ସତ୍ୟକୁ ସାମ୍ନା କରିବାର ସତସାହସ ରଖି ସତ୍ୟ କହିବାର ଅଭ୍ୟାସ କରନ୍ତୁ – ସୂରଜ ସୂର୍ଯ୍ୟବଂଶୀ

ଭୁବନେଶ୍ୱର, ଅଗଷ୍ଟ ୨୪– ବିଜେଡ଼ି ପ୍ରବକ୍ତା ସସ୍ମିତ ପାତ୍ର ସତ୍ୟକୁ ସାମ୍ନା କରିବାର ସତସାହସ ରଖି ସତ୍ୟ କହିବାର ଅଭ୍ୟାସ କରନ୍ତୁ ବୋଲି ଟ୍ୱିଟ୍ କରି କହିଛନ୍ତି ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ ।

ସେ ଟ୍ୱିଟ୍ କରି କହିଛନ୍ତି ଯେ ବିଜେଡି ପ୍ରବକ୍ତା ଯାହାଙ୍କ ଉଦ୍ଦେଶ୍ୟରେ ଟ୍ୱିଟ୍ ଲେଖୁଛନ୍ତି ସେ ଆମର ନେତା । ସେ ଯାହା କୁହନ୍ତି କାମରେ କରି ଦେଖାଇବାର ରାଜ୍ୟ ଓ ଦେଶରେ ଏକ ଉଦାହରଣ ହୋଇ ରହିଛି । ପାଲଲହଡାରୁ ସେ ପ୍ରଥମ ବିଧାୟକ ହୋଇ ଶ୍ରେଷ୍ଠ ବିଧାୟକ ଭାବେ ସମ୍ମାନିତ ହୋଇଛନ୍ତି ତଥା ଦେବଗଡ଼ରୁ ଯୁବ ସାଂସଦ ହୋଇ ସେତେବେଳେ ଚର୍ଚ୍ଚାରେ ଥିଲେ । ସେ ସମୟରେ ଏହି ପ୍ରବକ୍ତା ରାଜନୀତି ଜୀବନ ଆରମ୍ଭ କରିନଥିବେ । ସେଥିପାଇଁ ସେ ଜାଣିନାହାନ୍ତି, କେନ୍ଦ୍ରମନ୍ତ୍ରୀ କେବେ ନିର୍ବାଚନ ଜିତିଥିଲେ । ନିଜର ମାଲିକଙ୍କୁ ଖୁସି କରିବା ପାଇଁ ଆଜି ସେ ଏହି ପୋଷ୍ଟ୍ କରିଛନ୍ତି । ସସ୍ମିତ ଭାଇଙ୍କୁ କଣ କହିବା ? ତାଙ୍କ ଚରିତ୍ର ଏହିଭଳି । ଯେତେବେଳେ ଯାହାର ଖାଆନ୍ତି, ତା’ ପାଇଁ ସେତେବେଳେ ଗୁଣଗାନ କରନ୍ତି । ମୁଁ ଆପଣଙ୍କୁ ମନେପକାଇଦେବାକୁ ଚାହେଁ ଯେ ଆପଣ ଦିନେ ମୁଖ୍ୟମନ୍ତ୍ରୀଙ୍କୁ ବେଇମାନ ବୋଲି କହିଥିଲେ । ଆପଣ ଜଣେ ପେଶାଦାର ପ୍ରବକ୍ତା ଭଳି ଭୂମିକା ନିର୍ବାହ କରୁଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କୁ ସଦବୁଦ୍ଧି ଦିଅନ୍ତୁ ।

ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆପଣଙ୍କ ସରକାର କିପରି ଭାବରେ ଲୋକଙ୍କ ସହ ବିଶ୍ୱାସ ଘାତକ କରିଛି, ସମସ୍ତେ ଜାଣିଛନ୍ତି । ନରେନ୍ଦ୍ର ମୋଦିଙ୍କ ସରକାର ଓଡ଼ିଶାର ଲୋକଙ୍କୁ 27 ଲକ୍ଷରୁ ଉର୍ଦ୍ଦ୍ୱ ଘର ଆବଣ୍ଟନ କରିଥିବା ବେଳେ ଆପଣଙ୍କ ସରକାର ସେହି ଘର ଗରିବ ଲୋକଙ୍କୁ ଦେବାରେ ଚଞ୍ଚକତା କରୁଛନ୍ତି ଏବଂ ସଠିକ୍ ଲୋକଙ୍କୁ ନ ଦେଇ ବିଜେଡି କର୍ମୀଙ୍କୁ ବାଣ୍ଟିବାରେ ବ୍ୟସ୍ତ ଅଛନ୍ତି । ହଜାର କୋଟି ଟଙ୍କାର ଆବାସ ଦୁର୍ନୀତି ଓଡିଶାରେ ହୋଇଛି ବୋଲି ବିଗତ ଦିନରେ ଖବର ସତ ନା ମିଛ ?

ନରେନ୍ଦ୍ର ମୋଦିଙ୍କ ସରକାରରେ ଓଡ଼ିଶାକୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ 18 ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଆସିଛି । ଏହା କଣ ଓଡ଼ିଆ ଲୋକଙ୍କର ହିତରେ ଲାଗିବ ନାହିଁ କି ? ରେଳ କ୍ଷେତ୍ରରେ 2014 ପର ଠାରୁ ଓଡ଼ିଶା ସରକାର ରେଳ ବଜେଟରେ ଭାବି ନଥିବା ଅର୍ଥରୁ ଅଧିକ ଅର୍ଥ ଦେଇ ମୋଦି ସରକାର ଓଡ଼ିଶାକୁ ପ୍ରଧାନ୍ୟ ଦେଇଛନ୍ତି । ଆମ ଦଳର ନେତା ଓ କାର୍ଯ୍ୟକର୍ତ୍ତାମାନେ ପ୍ରଶାସକଙ୍କ ପାଇଁ ମଞ୍ଚ ବାନ୍ଧିବା, ଚେୟାର ପକାଇବା ଓ ଲୋକ ଯୋଗାଡ କରିବା ଭଳି କାର୍ଯ୍ୟ କରନ୍ତି ନାହିଁ, ଯେଉଁ କାର୍ଯ୍ୟରେ ଆପଣ ଓ ଆପଣଙ୍କ ଦଳର ନେତା ଓ ମନ୍ତ୍ରୀମାନେ ଏହି କାର୍ଯ୍ୟରେ ଲାଗିଛନ୍ତି । ଆପଣଙ୍କ ଦଳର ନେତାମାନେ ଏବେ ଯେଉଁ ଉଦାହରଣ ସୃଷ୍ଟି କରୁଛନ୍ତି ଓଡ଼ିଶାର ରାଜନୈତିକ ଇତିହାସରେ ଏକ ଲଜ୍ଜାଜନକ ଘଟଣା ଭାବରେ ଲିପିବଦ୍ଧ ହୋଇ ରହିବ ।

ଆଜି ବି ବିଜେଡି ନେତା ଓ ବିଜେଡି ସରକାରର ମନ୍ତ୍ରୀମାନେ କୌଣସି ପ୍ରଶ୍ନର ସିଧା ଉତ୍ତର ନ ଦେଇ ବୁଲେଇ ବାଙ୍କେଇ କହିବା ଦୈନନ୍ଦିନ ଘଟଣା । ଆଜି ଓଡ଼ିଶାରେ ଶିଶୁ ଓ ମାତୃ ମୃତ୍ୟୁହାର, ନାରୀ ନିର୍ଯ୍ୟାତନାରେ ଓଡ଼ିଶା କେଉଁ ସ୍ଥାନରେ ଅଛି ? ସ୍ୱାଧୀନତା ଦିବସ ଅବସରରେ କୋରାପୁଟ ଜିଲ୍ଲାର କୁନି ଝିଅ ଯେଉଁ ପ୍ରଶ୍ନ ପଚାରିଥିଲା, ତାହାର ଉତ୍ତର ଆପଣ ଓ ଆପଣଙ୍କ ମୁଖିଆଙ୍କ ପାଖରେ ଅଛି କି ବୋଲି ବିଜେଡି ପ୍ରବକ୍ତାଙ୍କୁ ଧାମନଗର ବିଧାୟକ ପ୍ରଶ୍ନ କରିଛନ୍ତି ।

Spread the love