ସ୍ୱସ୍ତି ଗ୍ରୁପ ପକ୍ଷରୁ ପୁରୀରେ ନିର୍ମାଣ ହେବ ପଞ୍ଚତାରକା ହୋଟେଲ, ଭର୍ଚୁଆଲ ମାଧ୍ୟମରେ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ପୁରୀ, ୧୦/୦୧: ରାଜ୍ୟର ପ୍ରତିଷ୍ଠିତ ହୋଟେଲ ସଂସ୍ଥା ସ୍ୱସ୍ତି ଗ୍ରୁପ ପକ୍ଷରୁ ପୁରୀରେ ପଞ୍ଚତାରକା ହୋଟେଲ ନିର୍ମାଣ କରାଯିବ।ସିପସରୁବାଲି ଅଞ୍ଚଳରେ ସ୍ୱସ୍ତି ପ୍ରିମୟମ ବିଚ ରିସୋର୍ଟ ନାମରେ ହେବାକୁ ଥିବା ଏହି ହୋଟେଲରେ ୧୬୦କୋଟିର ପୁଞ୍ଜିନିବେଶ ହେବ। ଆଜି ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଏହାର ଶିଳାନ୍ୟାସ କରିଛନ୍ତି। ରିସୋର୍ଟ ପରିସରରେ ମୁକ୍ତାକାଶ ଲ୍ୟାଣ୍ଡସ୍କେପିଂ ଠାରୁ ଆରମ୍ଭ କରି ଶୀତତାପ ନିୟନ୍ତ୍ରିତ ବୃହତ ସମ୍ମିଳନୀ କକ୍ଷ ରଖାଯିବ। ବିଭିନ୍ନ ରାଜ୍ୟ ଓ ଦେଶର ପ୍ରମୁଖ ଖାଦ୍ୟକୁ ନେଇ ଏକ ଫୁଡ଼ କୋର୍ଟ ମଧ୍ୟ ନିର୍ମାଣ କରାଯିବ।

୨୦୨୪ ଜାନୁୟାରୀ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାସହ ମେଗା ସମ୍ମିଳନୀ ଓ ବାହାଘର ପାଇଁ ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିବ। ୧୩ମହଲା ଉପରେ ସ୍କାଏ ଲାଉଞ୍ଜ ବାର ରହିବ। ଏଥିରେ ମୋଟ ୧୨୫ଟି ରୁମ ରହିବ। ଷ୍ଟେଟ ଅଫ ଆର୍ଟ ୱେଲନେସ ସ୍ପା ଓ ଜିମ ବ୍ୟବସ୍ଥା ରହିବ। ପ୍ରଥମ କରି ପୁରୀରେ ଏହି ପଞ୍ଚତାରକା ଅତ୍ୟାଧୁନିକ ବିଳାସପୂର୍ଣ୍ଣ ରିସୋର୍ଟ ନିର୍ମାଣ ହେବାକୁ ଯାଉଛି । ଯାହାକି ଏହି ରିସୋର୍ଟ ବହୁମାତ୍ରାରେ ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି ସମସ୍ତେ ଆଶା ରଖିଛନ୍ତି।

Spread the love