ଏନସିଆରରେ ପ୍ରଦୂଷଣ ପାଇଁ ଖାଲି ଚାଷୀ ଦାୟୀ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣକୁ ନେଇ ସୋମବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ ଭର୍ତ୍ସନା କରିଛନ୍ତି । ବାୟୁ ପ୍ରଦୂଷଣ ପାଇଁ କେବଳ ଚାଷୀଙ୍କୁ ଦାୟୀ କରିବାରୁ କୋର୍ଟ ଆପତ୍ତି ଉଠାଇଛନ୍ତି । ଏମସି ମେହତାଙ୍କ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ ପାଳ ଜାଳିବା ଘଟଣା ନୂଆ ନୁହେଁ । ୪-୫ ବର୍ଷ ତଳେ କୋଭିଡ୍ ଏବଂ ଲକଡାଉନ୍ ସମୟରେ ମଧ୍ୟ ନଡ଼ା ପୋଡ଼ା ଯାଉଥିଲା । ଏହା ସତ୍ତ୍ୱେ ଆକାଶ ସ୍ପଷ୍ଟ ଏବଂ ନୀଳ ଦେଖାଯାଉଥିଲା । ଏବେ କାହିଁକି ନୁହେଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି? ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ପାଳ ପୋଡ଼ିବା ଉପରେ ବିତର୍କ ରାଜନୈତିକ କିମ୍ୱା ଅହଂକାରରର ପ୍ରସଙ୍ଗ ହେବା ଉଚିତ୍ ନୁହେଁ । ଦିଲ୍ଲୀର ବିଷାକ୍ତ ବାୟୁର ଅନେକ କାରଣ ଅଛି । ନଡ଼ା ପୋଡ଼ିବା ବ୍ୟତୀତ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣର କାରଣଗୁଡ଼ିକ ଉପରେ ବୈଜ୍ଞାନିକ ବିଶ୍ଳେଷଣ କରାଯିବା ଉଚିତ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ୱର ୧୦ରେ ଅନୁଷ୍ଠିତ ହେବ ।

Spread the love