ଜାତି ତାଲିକା ଚୂଡାନ୍ତ କରି ଘରକୁ ଘର ସର୍ଭେ ହେଉ : ସୁରଥ ବିଶ୍ୱାଳ

ଭୁବନେଶ୍ୱର, ତା.୦୧/୦୫ : ରାଜ୍ୟରେ ପଛୁଆବର୍ଗ ସର୍ଭେ ପାଇଁ ରାଜ୍ୟ ସରକାରଙ୍କର ଆନ୍ତରିକତା ନାହିଁ । ୫୪% ଲୋକଙ୍କ ଆକ୍ରୋଶରୁ ବର୍ତିବା ପାଇଁ ରାଜ୍ୟବାସୀଙ୍କୁ ବିଭ୍ରାନ୍ତୀକର ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ଏବେ ବି ରାଜ୍ୟ ପଛୁଆ ବର୍ଗ(ଏସଇବିସି) ତାଲିକା ଚୂଡାନ୍ତ ହୋଇନାହିଁ । ପ୍ରଥମେ ଜାତିବର୍ଗ ତାଲିକା ଚୂଡାନ୍ତ କରି କେନ୍ଦ୍ର ଓବିସି ତାଲିକାଭୁକ୍ତ ଜାତିବର୍ଗଙ୍କୁ ରାଜ୍ୟ ତାଲିକାରେ ସଂଶ୍ଳିଷ୍ଟ କରନ୍ତୁ । ତାପରେ ଘର ଘର ବୁଲି ସଠିକ୍ ସର୍ଭେ କରନ୍ତୁ ରାଜ୍ୟ ସରକାର ବୋଲି ଓବିସିମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ ଦାବି କରିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ବିଶ୍ୱାଳ ଅଭିଯୋଗ କରିଛନ୍ତି ଯେ, ବିଧାନସଭାରେ ସଂକଳ୍ପପାରିତ ହେବାର ୨ବର୍ଷ ପରେ ଯେଉଁ ସର୍ଭେ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି ତାହା ତୃଟିପୂର୍ଣ୍ଣ । ରାଜ୍ୟ ମୁଖ୍ୟଶାସନ ସଚିବ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟବାସୀଙ୍କ ଆଗରେ ମିଥ୍ୟା ତଥ୍ୟ ରଖିଛନ୍ତି । ଏପରିକି ରାଜ୍ୟ ସରକାର ପବିତ୍ର ବିଧାନସଭାକୁ ବି ଏହି ମିଥ୍ୟା ତଥ୍ୟ ଦେଇଛନ୍ତି । ପଂଚାୟତ ଓ ପୌର ନିର୍ବାଚନ ସମୟରେ ଉଚ୍ଚନ୍ୟାୟଳୟକୁ ଏହିଭଳି ମିଥ୍ୟା ତଥ୍ୟ ଦେଇଥିଲେ ରାଜ୍ୟ ସରକାର । ଯେଉଁଥିପାଇଁ ଏହି ଜାତିବର୍ଗମାନେ ଦୀର୍ଘଦିନରୁ ପାଉଥିବା ସଂରକ୍ଷଣରୁ ବଂଚିତ ହେଲେ । ୨୨ଟି ଜାତିକୁ କେନ୍ଦ୍ର ଓବିସି ତାଲିକାରୁ ଆଣି ରାଜ୍ୟ ଏସଇବିସି ତାଲିକାରେ ଯୋଡିବା କଥା କହୁଥିଲେ ମଧ୍ୟ ବାସ୍ତବରେ ୨୦ଜାତି ସମ୍ପୂର୍ଣ୍ଣ ନୂଆଭାବେ ତାଲିକା ଭୁକ୍ତ ହୋଇଛନ୍ତି । ଏହି ଜାତିବର୍ଗ ପୂର୍ବରୁ କେନ୍ଦ୍ର କିମ୍ବା ରାଜ୍ୟର କୌଣସି ତାଲିକାଭୁକ୍ତ ନଥିଲେ । କେନ୍ଦ୍ର ଓବିସି ତାଲିକାରେ ଥିବା ଅନେକ ଜାତିବର୍ଗ ଏବେବି ରାଜ୍ୟ ଏସଇବିସି ତାଲିକାଭୁକ୍ତ ହୋଇନପାରିବା ଦୁର୍ଭାଗ୍ୟଜନକ । ଯଦି ଜାତିବର୍ଗ ତାଲିକା ଚୂଡାନ୍ତ ହୋଇନାହିଁ ତେବେ କେଉଁ ଆଧାରରେ କାହାର ସର୍ଭେ କରାଯିବ ବୋଲି ଶ୍ରୀ ବିଶ୍ୱାଳ ସିଧା ପ୍ରଶ୍ନ କରିଛନ୍ତି ।
