ସୁପ୍ରିମ୍‌କୋର୍ଟ ବିରୋଧୀଙ୍କୁ ଶକ୍ତ ଚାପୁଡ଼ା ମାରିଛନ୍ତି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟି)କୁ ନେଇ ହୋଇଥିବା ଆବେଦନକୁ ଶୁକ୍ରବାର ଖାରଜ କରି ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ଏହା ସହ ବାଲାଟ ପେପରରେ ଭୋଟିଂ କରିବାକୁ ନେଇ କରାଯାଇଥିବା ସମସ୍ତ ଆବେଦନକୁ ମଧ୍ୟ ଖାରଜ କରି ଦେଇଛନ୍ତି ଅଦାଲତ। ଏହାକୁ ନେଇ ‌ଏବେ ପ୍ରତିକ୍ରିୟା ପ୍ରକ‌ାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର‌ ମୋଦୀ।

ପ୍ରଧାନମନ୍ତ୍ରୀ ଏହାକୁ ନେଇ କହିଛନ୍ତି ଯେ ବିରୋଧୀ ଦେଶକୁ କ୍ଷମା ମାଗିବା ଉଚିତ୍। ବିହାରର ଆରାରିଆରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ମନ୍ତବ୍ୟ ଆସିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, “ଆଜି ଆମର ଗଣତନ୍ତ୍ର ପାଇଁ ଶୁଭ ଦିନ। ସୁପ୍ରିମକୋର୍ଟ ବିରୋଧୀଦଳଙ୍କ ମୁହଁରେ କଡ଼ା ଚାପୁଡ଼ା ମାରିଛନ୍ତି।’’

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଯେଉଁଠାରେ ବିଶ୍ବ ଆମର ଗଣତନ୍ତ୍ର ଏବଂ ନିର୍ବାଚନ ପ୍ରକ୍ରିୟାକୁ ପ୍ରଶଂସା କରୁଛି, ବିରୋଧୀ ସେମାନଙ୍କ ବ୍ୟକ୍ତିଗତ ଲାଭ ପାଇଁ ତାହାକୁ ବଦନାମ କରୁଛନ୍ତି।

ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟି)କୁ ନେଇ ହୋଇଥିବା ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ବାଲାଟ ପେପରରେ ଭୋଟିଂ କରିବାକୁ ନେଇ କରାଯାଇଥିବା ସମସ୍ତ ଆବେଦନକୁ ମଧ୍ୟ ଖାରଜ କରିବା ସହ ଇଭିଏମରେ ସବୁସ୍ଥାନରେ ଭୋଟିଂ କରିବାକୁ କ୍ଲିନଚିଟ ଦେଇଛନ୍ତି ସୁପ୍ରମିକୋର୍ଟ। ଇଭିଏମ୍ ଜରିଆରେ ଦିଆଯାଇଥିବା ଭୋଟ୍ ସହ ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରୋଲ୍ (ଭିଭିପିଏଟି) ସ୍ଲିପ୍ ନେଇ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଆଜି ରାୟ ଶୁଣାଇଛନ୍ତି।

ଅନେକ ଦିନ ଧରି ଭିଭିପିଏଟି ମାମଲାର ଶୁଣାଣି କରିବା ପରେ ନିର୍ବାଚନ ଆୟୋଗଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ଭିଭିପିଏଟି ସ୍ଲିପ୍ ସହ ଇଭିଏମ୍ ଜରିଆରେ ଦିଆଯାଇଥିବା ଭୋଟକୁ ଶତପ୍ରତିଶତ ଟାଲି କରିବା ପାଇଁ ହୋଇଥିବା ସମସ୍ତ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।

Spread the love