ଗଣମାଧ୍ୟମକୁ ସୁପ୍ରିମକୋର୍ଟଙ୍କ ତାଗିଦ

ନୂଆଦିଲ୍ଲୀ : ଦେଶରେ ଘଟୁଥିବା ବିଭିନ୍ନ ପ୍ରକାର ଅପରାଧିକ କାର୍ଯ୍ୟକଳାପ ଉପରେ ବିତର୍କ ଆୟୋଜନ କରୁଛନ୍ତି ଟେଲିଭିଜନ୍ ଚାନେଲ । ତଦନ୍ତ ପ୍ରକ୍ରିୟା ଶେଷ ପୂର୍ବରୁ ଟେଲିଭିଜନ ବିତର୍କରେ ସାମିଲ ତଦନ୍ତକାରୀ ଅଧିକାରୀ, ପୁଲିସ ଓ ଗଣମାଧ୍ୟମ ପ୍ରତିନିଧି ଅପରାଧ ସମ୍ପର୍କରେ ବିଭିନ୍ନ ତଥ୍ୟ ଓ ପ୍ରମାଣ ଉପସ୍ଥାପନ କରୁଛନ୍ତି। ଏହାଦ୍ବାରା ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେଉଛି। ଟିଭି ବିତର୍କରେ ଏପରି ତଥ୍ୟ ପ୍ରମାଣ ଉପସ୍ଥାପନ କରାଯିବା ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ।ଗତ ମଙ୍ଗଳବାର ସୁପ୍ରିମକୋର୍ଟ କହିଛନ୍ତି ଯେ ଟିଭି ବିତର୍କରେ ତଦନ୍ତକାରୀ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ଅପରାଧ ସମ୍ପର୍କିତ କୌଣସି ତଥ୍ୟ ପ୍ରମାଣ ଉପସ୍ଥାପନ କରିପାରିବେ ନାହିଁ। ଏପରି କାର୍ଯ୍ୟକୁ କର୍ତ୍ତବ୍ୟରେ ଅବହେଳା ବା ତ୍ରୁଟି ବୋଲି ବିବେଚନା କରାଯିବ। ଏପରିକି ଏହାକୁ ନ୍ୟାୟିକ ପ୍ରକ୍ରିୟାରେ ହସ୍ତକ୍ଷେପ ବୋଲି ବିବେଚନା କରାଯିବ। ୧୯୯୯ ମସିହାର ବେଙ୍ଗାଲୁରରେ ଏକ ଡକାୟତି ମାମଲାର ରାୟ ପ୍ରକାଶ କରିବା ସମୟରେ ଗତମଙ୍ଗଳବାର ସୁପ୍ରିମକୋର୍ଟ ବିଚାରପତି ୟୁୟୁ ଲଲିତ ଓ ପିଏସ୍‌ ନରସିଂହଙ୍କ ପୀଠ ଏପରି ପର୍ଯ୍ୟବେକ୍ଷଣ କରିଛନ୍ତି। ଡକାୟତି ସମ୍ପର୍କିତ ତଥ୍ୟ ଓ ପ୍ରମାଣରେ ଅମେଳ ଯୋଗୁଁ ଅଦାଲତ ୪ଜଣଙ୍କୁ ଦୋଷମୁକ୍ତ କରିଛନ୍ତି।  ଏହି ମାମଲାରେ ବିଚାର ବିଭାଗୀୟ ଅଦାଲତ ୪ଜଣଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ। କର୍ଣ୍ଣାଟକ ହାଇକୋର୍ଟ ଏହି ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡକୁ କୋହଳ କରିଥିଲେ। ଏବେ ସୁପ୍ରିମକୋର୍ଟ ଦୋଷୀମାନଙ୍କୁ ସମ୍ପୂର୍ଣ୍ଣ ମୁକ୍ତ କରିଦେଇଛନ୍ତି। ମାମଲାର ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ ଜାଣିବାକୁ ପାଇଥିଲେ ଯେ ପୁଲିସ ଦୋଷୀଙ୍କର ଯେଉଁ ବୟାନ ରେକର୍ଡ କରିଥିଲା ତାହା ଏକ ଘରୋଇ ଟେଲିଭିଜନ୍ ଚାନେଲରେ ପ୍ରସାରିତ ହୋଇଥିଲା। ଦୋଷୀଙ୍କ ବୟାନ ରେକର୍ଡ ସମ୍ପର୍କିତ ଡିଭିଡ ଟେଲିଭିଜନ୍ ଚାନେଲର ହସ୍ତଗତ ହୋଇଥିଲା।

Spread the love