ଭାରତୀୟ ଜନତା ପାର୍ଟି ଏନେଇ ବାରମ୍ବାର ସ୍ୱର ଉଠାଇବା ପରେ ପୁଣି ଭେଳିକି କରି ସର୍ଭେ କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ବାସ୍ତବରେ ଏହା ସର୍ଭେ ନୁହେଁ, ଏହା ଯୋଜନାବଦ୍ଧ ଷଡଯନ୍ତ୍ର । ଚଳିତ ସର୍ଭେରେ ବାସ୍ତବ ସଂଖ୍ୟା ସ୍ଥିର କରିବା ରାଜ୍ୟ ସରକାରଙ୍କ ଉଦେ୍ଦଶ୍ୟ ନଥିବା ମନେହେଉଛି । ପଛୁଆବର୍ଗର ଲୋକମାନେ ଜନସେବା କେନ୍ଦ୍ରକୁ ଯାଇ ଫର୍ମ ପୂରଣ କରି ଜାତି କୋର୍ଡ ନଂ ଦେଇ ଆବେଦନ କରିବା କେତେଦୂର ସମ୍ଭବ ଏହା ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । କେନ୍ଦ୍ର ସରକାରଙ୍କ ଓବିସି ତାଲିକାରେ ଯେଉଁ ନାଁ ଅଛି ତାହା ଏସଇବିସି ତାଲିକାରେ ନିଶ୍ଚିିତ ରହିବା କଥା କିନ୍ତୁ ତାହା ନାହିଁ ।
୨୪ବର୍ଷ ଭିତରେ ଓବିସି ବର୍ଗଙ୍କୁ ଏସଇବିସିକୁ ନଆଣିବା ଦୁର୍ଭାଗ୍ୟର ବିଷୟ । ରାଜ୍ୟ ସରକାର ଓବିସି ସର୍ଭେର ମାନେ କଣ? ଘର ଘର ବୁଲିବା ପ୍ରକୃତ ଓବିସିଙ୍କୁ ଚିହ୍ନଟ କରିବା ନାଁ ଆବେଦନ ନାଁରେ ସର୍ଭେ କାର୍ଯ୍ୟକୁ ବାଟବଣା କରିବା । ସତରେ ଯଦି ରାଜ୍ୟ ସରକାର ଓବିସିବର୍ଗଙ୍କୁ ସାମ୍ବିଧାନିକ ଅଧିକାର ଦେବାକୁ ଚାହୁଁଛନ୍ତି ତାହାଲେ ନିର୍ଭୁଲ ଓ ନିରପକ୍ଷଭାବେ କିପରି ଗଣନା କରାଯିବ ତାହା ପାଇଁ ସଠିକ୍ ଯୋଜନା କରନ୍ତୁ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ଜାତି ତାଲିକା ସଂଶୋଧନ ପାଇଁ କେନ୍ଦ୍ର ଆଇନ ପ୍ରଣୟନ କଲା କିନ୍ତୁ ରାଜ୍ୟ ସରକାର ଆଜିପର୍ଯ୍ୟନ୍ତ ତାଲିକା ଦେଲେ ନାହିଁ । ରାଜ୍ୟ ସରକାର ଓଡିଶାର ଲୋକଙ୍କୁ ମୁର୍ଖ ଓ ବୋକା ଭାବନ୍ତୁ ନାହିଁ । ତାଲିକା ପ୍ରସ୍ତୁତ କରି ଘର ଘର ବୁଲି ସର୍ଭେ କରନ୍ତୁ, ତାହାଲେ ଅସଲ ଉଦେ୍ଦଶ୍ୟ କାର୍ଯ୍ୟକାରୀ ହୋଇପାରିବ । ଅନ୍ୟ ରାଜ୍ୟ ଯଥା ବିହାର, ଉତରପ୍ରଦେଶ ଓ ମଧ୍ୟପ୍ରଦେଶର ସରକାର ଓବିସି ତାଲିକା ସର୍ଭେ କିପରି କରୁଛନ୍ତି ତାହାକୁ ରାଜ୍ୟ ସରକାର ଶିଖନ୍ତୁ । ବିବାଦୀୟ ସର୍ଭେ କାର୍ଯ୍ୟ କେବେ ସରିବ? ଚଳିତ ଶିକ୍ଷାବର୍ଷରେ ନାମ ଲେଖା ପାଇଁ ପଛୁଆବର୍ଗଙ୍କୁ ସଂରକ୍ଷଣ ଦିଆଯିବ କି ନାହିଁ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ କେ. ନାରାୟଣ ରାଓ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ଓବିସି ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love