ପଛୁଆବର୍ଗ ସର୍ଭେ ରିପୋର୍ଟ ଗଲା କୁଆଡେ: ସୁରଥ ବିଶ୍ୱାଳ

ଭୁବନେଶ୍ୱର,ତା.୦୯/୦୮: ବହୁ ପ୍ରଚାରିତ ପଛୁଆବର୍ଗ ସର୍ଭେ ମଇ ୧ ରୁ ଆରମ୍ଭ ହୋଇ ମଇ ୨୭ରେ ସରିବ ଏବଂ ସେହି ଆଧାରରେ ଓବିିସି ବର୍ଗଙ୍କୁ ସବୁ କ୍ଷେତ୍ରରେ ସଂରକ୍ଷଣର ସୁବିଧା ମିଳିବ ବୋଲି ରାଜ୍ୟ ସରକାର ଡିଣ୍ଡିମ ପିଟୁଥିଲେ । ଏବେ ତିନି ମାସ ପରେ ବି ରିପୋର୍ଟର ସ୍ଥିତି ସମ୍ପର୍କରେ ରାଜ୍ୟବାସୀଙ୍କୁ ଆଦୌ ନଜଣାଇବା ପଛର କାରଣ ସମ୍ପର୍କରେ ଜାଣିବା ପାଇଁ ଆଜି ରାଜ୍ୟ ଓବିସିମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ଓବିସି କମିଶନ ଅଧ୍ୟକ୍ଷଙ୍କୁ ଭେଟି ଏସମ୍ପର୍କରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସର୍ଭେ ରିପୋର୍ଟ ତୁରନ୍ତ ସାର୍ବଜନୀନ କରିବା ପାଇଁ ଓବିସି କମିଶନଙ୍କ ନିକଟରେ ଦାବି ଜଣାଇଛନ୍ତି ।
ସର୍ଭେ ବାହାନା ଦେଖାଇ ରାଜ୍ୟ ସରକାର ଚଳିତବର୍ଷ ଉଚ୍ଚଶିକ୍ଷା ପାଇଁ ନାମ ଲେଖାରେ ମଧ୍ୟ ସଂରକ୍ଷଣ ଦେଲେ ନାହିଁ । ଚଳିତ ଶିକ୍ଷା ବର୍ଷ ପାଇଁ ନାମଲେଖା ଏବେ ଚୂଡାନ୍ତ ପର୍ଯ୍ୟାୟରେ ପଂହଚିଛି, ହେଲେ ରାଜ୍ୟ ସରକାର ଏସମ୍ପର୍କରେ କୌଣସି ପଦକ୍ଷେପ ନେବାର ନାଁ ଧରୁନାହାନ୍ତି । ସମଗ୍ର ଦେଶର ଓବିସି ଛାତ୍ରଛାତ୍ରୀମାନେ ୨୭ପ୍ରତିଶତ ସଂରକ୍ଷଣ ସୁବିଧା ପାଉଥିବାବେଳେ ଓଡ଼ିଶାର ଛାତ୍ରଛାତ୍ରୀମାନେ କାହିଁକି ସେମାନଙ୍କର ସାମ୍ବିଧାନିକ ଅଧିକାରରୁ ବଂଚିତ ହେବେ ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।
ଏହା ବ୍ୟତୀତ ରାଜ୍ୟ କେତେକ ଜାତିବର୍ଗ ଯେଉଁମାନଙ୍କ ନାମ ଏସିବିସି ତାଲିକାରେ ଅଛି ସେମାନଙ୍କୁ ଓବିସି ତାଲିକାଭୁକ୍ତ କରିବା ପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିଲେ ବି ତାହା ଦୀର୍ଘଦିନ ହେଲା ପୂର୍ବାବସ୍ଥାରେ ଅଛି । ତୁରନ୍ତ ସେ ସମ୍ପର୍କିତ ରିପୋର୍ଟ କେନ୍ଦ୍ର କମିଶନଙ୍କୁ ପ୍ରଦାନ କରାଗଲେ ସେମାନେ କେନ୍ଦ୍ରୀୟ ଯୋଜନାର ଲାଭ ପାଇପାରନ୍ତେ । ଏସମସ୍ତ ଦାବି ଗୁଡିକ ସମ୍ପର୍କରେ କମିଶନ ତାଙ୍କର ଅକ୍ଷମତା ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କୁ ଜଣାନ୍ତୁ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ଏହି ପ୍ରତିନିଧି ଦଳରେ ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ, ବିବେକାନନ୍ଦ ଜେନା, ପ୍ରଶାନ୍ତ କୁମାର ନାୟକ, ସନ୍ତୋଷ ମହାପାତ୍ର, ରଞ୍ଜିତା ନାୟକ, ସୁବୋଧ ବାରିକ, ଜଗଦିଶ୍ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love