ତହସିଲ କାର୍ଯ୍ୟାଳୟ ଘେରିଲେ ଚାଷୀ, ଠିକା ସଂସ୍ଥା L&T ବିରୋଧରେ ନାରାବାଜି

ଆଠଗଡ ୨୮।୮: ଚାଷୀଙ୍କ ତହସିଲ କାର୍ଯ୍ୟାଳୟ ଘେରାଉ । କଟକ ଜିଲ୍ଲା ନରସିଂହପୁର ବ୍ଲକ୍ ଅନ୍ତର୍ଗତ ବାଲିସାହି ଗ୍ରାମ ପଞ୍ଚାୟତର ଚାଷୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହା ସହିତ ଠିକା ସଂସ୍ଥା L&T ବିରୋଧରେ ନାରାବାଜି କରିଥିଲେ । ନରସିଂହପୁର ଅଞ୍ଚଳର ସମସ୍ତ ଚାଷ ଜମିକୁ ଜଳସେଚିତ କରିବା ପାଇଁ ୨୦୧୫ ମସିହାରେ ୩୭୮ କୋଟି ଟଙ୍କା ବ୍ୟୟରେ ନରସିଂହପୁର ବ୍ଲକରେ L&T ଠିକା ସଂସ୍ଥା ମାଧ୍ୟମରେ କାର୍ଯ୍ୟ ଆରମ୍ଭ ହୋଇଥିଲା ବୃହତ ଜଳସେଚନ ପ୍ରକଳ୍ପ ।

ନରସିଂହପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଏହି ପ୍ରକଳ୍ପ ମାଧ୍ୟମରେ ମହାନଦୀରୁ ପାଣି ଉଠାଯାଇ ଚାଷ ଜମିଗୁଡିକୁ ଜଳସେଚିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା । ମାତ୍ର ଅନେକ ସ୍ଥାନରେ ପ୍ରକଳ୍ପ କାର୍ଯ୍ୟ ଅଧାରେ ରହିଛି। ଆଉ ଯେଉଁ କିଛି ଅଞ୍ଚଳରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ସେଠାରେ ମଧ୍ୟ ଚାଷ ଜମିଗୁଡିକରେ ପାଣି ମାଡ଼ି ପାରୁନାହିଁ । ଯାହାକୁ ନେଇ ଚାଷୀମାନଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ନରସିଂହପୁର ଅଞ୍ଚଳରେ ଏବେ ବର୍ଷା ନହେବା ଯୋଗୁଁ ମରୁଡ଼ି ପରିସ୍ଥିତି ଦେଖିବାକୁ ମିଳିଛି ।

ଯଦି ଆଗାମୀର ଦିନ ଭିତରେ L&T ସମସ୍ତ ଚାଷ ଜମିରେ ପାଣି ମାଡିବାର ବ୍ୟବସ୍ଥା ନକରେ ଏବଂ ନରସିଂହପୁର ଅଞ୍ଚଳକୁ ମରୁଡି ପ୍ରଭାବିତ ଅଞ୍ଚଳ ଭାବେ ସରକାର ଘୋଷଣା ନକରନ୍ତି ତେବେ ନରସିଂହପୁରର ସମସ୍ତ ଚାଷୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ତହସିଲଦାରଙ୍କ ମାଧ୍ୟମରେ ସରକାରଙ୍କୁ ଦାବିପତ୍ର  ଦେଇଛନ୍ତି ଚାଷୀ ।

Spread the love