ବନ୍ଧାକୋବି ଓ ବ୍ରୋକୋଲି ତୋଳିବାକୁ ବାର୍ଷିକ ଦରମା ୬୩ ଲକ୍ଷ ଟଙ୍କା

ନୂଆଦିଲ୍ଲୀ ୨୭/୦୯ : ଲକ୍ଷ ଲକ୍ଷ ଟଙ୍କାର ପ୍ୟାକେଜ ମିଳୁଥିଲେ ବେଳେବେଳେ ମଣିଷ ୱାର୍କ ପ୍ରୋଫାଇଲ ମଧ୍ୟ ଭଲ ଭାବେ ଚେକ କରିବାକୁ ଚାହିଁନଥାଏ। ଟିକିଏ ଭାବିଲେ, ଯଦି ପରିବା କାଟିବାକୁ ଆପଣଙ୍କୁ ବାର୍ଷିକ ୬୩ ଲକ୍ଷ ଟଙ୍କା ଦିଆଯାଉଛି, ତାହେଲେ କାହିଁକି କିଏ ରାଜି ହବନି। ୟୁକେର ଏକ ଫାର୍ମିଙ୍ଗ କମ୍ପାନୀ ତରଫରୁ ବନ୍ଧାକୋବି ତୋଳିବାକୁ କର୍ମଚାରୀଙ୍କୁ ଭଲ ଦରମା ଅଫର କରାଯାଉଛି। ଆହୁରି ବି କିଛି ଯାହା ଲୋକଙ୍କୁ ଏହି ଚାକିରୀ ପାଇଁ ଆକର୍ଷିତ କରିବ।
T H Clements and Son Ltd ତରଫରୁ ଅଫର କରାଯାଉଥିବା ଏହି ଚାକିରୀ ପାଇଁ ଅନଲାଇନ ବିଜ୍ଞାପନ ଦିଆଯାଇଛି। ବିଜ୍ଞାପନରେ କୁହାଯାଇଛି ଯେ ବର୍ଷ ସାରା କ୍ଷେତରୁ କୋବି ଓ ବ୍ରୋକୋଲି ତୋଳିବା କାମ ପାଇଁ ଘଣ୍ଟାକୁ ୩ ହଜାର ଟଙ୍କାରୁ ଅଧିକ ମିଳିବ। ଏହି କାମ ପାଇଁ ବାର୍ଷିକ ୬୩ ଲକ୍ଷ ୧୧ ହଜାର ୬୪୧ ଟଙ୍କା ଅଫର କରାଯାଉଛି। ୱାର୍କ ପ୍ରୋଫାଇଲରେ ଏହାକୁ ଶାରୀରିକ ପରିଶ୍ରମ ବୋଲି କୁହାଯାଇଛି ଏବଂ ଏହି କାମ ବର୍ଷ ସାରା କରିବାକୁ ପଡ଼ିବ।

ଏହି ଚାକିରୀ ପାଇଁ ଦୁଇଟି ବିଜ୍ଞାପନ ଦିଆଯାଇଛି। ଗୋଟିଏରେ କୁହାଯାଇଛି ଯେ ବନ୍ଧାକୋବି ତୋଳିବାକୁ ଫିଲ୍ଡ ଅପରେଟିଭ ଆବଶ୍ୟକ। ଯେତେ କୋବି ଓ ବ୍ରୋକୋଲି ତୋଳିବେ ସେ ହିସାବରେ ଦରମା ମିଳିବ। ଏଥିପାଇଁ ଘଣ୍ଟାକୁ ୩ ହଜାର ଟଙ୍କା ମିଳିପାରେ। ମଜାଦାର କଥା ହେଲା ଏହି କାମରେ ପିସ ହିସାବରେ ପାଉଣା ମିଳିବ। ଅର୍ଥାତ ଆପଣ ଦିନକୁ ୩ ହଜାରରୁ ଅଧିକ ମଧ୍ୟ ଆୟ କରିପାରିବେ। ଚାଷ କାମରେ ଏହିଭଳି ଅଫର ନିଶ୍ଚୟ ଆଶ୍ଚର୍ଯ୍ୟଜନକ।

ବର୍ତ୍ତମାନ ୟୁକେରେ କର୍ମଚାରୀ ଅଭାବ। ସେଥିପାଇଁ ସରକାର ମୌସୁମୀ କୃଷି ଶ୍ରମିକ ଯୋଜନା ଅନୁସାରେ ଲୋକଙ୍କୁ ୬ ମାସ ପାଇଁ ଏଠାକୁ ଆସିବାକୁ ମଉକା ଦେଇଛନ୍ତି ଯେପରି ସେମାନେ ଚାଷ କାମରେ ସାହାଯ୍ୟ କରିପାରିବେ। କେବଳ କୃଷି କ୍ଷେତ୍ରରେ ନୁହେଁ, ବର୍ତ୍ତମାନ ଦେଶର ଅନ୍ୟ କ୍ଷେତ୍ରରେ ମଧ୍ୟ କର୍ମଚାରୀ ଅଭାବ ଥିବାରୁ ଏଠାରେ ଭଲ ଦରମା ଅଫର କରାଯାଉଛି। କର୍ମଚାରୀ ଅଭାବ ଯୋଗୁଁ ଡ୍ରାଇଭରଠୁ ଆରମ୍ଭ କରି ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଦରମା ମଧ୍ୟ ୭୫ ପ୍ରତିଶତ ବୃଦ୍ଧି ହୋଇଛି।

Spread the love