‘ମହିଳାଙ୍କୁ ଉପଯୁକ୍ତ ସମ୍ମାନ ମିଳିଲେ ନିଜ ଦେଶକୁ ଫେରିବି :ଓ୍ବାରିନା ହୁସେନ୍‌

ନୂଆଦିଲ୍ଲୀ ୦୧/୦୯ : ତାଲିବାନୀଙ୍କ କବ୍‌ଜାରେ ଏବେ ଆଫଗାନିସ୍ତାନ । ଭୟରେ ଦେଶ ଛାଡି ଚାଲିଯିବା ପାଇଁ କୌଣସି ମତେ ଉପାୟ ଖୋଜୁଛନ୍ତି ସେଠାକାର ଅଧିକାଂଶ ଲୋକେ । ବିଶେଷ କରି ମହିଳା ଏବଂ ଯୁବତୀମାନେ ଅସୁରକ୍ଷିତ ମଣୁଛନ୍ତି । କାରଣ ତାଲିବାନୀଙ୍କ କ୍ରୁରତା ବାବଦରେ କାହାକୁ ବି ଅଛପା ନାହିଁ । ସେମାନେ ବିଶେଷ କରି ଯୁବତୀ ଏବଂ ମହିଳାମାନଙ୍କୁ ଟାର୍ଗେଟ୍‌ କରୁଛନ୍ତି । ବଳପୂର୍ବକ ଉଠାଇ ନେଇ ସେମାନଙ୍କ ଦାସୀ ସଜାଉଛନ୍ତି । ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି ସେମାନଙ୍କୁ ଅକଥନୀୟ ନିର୍ଯାତନା ଦେବା ସହିତ ଦୁଷ୍କର୍ମ, ଅତ୍ୟାଚାର ଏବଂ ହତ୍ୟା ଭଳି ଜଘନ୍ୟ କାଣ୍ଡ ଘଟାଉଛନ୍ତି ।
ଏହାରି ମଧ୍ୟରେ ମୁହଁ ଖୋଲିଛନ୍ତି ଆଫଗାନିସ୍ତାନ ଅଭିନେତ୍ରୀ ତଥା ବଲିଉଡ ଫିଲ୍ମ ‘ଲଭ୍‌ରାତ୍ରୀ’ରେ ଅଭିନୟ କରିସାରିଥିବା ଓ୍ବାରିନା ହୁସେନ୍‌ । ସେ କହିଛନ୍ତି, ମୁଁ ଯେଉଁ ଦେଶରେ ବଡ ହୋଇଛି ବା ଭାରତକୁ ଆସିଛି ସେ ଦେଶର ମାଟିରେ କେବଳ ବୋମା ହିଁ ଦେଖିବାକୁ ମିଳିଥାଏ । ଏହି କଥା ସେ ପୂର୍ବରୁ ଏକ ଇଣ୍ଟରଭ୍ୟୁରେ ମଧ୍ୟ କହିସାରିଛନ୍ତି । ଏବେ ଆଫଗାନିସ୍ତାନ ବାବଦରେ ଗଣମାଧ୍ୟମର କିଛି ପ୍ରଶ୍ନର ଉତ୍ତର ରଖିଛନ୍ତି ଓ୍ବାରିନା ହୁସେନ୍‌ ।
ଆଫାଗାନିସ୍ତାନର ଏଭଳି ଦୁର୍ଦଶା ଦେଖି ସେ ସମ୍ପୂର୍ଣ୍ଣ ଭାଙ୍ଗିପଡିଥିବା କହିଛନ୍ତି । ସେ କହିଛନ୍ତି, ‘ମୁଁ ବାହାରେ ରହି ସୁଟିଂ କରୁଛି । ଆଫଗାନିସ୍ତାନରୁ ପରିବାର ଲୋକେ ଏବଂ ମୋର ସ୍ବାମୀ ଆମେରିକା ଖସିଆସିବାରେ ସଫଳ ହୋଇଛନ୍ତି । କିନ୍ତୁ ସେଠାରେ ଅନେକ ସମ୍ପର୍କୀୟ, ଛୋଟ ଛୋଟ ପିଲା ରହିଯାଇଛନ୍ତି ।’ ଏପରି କହିବା ବେ​‌ଳେ କୋହ ସମ୍ଭାଳିପାରିନଥିଲେ ସେ ।
ସେଠାରେ ଏବେ ମହିଳା ଏବଂ ଯୁବତୀମାନେ କିଭଳି ଭାବେ ନିଜକୁ ସୁରକ୍ଷିତ ରଖୁଛନ୍ତି ପ୍ରଶ୍ନରେ ଓ୍ବାରିନା ହୁସେନ୍‌ କହିଛନ୍ତି, ଯୁବତୀମାନେ ନିଜକୁ ବନ୍ଦ କରି ରଖିଛନ୍ତି । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଯେଭଳି ନଉପୁଜେ ସେଥିପାଇଁ ଅନେକ ଯୁବତୀ ଏବଂ ମହିଳା ଲୁଚି ରହିବାକୁ ବାଧ୍ୟ ହେଉଛନ୍ତି । ଆଉ କିଛି ସୁରକ୍ଷିତ ଗୃହରେ ରହୁଛନ୍ତି । ଏଭଳି ପରିସ୍ଥିତିରେ ରକ୍ଷା ବନ୍ଧନ କଥା କହି ଭାବୁକ ହୋଇପଡିଥିଲେ ସେ । ଓ୍ବାରିନା କହିଛନ୍ତି, ଗତ ସପ୍ତାହରେ ଭାରତରେ ରକ୍ଷା ବନ୍ଧନ ପାଳନ କରାଗଲା ଯେଉଁଠାରେ ମହିଳା ତଥା ଯୁବତୀମାନଙ୍କୁ ସୁରକ୍ଷା ଦେବା ପାଇଁ ଯୁବକମାନେ ପ୍ରତିବଦ୍ଧ ବୋଲି କହୁଥିଲେ କିନ୍ତୁ ସେଠାରେ ତାହାର ଓଲଟା ଦେଖିବାକୁ ମିଳୁଛି । ମହିଳା ଏବଂ ଯୁବତୀମାନେ ନିର୍ଯାତନାର ଶିକାର ହେଉଛନ୍ତି ।
ଆଫଗାନିସ୍ତାନକୁ ପୁଣିଥରେ ଫେରିବେ କି ନାହିଁ ସେ ପ୍ରସଙ୍ଗରେ ଉତ୍ତର ଦେଇ ଓ୍ବାରିନା କହିଛନ୍ତି ଯେ, ‘ହଁ ଫେରିବି । ଯେବେ ଅନୁଭବ ହେବ ଆଫଗାନିସ୍ତାନରେ ମହିଳାମାନେ ସୁରକ୍ଷିତ ଅଛନ୍ତି, ସେମାନଙ୍କୁ ଉପଯୁକ୍ତ ସମ୍ମାନ ମିଳୁଛି, ସମସ୍ତଙ୍କୁ ପୂର୍ଣ୍ଣ ସ୍ବାଧୀନତା ମିଳୁଛି । ତା ପରେ ଯାଇ ଆଫଗାନିସ୍ତାନ ଫେରିବି । ସେଠାରେ ମହିଳାମାନେ ଶିକ୍ଷିତ ତେଣୁ ସେମାନେ ଲଢେଇ ଜାରି ରଖି​‌ବେ ବୋଲି ବିଶ୍ବାସ । ଯେଉଁମାନେ ସ୍ବର ଉଠାଉଛନ୍ତି ସେମାନଙ୍କଚ ମୁଁ ସମର୍ଥନ କରୁଛି ।’

Spread the love