ମଣିପୁର ଆଦିମ ଅଧିବାସୀ ହିଂସା ଦମନ ପାଇଁ ଗୃହୀତ ପଦକ୍ଷେପ ଉପରେ ରିପୋର୍ଟ ମାଗିଲେ ସୁପ୍ରିମ୍‌ କ‌ୋର୍ଟ

ନୂଆଦିଲ୍ଲୀ: ମଣିପୁରରେ ଆଦିମ ଅଧିବାସୀମାନେ ଚଳାଇଥିବା ହିଂସା ଦମନ ଓ ନାଗରିକ ଥଇଥାନ ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ଆଜି ସୁପ୍ରିମ୍‌ କ‌ୋର୍ଟ ରାଜ୍ୟ ସରକାରଙ୍କୁ ସବିଶେଷ ‘ସ୍ଥିତାବସ୍ଥା ରିପୋର୍ଟ’ ମାଗିଛନ୍ତି। ଆଇନ-ଶୃଙ୍ଖଳା ପରିସ୍ଥିତି ଉପରେ ଚିନ୍ତା ପ୍ରକଟ କରି ଆଜି ସୁପ୍ରିମ୍‌ କୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି ଯେ, ହିଂସାକାଣ୍ଡଦ୍ବାରା ପ୍ରଭାବିତ ଏବଂ ବାସହରା ହୋଇଥିବା ନାଗରିକମାନଙ୍କ ଥଇଥାନ ନିମନ୍ତେ ଶିବିର ନିର୍ମାଣ, ଫୋର୍ସ ମୁତୟନ ଏବଂ ରାଜ୍ୟରେ ଆଇନ-ଶୃଙ୍ଖଳା ବଜାୟ ରଖିବା ଲାଗି ଗୃହୀତ ପଦକ୍ଷେପ ସବୁର ତାଲିକା ଦାଖଲ କରନ୍ତୁ।

କେନ୍ଦ୍ର ସରକାର ଓ ମଣିପରୁ ସରକାରଙ୍କ ପକ୍ଷରୁ ହାଜର ‌ହୋଇ ସଲିସିଟର୍‌ ଜେନେରାଲ୍‌ ତୁଷାର ମେହେଟ୍ଟା ସର୍ବୋଚ୍ଚ ଅଦାଲତଙ୍କୁ କହିଲେ ଯେ, ଧୀରେ ଧୀରେ ହେଉ ପଛେ ରାଜ୍ୟରେ ଅବସ୍ଥାର ପରିବର୍ତ୍ତନ ଘଟୁଛି। ‘ସିଭିଲ୍‌ ପ‌ୋଲିସ୍‌’ ସହିତ ରାଜ୍ୟରେ ମଣିପୁର ରାଇଫଲ୍‌, ‘ସିଏପିଏଫ୍‌’ର କମ୍ପାନି, ସେନାର ୧୧୪ କଲମ୍‌ ଏବଂ ମଣିପୁର କମାଣ୍ଡୋମାନଙ୍କୁ ମୁତୟନ କରାଯାଇଛି। ଜୁଲାଇ ୧୦ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରି ଭାରତର ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ ମଣିପୁର ସରକାରଙ୍କୁ ରିପୋର୍ଟ ଦାଖଲ କରିବା ଲାଗି କହିଛନ୍ତି। ସଂଖ୍ୟାଲଘୁ କୁକି ସମ୍ପ୍ରଦାୟଙ୍କ ନିମନ୍ତେ ସେନା ସରୁକ୍ଷା ଏବଂ ସେମାନଙ୍କୁ ଆକ୍ରମଣ କରୁଥିବା ସମ୍ପ୍ରଦାୟଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅନୁରୋଧ କରି ଏକ ‘ଏନ୍‌ଜିଓ’ ଜନସ୍ବାର୍ଥ ମାମଲା ଦାଏର କରିଥିଲା। ସୂଚନାଯୋଗ୍ୟ, ମଣିପୁରୀ ଓ କୁକି ସମ୍ପ୍ରଦାୟ ମଧ୍ୟରେ ମେ ୩ ତାରିଖରୁ ଆରମ୍ଭ ହୋଇଥିବା ଜନଜାତି ହିଂସାକାଣ୍ଡରେ ପ୍ରାୟ ୧୨୦ଜଣଙ୍କର ମୃତ୍ୟୁ ଘଟିଥିବା ବ‌େଳେ ୩୦୦୦ରୁ ଅଧିକ ଆହତ ହୋଇଛନ୍ତି।

Spread the love