ପେଟ୍ରୋଲ ପରେ ଟମାଟ ଶତକ ପାର, କେଜିକୁ ୧୪୦ ଟଙ୍କା

ନୂଆଦିଲ୍ଲୀ ୦୬/୧୨ : ଅହେତୁକ ଦରଦାମ ବୃଦ୍ଧିରେ ବେହାଲ ସାଧାରଣ ଜନତା। ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଜନତାଙ୍କୁ ଖୁବ୍ ବାଧୁଛି। ତେଲ ଦର ୧୦୦ରୁ ଖସୁନଥିବା ବେଳେ ପନିପରିବାର ମହଙ୍ଗା ହେବା ଜନତାଙ୍କ ରୋଷେଇଶାଳର ବଜେଟକୁ ବିଗାଡି ଦେଇଛି। ବିଶେଷ କରି ଅନିୟମିତତା ବର୍ଷା କାରଣରୁ ପନିପରିବାର ଦାମ ଅହେତୁକ ବୃଦ୍ଧି ଘଟିଛି। ଫଳରେ ବିଲାତି ଦର ବର୍ତ୍ତମାନ ଆକାଶଛୁଆଁ ରହିଛି। ଲଗାଣ ବର୍ଷା ହେବାରୁ ଦକ୍ଷିଣ ଭାରତକୁ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଏଠାରେ ବିଲାତି କିଲୋ ପିଛା ୧୪୦ ଟଙ୍କାରେ ବିକ୍ରି ହେଉଛି।

କେନ୍ଦ୍ରୀୟ ଗ୍ରାହକ ମନ୍ତ୍ରଣାଳୟ ସଦ୍ୟତମ ତଥ୍ୟ ଅନୁସାରେ ପୂର୍ବ ଭାରତରେ ବିଲାତି କିଲୋ ୩୯ ଟଙ୍କାରୁ ବଢ଼ି ୮୦ଟଙ୍କାରେ ପହଞ୍ଚିଛି। ସେହିପରି ପଶ୍ଚିମ ଭାରତରେ ଏହାର ଦାମ କିଲୋ ପ୍ରତି ୩୦ଟଙ୍କା ଥିଲା ବେଳେ ଏବେ ୮୫ ଟଙ୍କାକୁ ବୃଦ୍ଧି ଘଟିଛି। ଉତ୍ତର ଭାରତରେ ବିଲାତିର ମୂଲ୍ୟ ୩୦ ଟଙ୍କାରୁ ବଢ଼ି ୮୩ ଟଙ୍କା ହୋଇଛି। ସେହିଭଳି ଗତ କିଛିଦିନ ହେଲା ବିଲାତିର ସର୍ବଭାରତୀୟ ହାରାହାରି ମୂଲ୍ୟ ୬୦ଟଙ୍କା ରହିଛି।

ମାୟାବୁନ୍ଦରରେ ବିଲାତି ୧୪୦ଟଙ୍କାରେ ମିଳୁଥିବା ବେଳେ ପୋର୍ଟବ୍ଲେୟାରରେ ଡିସେମ୍ବର ୬ ଅର୍ଥାତ ସୋମବାର ବିଲାତି ମୂଲ୍ୟ କିଲୋ ପିଛା ୧୨୭ ଟଙ୍କା ରହିଛି। ସୋମବାର ଦିନ କେରଳର ଥିରୁଅନନ୍ତପୁରମରେ ୧୨୫ ଟଙ୍କାରେ କେଜିଏ ବିଲାତି ମିଳୁଛି । ପାଲକ୍କାଡ଼ ଓ ଓ୍ଵାଇନାଡ଼ରେ ଏହାର ମୂଲ୍ୟ କିଲୋ ପ୍ରତି ୧୦୫ଟଙ୍କା ରହିଛି। ତ୍ରିସୁରରେ ଖାଉଟିମାନେ ୯୪ଟଙ୍କା ଦେଇ ବିଲାତି କିଣୁଛନ୍ତି। ସେହିଭଳି କୋଟ୍ଟାୟାମରେ କିଲୋ ପିଛା ୮୩ ଟଙ୍କାଥିବା ବେଳେ କୋଝିକଡ଼ରେ ବିଲାତି ୯୧ଟଙ୍କା କିଲୋରେ ବିକ୍ରି ହେଉଛି।

ଭାରତର ପ୍ରମୁଖ ସହର ମୁମ୍ବାଇରେ ବିଲାତି କିଲୋପ୍ରତି ୫୫ଟଙ୍କାରେ ବିକ୍ରି ହେଉଥିବା ବେଳେ ଦିଲ୍ଲୀରେ ଏହାର ମୂଲ୍ୟ ୫୬ଟଙ୍କା ରହିଛି। କୋଲକାତାରେ ଏହା ୭୮ଟଙ୍କା ଥିବାବେଳେ ଚେନ୍ନାଇରେ ଏହାର ମୂଲ୍ୟ କିଲୋ ପିଛା ୮୩ ଟଙ୍କା ରହିଛି।

Spread the love