ନୂଆଦିଲ୍ଲୀ: ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପକ୍ଷରୁ ହୋଇଥିବା ଏକ ଆବେଦନ ଉପରେ ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି କରିଛନ୍ତି। ଫତିମା ଆହାନା (୨୪) ନାମକ ଜଣେ ଡାକ୍ତରୀ ଛାତ୍ରୀଙ୍କ ପରିବାର ପକ୍ଷରୁ ଏହି ଆବେଦନ ହୋଇଥିଲା। ଯାହାର ତ୍ବରିତ ଶୁଣାଣି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଆବେଦନରେ ଅଭିଯୋଗ କରାଯାଇଛି ଯେ ଫତିମାଙ୍କ ସହିତ ପ୍ରାୟ ୨୫୦ ଛାତ୍ରଛାତ୍ରୀ ୟୁକ୍ରେନର ମୋଲଡୋଭାରୁ ରୋମାନିଆ ସୀମା ଅଭିମୁଖେ ଯାଉଥିବାବେଳେ ସେମାନେ ବାଟରେ ଅଟକି ରହିଛନ୍ତି। ଓଡେସା ବିଶ୍ବବିଦ୍ୟାଳୟର ଏହି ଛାତ୍ରଛାତ୍ରୀଙ୍କୁ ରୋମାନିଆ ସୀମା ଅତିକ୍ରମ କରିବାକୁ ଅନୁମତି ଦିଆଯାଉ ନାହିଁ। ମାଲଡୋଭାର ଚେକ୍ ପଏଣ୍ଟ ନିକଟରେ ସେମାନେ ୬ଦିନ ହେଲା ଫସି ରହିଥିବାବେଳେ ଭାରତ ସରକାରଙ୍କ ପକ୍ଷରୁ ସେମାନଙ୍କୁ କୌଣସି ସହଯୋଗ ମିଳୁନାହିଁ। ତେଣୁ ୟୁକ୍ରେନରେ ଫସି ରହିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର ନିମନ୍ତେ ଉପଯୁକ୍ତ କୂଟନୈତିକ ପଦକ୍ଷେପ ନେବା ନିମନ୍ତେ ଅଦାଲତ ସରକାରଙ୍କୁ ନିର୍ଦେଶ ଦିଅନ୍ତୁ।ବରିଷ୍ଠ ଓକିଲ ଏଏମ୍ ଦାର ଆବେଦନକାରୀଙ୍କ ପକ୍ଷରୁ ମାମଲା ଲଢିଥିଲେ। ପ୍ରଧାନ ବିଚାରପତି ଏନଭି ରମଣାଙ୍କ ନେତୃତ୍ବ ପୀଠ ଏହାର ଶୁଣାଣି କରିଥିଲେ। ଶୁଣାଣି ସମୟରେ ପ୍ରଧାନ ବିଚାରପତି ରମଣା କହିଥିଲେ ଯେ ଏହି ପ୍ରସଙ୍ଗରେ ଆମେ କଣ କରିପାରିବୁ? ଆସନ୍ତାକାଲି ତୁମେ ଆମକୁ କହିବ ଯେ ପୁତିନଙ୍କୁ ନିର୍ଦେଶ ଦିଅନ୍ତୁ। ଆମେ କଣ ପୁତିନଙ୍କୁ ଯୁଦ୍ଧ ବନ୍ଦ କରିବା ଲାଗି ନିର୍ଦେଶ ଦେଇପାରିବୁ? ଛାତ୍ରଛାତ୍ରୀଙ୍କ ଉଦ୍ବେଗ ପ୍ରତି ଆମର ସମବେଦନା ରହିଛି। ଭାରତ ସରକାର ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ନିମନ୍ତେ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ପରେ ଅଦାଲତ ଭାରତ ସରକାରଙ୍କ ପକ୍ଷରୁ ଉପସ୍ଥିତ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳଙ୍କୁ ଏହି ପ୍ରସଙ୍ଗ ଉପରେ ଅନୁଧ୍ୟାନ କରିବା ଲାଗି ନିର୍ଦେଶ ଦେଇଛନ୍ତି।