ଅଶ୍ରଫ ଘନିଙ୍କୁ ତାଲିବାନଙ୍କ ଆଶ୍ୱସ୍ତି, କହିଲେ ଫେରିପାରିବେ ଦେଶକୁ

କାବୁଲ ୨୨।୮: ତାଲିବାନ କାବୁଲ ହାତେଇବା ପରେ ନାଗରିକ ଦେଶଛାଡି ପଳାୟନ କରୁଛନ୍ତି। ଏବେବି ସ୍ୱଭାବିକ ହୋଇନି ରାଜଧାନୀ କାବୁଲ। ତାଲିବାନମାନେ କାବୁଲରେ ପ୍ରବେଶ କରିବା ପରେ ରାଷ୍ଟ୍ରପତି ଅଶ୍ରଫ ଘନି ସପରିବାରେ ଦେଶଛାଡି ପଳାୟନ କରିଥିଲେ।  ରାଷ୍ଟ୍ରପତିଙ୍କ ଭଳି ଉପରାଷ୍ଟ୍ରପତି ଅମଋଲ୍ଲାହ ସାଲେହ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ହମଦୁଲ୍ଲାହ ମୋହିବ ମଧ୍ୟ ସୁରକ୍ଷିତ ଦେଶ ଛାଡି ପଳାଇଛନ୍ତି। ତେବେ ସେମାନଙ୍କ ସହ ତାଲିବାନଙ୍କ କୌଣସି ଶତ୍ରୁତା ନାହିଁ ଓ ଯଦି ଚାହିଁବେ ସେମାନେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିପାରନ୍ତି ବୋଲି ବରିଷ୍ଠ ତାଲିବାନୀ ନେତା ଖଲୀଲ ଉର ରହମାନ ହକ୍କାନୀ କହିଛନ୍ତି।

ପାକିସ୍ତାନ ଜିଓ ନ୍ୟୁଜ୍ ସହ ଏକ ସାକ୍ଷାତକାରରେ ହକ୍କାନୀ ଏହା କହିଛନ୍ତି। ସେହିପରି ଯେଉଁ ନାଗରିକମାନେ ଦେଶଛାଡି ପଳାୟନ କରୁଛନ୍ତି ସେମାନେ ସେପରି ନ କରନ୍ତୁ ବୋଲି ହକ୍କାନୀ କହିଛନ୍ତି। ତାଜିକ, ବଲୋଚ, ହଜାରା ଓ ପସ୍ତୁନ ସମସ୍ତେ ଆମର ଭାଇ। ଆଫଗାନିସ୍ତାନ ଆମର ଦେଶ ଓ ଆମେ କାହାକୁ ଡରି ଦେଶ ଛାଡି ପଳାଇ ଯାଇପାରିବାନି ବୋଲି ସେ କହିଛନ୍ତି। ଆମେରିକା ଯେଉଁ ତାଲିବାନ ବିରୋଧରେ ଯୁଦ୍ଧ ଲଢି ଥିଲା ଆମେ ସେହି ତାଲିବାନ ନୁହଁ। ଏଣୁ ଲୋକେ ଭୟଭୀତ ହୋଇ ପଳୟାନ ନ କରନ୍ତୁ ବୋଲି ହକ୍କାନୀ କହିଛନ୍ତି।

ଟେଲିଭିଜନ ସାକ୍ଷାତକାରରେ ହକ୍କାନୀ କହିଛନ୍ତି ଯେ ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନି, ଉପରାଷ୍ଟ୍ରପତି ଅମଋଲ୍ଲା ସାଲେହ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ହମଦୁଲ୍ଲା ମୋହିବଙ୍କର ତାଲିବାନଙ୍କ ସହ କୌଣସି ପ୍ରକାର ଶତ୍ରୁତା ନଥିଲା କି ନାହିଁ। ଯଦିଓ ସେପରି କିଛି ଥିଲା ତାହା କେବଳ ଶିଷ୍ଟମ ବଦଳାଇବାକୁ ନେଇ। ଏବେ ଦେଶର ବ୍ୟବସ୍ଥା ବଦଳି ସାରିଛି। ଏଥିରେ ସେମାନଙ୍କର ମନଭାବ ତାଲିବାନ ବିରୋଧରେ ନଥିଲା । ଏଣୁ ସେମାନଙ୍କୁ ଆମେ କ୍ଷମା କରିଦେଇଛୁ। ସେମାନେ ଚାହିଁଲେ ନିଜ ଦେଶକୁ ଫେରିପାରନ୍ତି ବୋଲି ହକ୍କାନୀ କହିଛନ୍ତି।

ସେହିପରି ହକ୍କାନୀ ସବୁ ମୁସଲମାନ ଦେଶମାନଙ୍କୁ ପାରସ୍ପରିକ ସମ୍ପର୍କ ବୃଦ୍ଧି ଲାଗି ମଧ୍ୟ ଆହ୍ୱାନ ଦେଇଛନ୍ତି। ତାଲିବାନ ମଧ୍ୟ ସବୁ ଇସ୍ଲାମ ଧର୍ମାବଲମ୍ବୀ ଦେଶଙ୍କ ସହ ସୁସମ୍ପର୍କ ରକ୍ଷା କରିବାକୁ ଚାହେଁ। ଏଣୁ ମୁସଲମାନ ଦେଶମାନଙ୍କର ସେ ସହଯୋଗ ଚାହିଁଛନ୍ତି। ତେବେ ହକ୍କାନୀଙ୍କ ଏହି ସାକ୍ଷାତକାର ପଛରେ ତାଲିବାନଙ୍କ କୌଣସି ଦୂରାଭିସନ୍ଧି ଅଛି କି ନା ତାହା ସ୍ପଷ୍ଟ ହୋଇପାରି ନାହିଁ। ତାଲିବାନ କାବୁଲ ହାତେଇବା ପରେ ମହିଳାମାନେ ପୁରୁଷଙ୍କ କାନ୍ଧକୁ କାନ୍ଧ ମିଳାଇ ଦେଶ ଚଳାଇବେ ବୋଲି ଘୋଷଣା କରିଥିଲେ। ହେଲେ ୨ ଦିନ ପରେ ନୀତି ବଦଳି ଯାଇଥିଲା। ଦେଶରେ କୋ-ଏଜୁକେସନ ସମ୍ଭବ ନୁହେଁ ବୋଲି ଏବେ ଘୋଷଣା କରିଛନ୍ତି।

Spread the love