ମହିଳାଙ୍କ ଉପରେ ବାବା ରାମଦେବଙ୍କ ବୟାନକୁ ନେଇ ହଙ୍ଗାମା

ନୂଆଦିଲ୍ଲୀ ୨୭।୧୧: ଯୋଗ ଗୁରୁ ବାବା ରାମଦେବ ମହିଳାଙ୍କ ଉପରେ ଦେଇଥିବା ବୟାନର ବିରୋଧ ଆରମ୍ଭ ହୋଇଯାଇଛି। କଂଗ୍ରେସ ଓ ଟିଏମସି ବ୍ୟତୀତ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ ମଧ୍ୟ ବୟାନକୁ ଆପତ୍ତି ଜନକ କହିଛନ୍ତି। ଏଥି ଲାଗି ବାବା କ୍ଷମାଯାଚନା କରନ୍ତୁ ବୋଲି ମାଲିୱାଲ କହିଛନ୍ତି। ମାଲିୱାଲ ବାବା ରାମଦେବଙ୍କ କାର୍ଯ୍ୟକ୍ରମ ଭିଡିଓ ସେୟାର କରି ଉଲ୍ଲେଖ କରିଛନ୍ତି ଯେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କ ଆଗରେ ମହିଳାଙ୍କ ଉପରେ ବାବାଙ୍କ ଏପରି ଟିପ୍ପଣୀ ବାସ୍ତବିକ ନିନ୍ଦନୀୟ।

ସେ ଉଲ୍ଲେଖ କରିଛନ୍ତି ଯେ ତାଙ୍କର ଏପରି ବୟାନରେ ସବୁ ମହିଳା ଆହତ ହୋଇଛନ୍ତି। ଏଣୁ ରାମ ଦେବଙ୍କୁ ଦେଶରେ କ୍ଷମା ମାଗିବାକୁ ପଡିବ। ସେହିପରି ତୃଣ ମୂଳ ସାଂସଦ ମହୂଆ ମୈତ୍ର କହିଛନ୍ତି ଯେ ଏତେ ଦିନରେ ଜାଣିଲି ବାବା ରାମଦେବ ରାମ ଲିଳା ମୈଦାନରୁ ମହିଳାଙ୍କ ସାଲୱାର ସୁଟ୍ ପିନ୍ଧି କାହିଁକି ଫେରାର ହୋଇଥିଲେ। ସେହିପରି  ଆନ୍ଧ୍ର ପ୍ରଦେଶ ମହିଳା ସାମୁଖ୍ୟ ମଧ୍ୟ ବାବାଙ୍କ ବାୟନ ବିରୋଧରେ ନିଜର ଆପତ୍ତି ଜଣାଇଛନ୍ତି। ସେପଟେ ମହାରାଷ୍ଚ୍ର ଚନ୍ଦ୍ରପୁର ଜିଲ୍ଲାରେ ମହିଳା କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ବାବା ରାମଦେବଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛି।

ଉଲ୍ଲେଖଯୋଗ୍ୟ ଯେ ବାବା ରାମଦେବ ମହାରାଷ୍ଟ୍ର ଠାଣେରେ ଅନୁଷ୍ଠିତ ଏକ ୟୋଗ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲେ। ସେଠାରେ ଉପସ୍ଥିତ ମହିଳାମାନଙ୍କୁ ବାବା ସମ୍ବୋଧିତ କରି କହିଥିଲେ ଯେ କାର୍ଯ୍ୟକ୍ରମରେ ଉପସ୍ଥିତ ମହିଳାମାନେ ସେମାନଙ୍କ ବ୍ୟାଗ୍‌ରେ ସାଢୀ ଆଣି ଆସିଛନ୍ତି। ସକାଳେ ଯୋଗ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଥିଲା। ଏହା ପରେ ମଧ୍ୟାହ୍ନ ଯୋଗ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଗଲା। ତେବେ କିଛି କଥା ନାହିଁ ଘରକୁ ଗଲେ ସାଢି ପିନ୍ଧିବେ। ମହିଳାମାନେ ସାଢୀରେ ବି ସୁନ୍ଦର ଦିଶନ୍ତି ସାଲୱାର ସୁଟରେ ବି ଭଲ ଲାଗନ୍ତି, ମୋ ଭଳି କିଛି ନ ପିନ୍ଧିଲେ ବି ବହୁତ ଭଲ ଲାଗନ୍ତି। ଆଗେ ପିଲାଙ୍କୁ କିଏ ପୋଷାକ ପିନ୍ଧାଉଥିଲେ, ଆଜି ପିଲାଙ୍କୁ ୫ ପରସ୍ତ ପୋଷାକ ପିନ୍ଧାଇ ଦିଆଯାଉଛି ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶଙ୍କ ପତ୍ନୀ  ଅମୃତା ଫଡନବୀଶ ମଧ୍ୟ ମହଜୁଦ ଥିଲେ।

ଏଥିରେ ରାମ ଦେବ ଅମୃତା ଫଡନବୀଶଙ୍କୁ ଉଲ୍ଲେଖ କରି କହିଥିଲେ ଯେ ଅମୃତା ପଡନବୀଶଙ୍କୁ ଯୁବତୀ ହୋଇ ରହିବାର ଏତେ ନିଶା ଯେ ମୋତେ ଲାଗୁନି ସେ କେବେ ୧୦୦ ବର୍ଷର ହେବେ। କାରଣ ସେ ବହୁତ ଭାବିଚିନ୍ତି ଭୋଜନ କରନ୍ତି, ଖୁସି ଲାଗେ ଯେତେବେଳେ ସେ ପିଲାଙ୍କ ଭଳି ମୁରକି ହସନ୍ତି। ତା ପରେ ବାବା କହିଛନ୍ତି ଯେ ଅମୃତାଙ୍କ ପରି ସମସ୍ତଙ୍କ ମୁହଁରେ ସେ ହସ ଦେଖିବାକୁ ଚାହାନ୍ତି। ଏହାକୁ ନେଇ ସାରା ଦେଶରେ ମହିଳାମାନେ ଏବେ ବିରୋଧ କରିଛନ୍ତି।

Spread the love