ଜାତୀୟ ଯୁବ ଦିବସରେ ସୋଆରେ ସ୍ୱାମୀ ବିବେକାନନ୍ଦଙ୍କ ଅବଦାନ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଜାତୀୟ ଯୁବ ଦିବସ ଉପଲକ୍ଷେ ଗତ ବୁଧବାର ଦିନ ସୋଆ ବିଶ୍ୱବିଦ୍ୟାଳୟରେ ସ୍ୱାମୀ ବିବେକାନନ୍ଦଙ୍କ ର ଭାରତୀୟ ଜ୍ଞାନ ପରମ୍ପରା ପ୍ରତି ଅବଦାନ ଉପରେ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି । ଗୁଗୁଲ୍ ମିଟ୍ ପ୍ଲାଟ୍‌ଫର୍ମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖଣ୍ଡଗିରି ସ୍ଥିତ ଶିବାନନ୍ଦ ଶତବାର୍ଷିକୀ ବାଳକ ବିଦ୍ୟାଳୟର ସଂପାଦକ ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀ ଓ ସୋଆ କୁଳପତି ପ୍ରଫେସର (ଡଃ) ଅଶୋକ କୁମାର ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀ ସ୍ୱାମୀ ବିବେକାନନ୍ଦଙ୍କ ର ଭାରତୀୟ ମାନଙ୍କ ପ୍ରତି “ଜାଗ, ନିଦ୍ରା ତେଜି ଲକ୍ଷ୍ୟ ହାସଲନ ହେବା ପର୍ଯ୍ୟନ୍ତ ବିଶ୍ରାମ ନିଅ ନାହିଁ ’’ ଆହ୍ୱାନ ଉପରେ ବକ୍ତବ୍ୟ ରଖିଥିଲେ । ଏହି ଆହ୍ୱାନ ଭାରତୀୟ ମାନଙ୍କୁ ଜାଗୃତ କରିଥିଲା ବୋଲି ସେ କହିଥିଲେ । ପ୍ରଫେସର(ଡଃ) ମହାପାତ୍ର ଛାତ୍ରଛାତ୍ରୀ ମାନଙ୍କୁ ସବୁ ସମୟରେ ଏକ ସକାରାତ୍ମକ ମନୋଭାବ ବହନ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ । ପ୍ରତିଦିନ ସମସ୍ତେ ସକାରାତ୍ମକ ଚିନ୍ତାରେ ୫ ମିନିଟ୍ ସମୟ ଉପଯୋଗ କଲେ ଉତମ ଫଳ ମିଳିପାରିବ ବୋଲି ସେ କହିଥିଲେ । ସେ ଯୋଗ ଦେଇଥିବା ଛାତ୍ରଛାତ୍ରୀ ମାନଙ୍କ ପ୍ରଶ୍ନର ଉତର ମଧ୍ୟ ଦେଇଥିଲେ । ସୋଆର ଡିନ (ଛାତ୍ର ମଙ୍ଗଳ) ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଓ ୟୁନିଭର୍ସିଟି ଆଉଟରିଚ ପ୍ରୋଗ୍ରାମ ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ଏହି କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଥିଲେ । ଏନଏସଏସ ପ୍ରୋଗ୍ରାମ ଅଫିସର ପ୍ରଫେସର ସରୋଜ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love