ସମ୍ବଲପୁରରେ ଅଭାବନୀୟ ପରିସ୍ଥିତି ପାଇଁ ରାଜ୍ୟ ସରକାର ଦାୟୀ : ସୁରେଶ ପୂଜାରୀ

ନୂଆଦିଲ୍ଲୀ / ଭୁବନେଶ୍ୱର, ତା.୧୬/୧୨: ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା ନେଇ ରାଜ୍ୟ ସରକାର ତାଙ୍କ ଦାୟୀତ୍ୱ ତୁଲାଇ ନାହାନ୍ତି । ସମ୍ବଲପୁରରେ ଯେଉଁ ପରିସ୍ଥିତି ଉପୁଜିଲା, ତାକୁ ଏଡାଇ ଦିଆଯାଇ ପାରିଥାନ୍ତା । ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ନେଇଥିଲେ ଏଭଳି ପରିସ୍ଥିତି ହୋଇନଥାନ୍ତା । ରାଜ୍ୟ ସରକାରଙ୍କ ବିଳମ୍ବ ନୀତି କାରଣରୁ ହିଂସା ଉପୁଜିଲା । ଏଭଳି ଅଭାବନୀୟ ପରିସ୍ଥିତି ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ ବୋଲି ବରଗଡ ସାଂସଦ ଶ୍ରୀ ସୁରେଶ ପୂଜାରୀ କହିଛନ୍ତି ।
ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପୂଜାରୀ କହିଛନ୍ତି ଯେ, ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବି ଏକ ସ୍ପର୍ଶକତାର ବିଷୟ । ସ୍ଥାୟୀ ବେଂଚ ପ୍ରତିଷ୍ଠା ପ୍ରସଙ୍ଗରେ ବର୍ତମାନ ସୁଦ୍ଧା ପୁର୍ଣ୍ଣାଙ୍ଗ ରିପୋର୍ଟ ଦେଇନାହାନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାର ବହୁବାର ସଂସଦରେ ନିଜର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ଚିଠିର ଉତର ରାଜ୍ୟ ସରକାର ଦେଲେ ନାହିଁ । ରାଜ୍ୟ ସରକାରଙ୍କ ନୀରବତା ଏବଂ ନିଷ୍ଠାର ଅଭାବ କାରଣରୁ ଗତ ୧୨ତାରିଖ ସମ୍ବଲପୁରରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି ।
ଆନ୍ଦୋଳନରତ ସଂଖ୍ୟାଧିକ ଆଇନିଜୀବୀଙ୍କୁ ପୋଲିସ ଗିରଫ କରିଛି । ଅନେକ ଓକିଲଙ୍କ ଲାଇସେନ୍ସ ରଦ୍ଦ କରାଯିବା ସହିତ ଗିରଫ ମଧ୍ୟ କରାଯାଉଛି । ଏହି କାରଣରୁ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ଏବଂ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ନୀରବତା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟ ସରକାର ନିଜର ଭୁଲ ଓ ତ୍ରୁଟିକୁ ଚିହ୍ନି ତାହାର ସମାଧାନ ନକରିଲେ ଆଗକୁ ପରିସ୍ଥିତି ଆହୁରି ବିଗିଡିଯିବ । ସ୍ୱାଭାବିକ ପରିସ୍ଥିତି ଓ ପୂର୍ବ ଭଳି କୋର୍ଟ କାର୍ଯ୍ୟ ଚାଲୁ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଅବିଳମ୍ବେ ଘଟଣାରେ ହସ୍ତକ୍ଷେପ କରି ସମସ୍ୟାର ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ଉଚିତ୍ । ଗିରଫ ହୋଇଥିବା ଓକିଲଙ୍କ ମୁକ୍ତି ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ପୂଜାରୀ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମ ଓଡିଶାର ସମସ୍ତ ବିଜେପି ସାଂସଦ ଜୁଏଲ ଓରାମ, ସଂଗୀତା ସିଂହଦେଓ, ବସନ୍ତ ପଣ୍ଡା ଏବଂ ନିତେଶ ଗଙ୍ଗଦେବ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love