ବୀମା କମ୍ପାନୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, କହିଲେ ଯାହାବି ହେଉ ଦେବାକୁ ପଡିବ କ୍ଷତିପୂରଣ
ନୂଆଦିଲ୍ଲୀ ୨୧।୧୧: ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ମୋଟର ଦୁର୍ଘଟଣାରେ ମୃତାହତଙ୍କ ପରିବାରଙ୍କ ଲାଗି ବୀମା କମ୍ପାନୀଙ୍କ ପକ୍ଷରୁ କ୍ଷତିପୂରଣ ପ୍ରଦାନର ମାର୍ଗ ପ୍ରଶସ୍ତ କରିଦେଇଛନ୍ତି। ଏଥିରେ ଯାହାବି ହେଉ ବୀମା କମ୍ପାନୀଙ୍କୁ କ୍ଷତିପୂରଣ ଦେବାକୁ ପଡିବ ବୋଲି ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଏମ.ଆର.ଶାହ ଓ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ପୀଠ ରାୟ ଉଲ୍ଲେଖ କରିଛନ୍ତି।
ମାମଲାରୁ ପ୍ରକାଶ ଯେ ୧୨ ସେପ୍ଟେମ୍ବର ୨୦୧୨ରେ ଜନୈକ ବିଇ ତୃତୀୟ ବର୍ଷ ୨୧ ବର୍ଷ ବୟସ୍କ ଛାତ୍ର ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ମୃତକ ଦାବିଦାରଙ୍କ ପୁତ୍ର। ମାମଲାରେ ମୋଟର ଦୁର୍ଘଟଣା ନ୍ୟାଧିକରଣ ପ୍ରଭାବିତ ପରିବାରଙ୍କ ଲାଗି ୧୨ ଲକ୍ଷ ୮୫ ହଜାର ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରିଥିବା ବେଳେ ପରିବାର ଭରଣପୋଷଣ ଲାଗି ମାସିକ ୧୫ ହଜାର ଟଙ୍କା ପୈଠ ଲାଗି ନିର୍ଦ୍ଦେଶ ଦେଇଥିଲେ।
ତେବେ ବୀମା କମ୍ପାନୀ ନ୍ୟାୟାଧିକରଣଙ୍କ ରାୟକୁ ହାଇକୋର୍ଟରେ ଚାଲେଞ୍ଜ କରିଥିବା ବେଳେ କୋର୍ଟ କ୍ଷତିପୂରଣ ରାଶି ୬ ଲକ୍ଷକୁ ହ୍ରାସ କରିଥିଲେ ଓ ମୃତକଙ୍କ ପରିବାର ଭରଣ ପୋଷଣ ଲାଗି ମାସିକ ରାଶି ୫ ହଜାର ଟଙ୍କା ଧାର୍ଯ୍ୟ କରିଥିଲେ। ଏଣୁ ଦାବିଦାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ କୋର୍ଟ ଯେ କୌଣସି ପରିସ୍ଥିତିରେ କ୍ଷତିପୂରଣ ନିଶ୍ଚିତ ଦେବାକୁ ପଡିବ ବୋଲି କହିଛନ୍ତି। ଏଥିରେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ ରଦ୍ଦ କରିଥିବା ବେଳେ ଆବେଦନର ତାରିଖରୁ ଏପର୍ଯ୍ୟନ୍ତ ବାର୍ଷିକ ୭ ପ୍ରତିଶତ ହାରରେ ମୋଟ ୧୫ ଲକ୍ଷ ୮୨ ହଜାର ଟଙ୍କା କ୍ଷତିପୂରଣ ପୈଠ କରିବାକୁ କହିଛନ୍ତି। ସେହିପରି ମାସିକ ଭରଣ ପୋଷଣ ଲାଗି ମଧ୍ୟ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।
ମାମଲାର ଶୁଣାଣିରେ ବ୍ୟାଙ୍କ ଅଫ ଇଣ୍ଡିଆ ମୃତକ ଛାତ୍ର ସିଭିଲ ଇଞ୍ଜିନିୟରିଂରେ ତୃତୀୟବର୍ଷ ଛାତ୍ର ଥିଲେ। ୨୦୧୨ ସର୍ବନିମ୍ନ ପାରିଶ୍ରମିକ ଅଧିନିୟମ ଅଧାରରେ କୁଶଳୀ ଶ୍ରମିକଙ୍କୁ ଦେଶରେ ମାସିକ ୫ ହଜାର ଟଙ୍କା ବେତନ ଦିଆଯାଉଥିବାର ତର୍କ ରଖିଥିଲେ। ତେବେ ବ୍ୟାଙ୍କର ତର୍କକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେବା ସହ ଦୁର୍ଘଟଣାରେ ପ୍ରାଣ ହରାଇବା ବେଳକୁ ମୃତକ ଛାତ୍ର ଥିଲେ କୌଣସି ସଂସ୍ଥାନରେ କାମ କରୁନଥିଲେ କି ବେତନ ପାଉନଥିଲେ ବୋଲି କହିଛନ୍ତି। ଏଣୁ କାହାର ଭବିଷ୍ୟତର ଆୟ ନିର୍ଦ୍ଧାରଣ କରାଯାଇ ନପାରେ ବୋଲି କହିବା ସହ ସେହି ଅନୁସାରେ କ୍ଷତିପୂରଣ ଓ ଅନ୍ୟ ଆନୁଷଙ୍ଗିକ ପୈଠ ଲାଗି ନିର୍ଦ୍ଦେଶ ଦେଇଛନ୍ତି।