ୍‌ ସତ୍ତ୍ୱେ ବଜାରରେ ପ୍ରଦୂଷଣ ସୃଷ୍ଟି କରୁଥିବା ବାଣ କାରବାର ହେଉଥିବାରୁ ସୁପ୍ରିମକୋର୍ଟ ଗୁରୁବାର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଗୁରୁବାର ସୁପ୍ରିମ କୋର୍ଟରେ ବାଣ ବ୍ୟାନ ସମ୍ପର୍କି ମାମଲାର ଶୁଣାଣି ହୋଇଛି। ଏଥିରେ କୋର୍ଟ କେବଳ ଗ୍ରୀନ କ୍ରାକରକୁ ମଞ୍ଜୁରି ଦିଆଯାଇଥିବା କହିଛନ୍ତି। ହେଲେ ବଜାରରେ ଏବେ ସବୁ ପ୍ରକାର ବାଣ ମିଳୁଥିବାର ଅଭିଯୋଗ ହେଲାଣି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କାହାର ଅଧିକାର ଅଥବା ସ୍ୱାସ୍ଥ୍ୟ ସହିତ ଖେଳିପାରିବେନି ବୋଲି କୋର୍ଟ ସଫାସଫା ଶୁଣାଇ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଆମେ ଲୋକଙ୍କ ଅଧିକାର ସୁରକ୍ଷିତ କରିବାକୁ ବସିଛେ। ଏଣୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏଜେନ୍ସୀମାନେ ଆଦେଶର କଡ଼ାକଡ଼ି ପାଳନ କରନ୍ତୁ । 

ଦେଶରେ ବାଣ କାରଖାନା ସରକାର ବନ୍ଦ କରିଦେଉ ନାହାନ୍ତି କାହିଁକି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। କୋର୍ଟ କହିଛନ୍ତି ଯେ ସବୁ ରାଜ୍ୟ ସରକାର ନିଷିଦ୍ଧ ବାଣ ପ୍ରସ୍ତୁତ କରୁଥିବା କାରଖାନା ଉପରେ କଟକଣା ଜାରି କରିବା ଦରକାର। ଆମ ଦେଶରେ କୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ କିପରି ହୁଏ ସମସ୍ତଙ୍କୁ ଜଣା। ତେବେ ସୁପ୍ରିମକୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ ନ ହେଲେ ଦେଶକୁ ଓ ସମାଜକୁ କଣ ବାର୍ତ୍ତା ଯାଉଛି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।

କୋର୍ଟ କହିଛନ୍ତି ଯେ ଦିପାବଳୀ ବେଳେ ବାଣ ଫୁଟାଇବା ଉପରେ କୌଣସି ପ୍ରକାର କଟକଣା ନାହିଁ । ଅର୍ଥାତ ଲୋକେ ଉତ୍ସବ ପାଳନ ଲାଗି ଗ୍ରିନ ବାଣ ଫୁଟାଇପାରିବେ। ହେଲେବି ବଜାରରେ ନିଷିଦ୍ଧ ବାଣ ବିକ୍ରି ହେଉଛି।  ମାମଲାର ଶୁଣାଣି ଜାରି ରହିଛି।

Spread the love